ପୁରୀ ଶଙ୍କରାଚାର୍ଯ୍ୟଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଗୁପ୍ତ ଆଲୋଚନା !

ରଥଯାତ୍ରା, ଚନ୍ଦନଯାତ୍ରା ଉପରେ ବିଚାରବିମର୍ଶ!

ପୁରୀ : ଆଉ ତିନି ଦିନ ପରେ ପ୍ରସିଦ୍ଧ ଚନ୍ଦନଯାତ୍ରା। ପରେ ପରେ ଅର୍ଥାତ୍‌ ଦୁଇମାସ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। କରୋନା କଟକଣା ଭିତରେ ଶହ ଶହ ବର୍ଷର ଏହି ପରମ୍ପରା କିଭଳି ଅନୁଷ୍ଠିତ ହେବ? କ’ଣ କଲେ ସଂକ୍ରମଣକୁ ରୋକାଯାଇପାରିବ? ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ଭକ୍ତବୃନ୍ଦ ବି ପରମ୍ପରା ନ ଭାଙ୍ଗୁ ବୋଲି ଦାବି ରଖୁଛନ୍ତି। କଟକଣାଯୁକ୍ତ ଚନ୍ଦନଯାତ୍ରା, ରଥଯାତ୍ରା ପାଇଁ ମତ ଦେଉଛନ୍ତି। ଏଭଳି ଏକ ଦ୍ବନ୍ଦାତ୍ମକ ପରିସ୍ଥିତିର ସମାଧାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କ୍ରିଷନ କୁମାର ଓ ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ବଲୱନ୍ତ ସିଂ ଆଜି ଅପରାହ୍ଣରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି। ଏ ଉପରେ ଆବଶ୍ୟକ ପରାମର୍ଶ ନେଇଛନ୍ତି ଜଣାପଡ଼ିଛି।

ଦୁଇ ଅଧିକାରୀ କିନ୍ତୁ ଗଣମାଧ୍ୟମ ଆଗରେ ଏ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ରଖିନାହାଁନ୍ତି। କରୋନା କଟକଣା ଭିତରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ରହିଛି, ସେ ସଂପର୍କରେ ଆଲୋଚନା କରିବାକୁ ଆସିଥିଲୁ କହି କଥାକୁ ଏଡ଼ାଇ ଯାଇଛନ୍ତି।

ଆଜି ଅପରାହ୍ଣରେ ହଠାତ୍ ଦୁଇ ଅଧିକାରୀ ଗୋବର୍ଦ୍ଧନ ପୀଠକୁ ଯାଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଗୁପ୍ତ ଆଲୋଚନା କରିଥିଲେ।  ଅଧଘଣ୍ଟାରୁ ଅଧିକ ସମୟ ଧରି ଜତଗଗୁରୁଙ୍କ ସହ ଗୁପ୍ତ ଆଲୋଚନା ଚାଲିଥିଲା। ଆଲୋଚନା ସାରି ଫେରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ କୁମାର କହିଛନ୍ତି, ଏହା ଏକ ଅନୌପଚାରିକ ଆଲୋଚନା ଥିଲା। ଏହି ଅବସରରେ କରୋନା କଟକଣା ଭିତରେ ଜଗତଗୁରୁ କିଭଳି ଅଛନ୍ତି, ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲୁ। ଗୋବର୍ଦ୍ଧନ ମଠ ଓ ଅନ୍ୟମାନଙ୍କ ସ୍ଥିତି ପଚାରି ବୁଝିଥିଲୁ। ରଥଯାତ୍ରା ଓ ଚନ୍ଦନଯାତ୍ରା ସଂପର୍କରେ କିଛି ଆଲୋଚନା ହୋଇଛି କି ପଚାରିବାରେ ଶ୍ରୀ କୁମାର କଥାକୁ ଏଡ଼ାଇ ଯାଇଥିଲେ। ଏ ସଂପର୍କରେ କୌଣସି ଉତ୍ତର ରଖି ନଥିଲେ। ଜିଲ୍ଲାପାଳ ଶ୍ରୀ ସିଂ ବି ଏ ସଂପର୍କରେ କିଛି କହି ନଥିଲେ। ଏ ସଂପର୍କରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ବି କୌଣସି ମତ ରଖିନାହାନ୍ତି।

ଗୋବର୍ଦ୍ଧନ ପୀଠ ମୁଖପାତ୍ର ମନୋଜ କୁମାର ରଥ କହିଛନ୍ତି, ଏହି ଆଲୋଚନା ଖୁବ କମ ସମୟର ଥିଲା। ଏହି ଅବସରରେ ଜଗତଗୁରୁଙ୍କ ସ୍ବାସ୍ଥ୍ୟବସ୍ଥା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର