କେନ୍ଦୁଝର : ୨୦୨୩ସୁଦ୍ଧା ପ୍ରତିଘରକୁ ପାଇପ ପାଣି ଯୋଗାଇ ଦିଆଯିବ। ସହରରେ ୨୪ ଘଣ୍ଟିଆ ଜଳଯୋଗାଣ ପ୍ରକଳ୍ପର ନିର୍ଧାରିତ ସମୟ ମଧ୍ୟରେ ପୂର୍ଣ୍ଣାଙ୍ଗ ହେବ। ସେହିପରି ଲକ୍ଷ୍ୟଭେଦୀ ହେବ ଜୀବିକା ନିର୍ବାହ ଓ ଦକ୍ଷତା ବିକାଶ ପ୍ରକଳ୍ପ। ଦୁଇଦିନିଆ କେନ୍ଦୁଝର ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳ ଆଶିଷ ଠାକ୍ରେ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ପ୍ରକଳ୍ପର ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ। ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ତ୍ୱରାନ୍ୱିତ କରି ୨୦୨୩ ମାର୍ଚ୍ଚ ସୁଦ୍ଧା ପ୍ରତି ଘରକୁ ପାଣି ସଂଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକଳ୍ପର ବିଭିନ୍ନ ପର୍ଯ୍ୟାୟ କାମ ପାଇଁ ନିର୍ଘଣ୍ଟ କରି ଦୈନିକ ଓ ସାପ୍ତାହିକ କାର୍ଯ୍ୟ-ସାରଣୀ ପ୍ରସ୍ତୁତ କରିବାକୁ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସହରାଞ୍ଚଳକୁ ୨୪ଘଣ୍ଟିଆ ଜଳ ଯୋଗାଣ ପ୍ରକଳ୍ପ ସଂପର୍କରେ ଆଲୋଚନା କରିବା ସହିତ ତୁରନ୍ତ ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ କହିଥିଲେ। କେନ୍ଦୁଝରଠାରେ ସରକାରୀ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ର ନିର୍ମାଣ କାର୍ଯ୍ୟ ସରିଛି । ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଶେଷ କରି ଏହାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ତ୍ୱରାନ୍ୱିତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଗ୍ରାମ ଉନ୍ନୟନ ଓ ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା। ପଡୋଶୀ ଜିଲ୍ଲା ଓ ରାଜ୍ୟମାନଙ୍କୁ ଗମନାଗମନ ନିମନ୍ତେ ରାସ୍ତା ସଂଯୋଗୀକରଣ ଉପରେ ଗୁରୁତ୍ବ ଦିଆଯାଇଥିଲା। ଜିଲ୍ଲାର ବିଭିନ୍ନ ବ୍ଲକ୍ରେ କାର୍ଯ୍ୟକାରୀ ଜୀବିକା ନିର୍ବାହ ଓ ଦକ୍ଷତା ବିକାଶ ପ୍ରକଳ୍ପ ଆଦିକୁ ଲକ୍ଷ୍ୟଭେଦୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କାଞ୍ଜିପାଣିଠାରେ ଇକୋ-ପର୍ଯ୍ୟଟନ କେନ୍ଦ୍ରର ବିକାଶ, କାନପୁର ଜଳସେଚନ ପ୍ରକଳ୍ପର ଅଗ୍ରଗତି, ପ୍ରକଳ୍ପ ନିକଟ ଦେଇ ଯାଇଥିବା ଜାତୀୟ ରାଜପଥରେ ଅକ୍ଟୋବର ମାସ ଶେଷ ସୁଦ୍ଧା ପୋଲ ନିର୍ମାଣ, ଡ୍ୟାମ୍ ସ୍ପିଲ୍-ୱେ ନିର୍ମାଣର କାର୍ଯ୍ୟ ତ୍ୱରାନ୍ୱିତ କରାଯିବ।
ଅପରାହ୍ନରେ ମୁଖ୍ୟ ଶାସନ ସଚିବ ସ୍ଥାନୀୟ ଡିଏନ୍ ହାଇସ୍କୁଲରେ ଆୟୋଜିତ ମୋ ସ୍କୁଲ୍ କାର୍ଯ୍ୟକ୍ରମରେ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀ, ବର୍ତମାନର ଶିକ୍ଷକଶିକ୍ଷୟିତ୍ରୀ ଏବଂ ଅବିଭାବକଙ୍କ ସହ ସିଧା ସଳଖ ଆଲୋଚନା କରିଥିଲେ। ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା, ଶୈକ୍ଷିକ ପରିବେଶ ଏବଂ ଆଧୁନିକ ଭିତ୍ତିଭୂମି ସୃଷ୍ଟି କରି ଆଗାମୀ ଦିନରେ ଏହି ଅନୁଷ୍ଠାନକୁ ଏକ ଉତ୍କର୍ଷ ଶିକ୍ଷାକେନ୍ଦ୍ର ଭାବେ ବିକଶିତ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଶ୍ରୀ ମହାପାତ୍ର ବିଦ୍ୟାଳୟ ପରିସରରେ ଜିଲ୍ଲା ଖଣିଜ ପାଣ୍ଠିରୁ ପ୍ରାୟ ୫.୧୭ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୧୨୦ ଶଯ୍ୟା ବିଶିଷ୍ଟ ଏକ ଛାତ୍ରୀନିବାସ ଏବଂ ୧୨୦ ଶଯ୍ୟା ବିଶିଷ୍ଟ ଏକ ଛାତ୍ରାବାସକୁ ଉଦ୍ଘାଯନ କରିଥିଲେ। ମୋ ସ୍କୁଲ ଆଲୋଚନା ଚକ୍ରରେ ପୁରାତନ ଛାତ୍ରସଂସଦ ଅଧ୍ୟକ୍ଷ ବଳରାମ ପୃଷ୍ଟି ସଭାପତିତ୍ୱ କରିଥିଲେ। ଜିଲ୍ଲାପାଳ ଆଶିଷ ଠାକରେ, ବନଖଣ୍ଡ ଅଧିକାରୀ ଧନରାଜ ଏଚ୍.ଡି., ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ପ୍ରଧାନ ଶିକ୍ଷୟିତ୍ରୀ ତୃପ୍ତିମୟୀ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।