ଯୋଗାଣ ବିଭାଗର ଯୌନ ନିର୍ଯାତନା ମାମଲା: ୨୦ ଦିନର ହାଇଡ୍ରାମା, ଜାମିନରେ ମୁଖ୍ୟ ଯୋଗାଣ ଅଧିକାରୀ

ବଲାଙ୍ଗୀର: ବଲାଙ୍ଗୀର ଯୋଗାଣ ବିଭାଗ ଯୌନ ନିର୍ଯାତନା ମାମଲାରେ ୨୦ ଦିନର ହାଇଡ୍ରାମା ପରେ ଅଭିଯୁକ୍ତ ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀଙ୍କୁ ଜାମିନ ମିଳିଛି। ପୁଲିସ ଓ ପ୍ରଶାସନର ନିରବତା ଯୋଗୁଁ କାର୍ଯ୍ୟାନୁଷ୍ଠାନ ବଦଳରେ ଜାମିନ ମିଳିଲା ବୋଲି ଚର୍ଚ୍ଚା ହେଉଛି। କେମିତି ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇଥିଲା ପୁଲିସ ଓ ପ୍ରଶାସନ ତାହା ସମସ୍ତଙ୍କୁ ଜଣା। ସଂଗିନ ଦଫା ସତ୍ତ୍ୱେ ପ୍ରଥମେ ଲୁଚି ଲୁଚି ତାପରେ ଖୋଲାଖୋଲି ବୁଲୁଥିଲେ ମୁଖ୍ୟ ଯୋଗାଣ ଅଧିକାରୀ। ଶେଷରେ  ହାଇକୋର୍ଟଙ୍କ ପାଖରୁ ଅନ୍ତରୀଣ ଜାମିନ ପାଇ ରାଜଧାନୀ ଗସ୍ତରେ ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀ। ପୂରା କୋଡିଏ ଦିନ ଧରି ଅଭିଯୁକ୍ତ ଅଧିକାରୀଙ୍କ ସପକ୍ଷରେ ପାହାଡ଼ ଭଳି ଛିଡ଼ା ହୋଇଥିଲା ପୁଲିସ ଓ ପ୍ରଶାସନ।

ଗତ ୫ ତାରିଖ ଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କଲେ ଅଭିଯୋଗକାରୀ ମହିଳା ଅଧିକାରୀ। ୬ ତାରିଖ ଜିଲ୍ଲାପାଳଙ୍କୁ ଦେଖା କରିବା ପାଇଁ ଦୁଇଘଣ୍ଟା ଅପେକ୍ଷା କରିଥିଲେ। ଭେଟିନଥିଲେ ଜିଲ୍ଲାପାଳ। ନିରାଶ ହୋଇଥିଲେ। ଚାରିଦିନର ଅପେକ୍ଷା ପରେ ୯ ତାରିଖ ବଲାଙ୍ଗୀର ଟାଉନ ଥାନାରେ ଲିଖିତ ଅଭିଯୋଗ କଲେ। ଅଭିଯୁକ୍ତଙ୍କ ବଦଳରେ ଦୁଇ ଦୁଇ ଥର ଅଭିଯୋଗକାରୀଙ୍କୁ ଜେରା କରିଥିଲା ପୁଲିସ। ପ୍ରାଥମିକ ପ୍ରମାଣ ପାଇବା ପରେ ସଂଗିନ ଦଫାରେ ମୁଖ୍ୟ ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତାପରେ ପୁଲିସ ତୁନି ପଡ଼ିଗଲା। ତଦନ୍ତ କଲା ନାହିଁ। ହଠାତ ୧୬ ତାରିଖ ଦିନ ଖୋଦ୍‌ ଜିଲ୍ଲା ମୁଖିଆ ଓ ପୁଲିସ ମୁଖିଆଙ୍କ ସହିତ ଟିଟିଲାଗଡ଼ରେ ଘଣ୍ଟା ଘଣ୍ଟା ଧରି ଲୋକଙ୍କ ଗହଣରେ ରହିଥିଲେ ମୁଖ୍ୟ ଯୋଗାଣ ଅଧିକାରୀ। ଏଥିରୁ ଜଣାପଡୁଥିଲା ମୁଖିଆଙ୍କ ସହ ବସୁଛି ଯିଏ, ତାକୁ ବା କେମିତି ତଦନ୍ତ କରିଥାନ୍ତା ବଲାଙ୍ଗୀର ଟାଉନ ପୁଲିସ। ସେଇଆ ହିଁ ହେଲା। ଖାଲି ସେତିକି ନୁହେଁ, ମଝିରେ ମଝିରେ ଘରୋଇ ଗାଡ଼ିରେ ଆସି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ବି ଭେଟୁଥିଲେ। ଏପଟେ ନ୍ୟାୟ ପାଇଁ ଥାନାରୁ ଲୋକାଲ କମ୍ପ୍ଲେନ କମିଟିର ଜେରାର ସାମ୍ନା କରୁଥିଲେ ଅଭିଯୋଗକାରୀ।

ପାଖାପାଖି ୧୦ ଦିନ ହାତ ବାନ୍ଧି ବସିବା ପରେ ୨୦ ତାରିଖ ଷ୍ଟେଜ୍‌ ରିହରସେଲ କରିଥିଲା ବଲାଙ୍ଗୀର ଟାଉନ ପୁଲିସ। ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ତଦନ୍ତର ଅଭିନୟ କରିଥିଲା। କାରଣ ପୁଲିସକୁ ଭଲ ଭାବରେ ଜଣାଥିଲା ଅଭିଯୁକ୍ତ ଅଧିକାରୀ ନାହାନ୍ତି। ତା ପରଦିନ ରବିବାର ଛୁଟି ଦିନ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟକୁ ଆସି ଭିଆଇପି ଭଳି ଜେରା ହୋଇଥିଲେ ଅଭିଯୁକ୍ତ ଅଧିକାରୀ। ପୁଲିସ ଓ ପ୍ରଶାସନର ସୁରକ୍ଷା ଭିତରେ ଥିବା ଅଭିଯୁକ୍ତ ଅଧିକାରୀ ଗତ ୧୬ ତାରିଖ ମାନ୍ୟବର ହାଇକୋର୍ଟଙ୍କ ପାଖରେ ଜାମିନ ଆବେଦନ କରିଥିଲେ। ଆଉ ସେହି ମାମଲାର ଶୁଣାଣି କରି ମାନ୍ୟବର ହାଇକୋର୍ଟ ଅଭିଯୁକ୍ତ ଅଧିକାରୀ ମୀର ରାଜା ଅଲ୍ଲୀଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି ବୋଲି ସୂଚନା ମିଳିଛି। ଏବେ ଟାଉନ ପୁଲିସ ଗିରଫ କରିପାରିବ ନାହିଁ। ଶେଷରେ ସଫଳ ହେଲା ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାର ବ୍ଲୁପ୍ରିଣ୍ଟ। ଅନ୍ୟପଟେ ଅଭିଯୋଗକାରୀଙ୍କ ଉପରେ ଚାପ। ମାମଲାକୁ ଆଗକୁ ବଢ଼ାଅ ନାହିଁ। କେତେବେଳେ ମିଲର୍ସ ତ ଆଉ କେତେବେଳେ ଅଧିକାରୀ; ଏଠି ବଡ଼ ପ୍ରଶ୍ନ- ଅଭିଯୋଗ କରିବା କଣ ଭୁଲ? ସମୟରେ ତଦନ୍ତ ନହେଲେ କିଏ ଠିକ ଓ କିଏ ଭୁଲ କେମିତି ଜଣାପଡ଼ିବ? ଅଭିଯୁକ୍ତଙ୍କ ପରିବର୍ତ୍ତେ ଅଭିଯୋଗକାରୀଙ୍କୁ ବାର ବାର ଜେରା କରିବା ମାନେ କଣ? ସଂଗିନ ଦଫାରେ ମାମଲା ଥିଲେ ବି ନିଜ ସହ ବସିବା ପାଇଁ କେମିତି ଅନୁମତି ଦେଇଥିଲେ ମୁଖିଆ? କୋଡ଼ିଏ ଦିନର ହାଇଡ୍ରାମା ପରେ ଏଠି ବିଜେତା ଅଭିଯୁକ୍ତ ବୋଲି ଚର୍ଚ୍ଚା। ଆଉ ଚାପରେ ଅଭିଯୋଗକାରୀ।

ଚାପରେ ବିଭାଗର କର୍ମଚାରୀ!
ବଲାଙ୍ଗୀର ଯୋଗାଣ ବିଭାଗ ମୁଖିଆଙ୍କ ଇସାରାରେ ଚାଲେ ପୂରା ଜିଲ୍ଲାର ଯୋଗାଣ ବ୍ୟବସ୍ଥା। ଆଗରୁ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଥିବା ମୀର ରାଜା ଅଲ୍ଲୀ ଏବେ ଯୌନ ନିର୍ଯାତନା ଓ ଦୁର୍ବ୍ୟବହାର ଅଭିଯୋଗରେ ମହକିଲ।
ଅବଶ୍ୟ ଜାମିନ ମିଳିଛି ସତ। କିନ୍ତୁ ଜାମିନରେ ଥିବା ଅଧିକାରୀ ତାଙ୍କ ବିରୋଧରେ ଥିବା ସାକ୍ଷ୍ୟ ପ୍ରମାଣକୁ ନଷ୍ଟ କରିବେନି ତ? ଯେଉଁ କର୍ମଚାରୀ ଓ ଅଧିକାରୀ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ, ତାଙ୍କ ବିରୋଧରେ ପ୍ରତିଶୋଧ ନେବେ ନାହିଁ ତ? ଏବେ ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅନେକ ଅଡିଓ ଭାଇରାଲ। ଭାଇରାଲ ଅଡିଓର କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ମନମାନି କରିବେ ନାହିଁ ତ? ଜାମିନରେ ଥିବା ଅଧିକାରୀଙ୍କୁ ନେଇ ଏ ଆଶଙ୍କାରେ ଅଧୀନରେ ଥିବା କର୍ମଚାରୀ ଓ ଅଧିକାରୀ। ତେଣୁ ଚର୍ଚ୍ଚା, ଜାମିନରେ ଅଧିକାରୀ, ଚାପରେ କର୍ମଚାରୀ।

ଆଦିବାସୀ ଘେରିବେ ଏସ୍‌ପି ଅଫିସ
ପୁଲିସର ନାଟକିଆ ତଦନ୍ତ। ଅଭିଯୁକ୍ତ ସପକ୍ଷରେ ନିରବତା। ଜାମିନ ପାଇଁ ସୁଯୋଗ ଦେଲା ପୁଲିସ। ସଂଗିନ ଦଫା ସତ୍ତ୍ୱେ ତଦନ୍ତରେ ଅହେତୁକ ବିଳମ୍ବ। ଆଦିବାସୀ ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ ବଲାଙ୍ଗୀର ପୁଲିସ ଓ ପ୍ରଶାସନ। ତେଣୁ ଘଟଣାକୁ ଗୁରୁତ୍ବର ସହ ନେଇଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ। ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଗରୁ ଏସ୍‌ପି ଓ ଜିଲ୍ଲାପାଳଙ୍କୁ ଭେଟିଥିଲେ ଆଦିବାସୀ ସଂଘର କର୍ମକର୍ତ୍ତା। ହେଲେ ଫଳ କିଛି ହେଲା ନାହିଁ। ତେଣୁ ପୁଣି ଥରେ ପୀଡ଼ିତାଙ୍କୁ ସଂଘର କର୍ମକର୍ତ୍ତା ଉପଦେଷ୍ଟା ସତ୍ୟନାରାୟଣ ଭୋଇ, ଶ୍ୟାମସୁନ୍ଦର ଭୋଇ, ଗୋପାଲ ପଧାନ ପ୍ରମୁଖ ଭେଟି ଆଲୋଚନା କରିଛନ୍ତି। ପରେ ଏସ୍‌ପିଙ୍କ ନିକଟକୁ ଭେଟିବାକୁ ଯାଇଥିଲେ। କିନ୍ତୁ ଏସ୍‌ପି ଅନୁପସ୍ଥିତ ଥିବାରୁ ଆଲୋଚନା ହୋଇପାରି ନଥିଲା। ଆଦିବାସୀ ନେତା ସତ୍ୟନାରାୟଣ ଭୋଇ କହିଛନ୍ତି, ମାମଲାକୁ ପୁଲିସ ହାଲୁକା ଭାବରେ ନେଇଛି। ଏଣୁ ଆଗାମୀ ଦିନରେ ପୁଲିସର କାର୍ଯ୍ୟକଳାପକୁ ପ୍ରତିବାଦ କରି ଏସ୍‌ପି ଅଫିସ ଘେରାଉ କରାଯିବ ବୋଲି ସୂଚନା ଦେଇଛନ୍ତି। ସଂଘ ଆଦିବାସୀ ମହିଳାଙ୍କୁ ନ୍ୟାୟ ଦେବାକୁ ଲଢ଼େଇ କରିବ ବୋଲି ସେ କହିଛନ୍ତି।

‘ମହିଳା ହୋଇ ମହିଳାଙ୍କ ଦୁଃଖ ବୁଝିଲେନି’
ସେ ପ୍ରଥମେ ମହିଳା, ତାପରେ ଅଧିକାରୀ। ତାହା ପୁଣି ଥାନା ଅଧିକାରୀ। ତେଣୁ ବଲାଙ୍ଗୀର ଆଦର୍ଶ ଥାନାରେ ଜଣେ ମହିଳା ଥାନା ଅଧିକାରୀ ଥିବାରୁ ମହିଳା ନ୍ୟାୟ ପାଇବା ସ୍ୱାଭାବିକ। ଏପରି ଆଶା ରଖିଥିଲେ ପୀଡ଼ିତା ମହିଳା। କିନ୍ତୁ ଯେଭଳି ଭାବରେ ମୁଖ୍ୟ ଯୋଗାଣ ଅଧିକାରୀଙ୍କ ବିରୋଧରେ ତଦନ୍ତ ହେଲା ତାହା ପୀଡ଼ିତାଙ୍କୁ ନିରାଶ କରିଛି। ମାମଲା ରୁଜୁ ହେବାର ୧୦ ଦିନ ଧରି କାହିଁକି ହାତ ବାନ୍ଧି ବସିଥିଲା ପୁଲିସ? ମୁଖିଆଙ୍କ ଚାପ ଥିଲା ନା ମହିଳା ଅଧିକାରୀଙ୍କ ଇଚ୍ଛା ନଥିଲା? ମହିଳା ହୋଇ ମହିଳାଙ୍କୁ ଜେରା କଲା ପରେ କଣ କିଛି ଜାଣି ପାରି ନଥିଲେ ମହିଳା ଅଧିକାରୀ? ଜାଣି ପାରିଲେ ବୋଲି ମାମଲା ରୁଜୁ କଲେ। ହେଲେ ମାମଲା ରୁଜୁ କରିବା ପରେ ତୁନି ପଡ଼ିଲେ କାହିଁକି? ୧୦ ଦିନ ପରେ ନାଟକୀୟ ତଦନ୍ତର ନିର୍ଦ୍ଦେଶକ କିଏ? ପ୍ରତ୍ୟକ୍ଷରେ ନହେଲେ ବି ପରୋକ୍ଷରେ ବୁଝାପଡୁଛି। କିନ୍ତୁ ଚର୍ଚ୍ଚା- ମହିଳା ହୋଇ ମହିଳା ଦୁଃଖ ବୁଝିଲେନି ଆଇଆଇସି।

ସମ୍ବନ୍ଧିତ ଖବର