ଶଙ୍କରାଚାର୍ଯ୍ୟଙ୍କୁ ଭେଟି ସ୍ନାନଯାତ୍ରାକୁ ନିମନ୍ତ୍ରଣ କଲେ ମୁଖ୍ୟ ପ୍ରଶାସକ, ସେବାୟତ

ପୁରୀ,୧/୬(ଇମିସ): ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାରଙ୍କ ସହ ନୀତି ସଂପୃକ୍ତ ସେବାୟତ ଆଜି ସଂଧ୍ୟାରେ ପୁରୀ ଗୋବର୍ଦ୍ଧନ ପୀଠରେ ଭେଟିଛନ୍ତି। ସ୍ନାନଯାତ୍ରା ଓ ଅନ୍ୟାନ୍ୟ ନୀତିକାନ୍ତି ସଂପର୍କରେ ଅବଗତ କରାଇବା ସହ ଏ ସଂପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଧର୍ମଗୁରୁ ଭାବେ ଜଗତଗୁରୁଙ୍କଠାରୁ ଆବଶ୍ୟକ ପରାମର୍ଶ ନେଇଛନ୍ତି। ସ୍ନାନଯାତ୍ରା ପାଇଁ ନିମନ୍ତ୍ରଣ ବି ଦେଇଛନ୍ତି।

ଏ ସଂପର୍କରେ ମୁଖ୍ୟ ପ୍ରଶାସକ ଶ୍ରୀ କୁମାର କହିଛନ୍ତି, ଗତ ୩୦ ତାରିଖରେ ପରିଚାଳନା କମିଟି ବୈଠକ ବସି ସ୍ନାନଯାତ୍ରା ସହ ଚମ୍ପକ ଦ୍ବାଦଶୀର ନୀତି ଚୂଡ଼ାନ୍ତ ହୋଇଥିଲା। ଏ ସଂପର୍କରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରାଯାଇଛି। କେଉଁ ପ୍ରକାରେ ଏହି ନୀତିକାନ୍ତି ଅନୁଷ୍ଠିତ ହେବ, ସେ ସଂପର୍କରେ ବିସ୍ତୃତ ଭାବେ କୁହାଯାଇଛି। ବିଶେଷ କରି ଚମ୍ପକ ଦ୍ବାଦଶୀ ନୀତି କିଭଳି ଅନୁଷ୍ଠିତ ହେବ ସେ ସଂପର୍କରେ ଆବଶ୍ୟକ ପରାମର୍ଶ ନିଆଯାଇଛି। ଏହି ନୀତିକାନ୍ତି ପାଇଁ ସଂପୃକ୍ତ ସେବକଙ୍କ ସହ ଆଲୋଚନା ବୈଠକ ଡକାଯିବ। ଯଥାସମ୍ଭବ ସୀମିତ ସେବକରେ ଚମ୍ପକ ଦ୍ବାଦଶୀ ଅନୁଷ୍ଠିତ ହେବ ବୋଲି ଶ୍ରୀ କୁମାର କହିଛନ୍ତି। ସ୍ନାନଯାତ୍ରା ପୂର୍ବରୁ ଦଇତା ପ୍ରବେଶ ଥିବାରୁ କେତେ ସଂଖ୍ୟକ ଦଇତାପତି ଯିବେ ଓ ନୀତିକାନ୍ତି କରିବେ, ସେ ଉପରେ ବି ଆଲୋଚନା ହୋଇଛି। ବୈଠକରେ ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂଙ୍କ ସମେତ ପରିଚାଳନା କମିଟି ସଦସ୍ୟ, ବିଭିନ୍ନ ନିଯୋଗର ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର