କଟକ: ଏଣିକି ରାଜ୍ୟରେ ୧୫ଟି ସାଇବର୍ ଥାନା ଦାୟିତ୍ବରେ ରହିବେ ଡିଏସ୍‌ପି ପାହ୍ୟାର ଅଧିକାରୀ। ପୂର୍ବରୁ ଯେଉଁ ଇନସ୍ପେକ୍ଟର୍‌ ପାହ୍ୟାର ଅଧିକାରୀଙ୍କୁ ଏହି ଥାନାର ଦାୟିତ୍ବରେ ରଖାଯାଇଥିଲା, ଏହା ବଦଳରେ ଡିଏସ୍‌ପି ପାହ୍ୟାର ଅଧିକାରୀ ଥାନାର ମୁଖିଆ ହେବେ। ସାଇବର୍ ମାମଲା କେବଳ ଇନସ୍ପେକ୍ଟର୍‌ ପାହ୍ୟାରୁ ଊର୍ଦ୍ଧ୍ବ ତଦନ୍ତ କରିବାର ନିୟମ ରହିଛି। ଏବେ ଥାନାରେ ଥିବା ଜଣେ ଲେଖାଏ ଇନସ୍ପେକ୍ଟର୍‌ ଥାନା ଦାୟିତ୍ବ ସମ୍ଭାଳିବା ସହିତ ମାମଲାର ତଦନ୍ତ କରୁଥିବାରୁ ଚାପଗ୍ରସ୍ତ ହେଉଛନ୍ତି। ଏଥିପାଇଁ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ତଦନ୍ତ ପ୍ରକ୍ରିୟାକୁ ଅଧିକ ଗୁଣାତ୍ମକ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

Advertisment

ସୂଚନା ଅନୁଯାୟୀ, ଓଡ଼ିଶା ପୁଲିସରେ ଡିଏସ୍‌ପିରୁ ବରିଷ୍ଠ ଏସ୍‌ପି ପାହ୍ୟା ଯାଏ ଥିବା ୭୯୮ ପଦବିକୁ ପୁନର୍ଗଠନ କରାଯାଇ ୮୭୩ କରାଯାଇଛି। ଏହି ପୁନର୍ଗଠନ ପ୍ରକ୍ରିୟାରେ ୧୨୬ଟି ନୂଆ ପଦବି ସୃଷ୍ଟି କରାଯାଇଥିବା ବେଳେ ୫୧ଟି ପଦବି ଉଚ୍ଛେଦ କରାଯାଇଛି। ଡିଏସ୍‌ପି ପାହ୍ୟାରେ ଥିବା ୬୧୧ ପଦବିକୁ ପୁନର୍ଗଠନ କରି ୬୧୩ କରାଯାଇଛି। ଏଥିରେ ନୂଆ ପଦବି ୩୯ଟି ସୃଷ୍ଟି ହୋଇଥିବା ବେଳେ ୩୭ଟି ଉଚ୍ଛେଦ କରାଯାଇଛି। ଅତିରିକ୍ତ ଏସ୍‌ପି ପାହ୍ୟାରେ ୧୫୫ରୁ ୨୦୦ ପଦବି ପୁନର୍ଗଠନ କରାଯାଇଛି। ଏଥିରେ ନୂଆ ପଦବି ୪୯ଟି ସୃଷ୍ଟି ହୋଇଥିବା ବେଳେ ୪ଟି ପଦବି ଉଚ୍ଛେଦ କରାଯାଇଛି। ଏସ୍‌ପି ପାହ୍ୟାରେ ୨୫ଟି ପଦବିରୁ ପୁନର୍ଗଠନ କରି ୪୩ କରାଯାଇଛି। ଏଥିରେ ନୂଆ ପଦବି ୨୮ଟି ସୃଷ୍ଟି ହୋଇଥିବା ବେଳେ ୧୦ଟି ଉଚ୍ଛେଦ କରାଯାଇଛି। ବରିଷ୍ଠ ଏସ୍‌ପି ପଦବି ୭ଟିରୁ ପୁନର୍ଗଠନ କରି ୧୭ଟି କରାଯାଇଛି। ନୂଆ ପଦବି ୧୦ଟି ସୃଷ୍ଟି କରାଯାଇଛି।
ଡିଏସ୍‌ପି ପାହ୍ୟାରେ ଯେଉଁ ୩୯ଟି ନୂଆ ପଦବି ସୃଷ୍ଟି କରାଯାଇଛି, ଏଥିରେ ରାଜ୍ୟରେ ଥିବା ୧୫ଟି ସାଇବର୍ ଥାନା(କ୍ରାଇମବ୍ରାଞ୍ଚ ସାଇବର୍ ଥାନା, କଟକ କମିସନରେଟ୍ ପୁଲିସ, ଭୁବନେଶ୍ବର କମିସନରେଟ୍ ପୁଲିସ, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୁଳ, ବାଲେଶ୍ବର, ମୟୂରଭଞ୍ଜ, ପୁରୀ, କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ)ରେ ୧୫ଟି ଡିଏସ୍‌ପି ପଦବି ସୃଷ୍ଟି କରାଯାଇଛି। ଏହାବାଦ୍ ଯେଉଁ ୨୮ଟି ନୂଆ ଏସ୍‌ପି ପଦବି ସୃଷ୍ଟି ହୋଇଛି, ସେଥିରେ କ୍ରାଇମବ୍ରାଞ୍ଚ ସାଇବର୍ ସେଲ୍-୧ ପାଇଁ ଗୋଟିଏ ଏସ୍‌ପି ପଦବି ସୃଷ୍ଟି ହୋଇଛି।

୧୫ ସାଇବର୍ ଥାନାର ନବକଳେବର
କ୍ରାଇମବ୍ରାଞ୍ଚ ସାଇବର୍ ସେଲ୍ ପାଇଁ ଏସ୍‌ପି
ଜଣକା ୪ ଗୁଣ ମାମଲାର ତଦନ୍ତ କରୁଛନ୍ତି
ଓଡ଼ିଶା ପୁଲିସରେ କ୍ୟାଡର୍‌ ପୁନର୍ଗଠନ; ୭୯୮ରୁ ୮୭୩କୁ ବୃଦ୍ଧି

୨୦୨୧ ଡିସେମ୍ବର ୧୫ରେ ଗୃହ ବିଭାଗ ପକ୍ଷରୁ ସାଇବର୍ ଥାନାରେ ପଦବି ନିଯୁକ୍ତି ସଂକ୍ରାନ୍ତ ଏକ ନିର୍ଦ୍ଦେଶନାମା ଆଧାରରେ ସାଇବର୍ ଥାନା ଦାୟିତ୍ବରେ ଇନସ୍ପେକ୍ଟର୍‌ ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ମୋଟ ୧୫ ଥାନା ପାଇଁ ୧୫ ଇନସ୍ପେକ୍ଟର୍‌ଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଏହାବାଦ୍ ଏସ୍‌ଆଇ, ଏଏସ୍‌ଆଇ, କନଷ୍ଟେବଳ, ସିପାହୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ସାଧାରଣ ଥାନାଗୁଡ଼ିକରେ ପ୍ରତି ମାସରେ ଜଣେ ତଦନ୍ତକାରୀ ଅଧିକାରୀ ହାରାହାରି ତିନୋଟି ମାମଲାର ତଦନ୍ତ ଦାୟିତ୍ବ ନେଇଥାନ୍ତି। କିନ୍ତୁ ସାଇବର୍ ଥାନା କଥା ଯଦି ଦେଖାଯାଏ, ଭୁବନେଶ୍ବରେ କମିସନରେଟ୍ ପୁଲିସରେ ପ୍ରତି ମାସରେ ୨୫ରୁ ୩୦ ସାଇବର୍ ମାମଲା ରୁଜୁ ହେଉଛି। କଟକରେ ମାସକରେ ୬ରୁ ୧୦ଟି ମାମଲା ରୁଜୁ ହେଉଛି। କ୍ରାଇମବ୍ରାଞ୍ଚ ସାଇବର୍ ଥାନାରେ ବି ସମାନ ସ୍ଥିତି। ରାଜ୍ୟର ଅନ୍ୟ ୧୨ ସାଇବର୍ ଥାନାଗୁଡ଼ିକରେ ହାରାହାରି ୫ ମାମଲା ରୁଜୁ ହେଉଛି। ଯେହେତୁ ନିୟମ ଅନୁଯାୟୀ ଇନସ୍ପେକ୍ଟର୍‌ କିମ୍ବା ଉପର ପାହ୍ୟାର ଅଧିକାରୀ ଏହି ମାମଲାର ତଦନ୍ତ କରିପାରିବେ ତେଣୁ ଥାନାରେ ଥିବା ଜଣିଏ ମାତ୍ର ଇନସ୍ପେକ୍ଟର୍‌ଙ୍କ ପାଇଁ ସାଇବର୍ ମାମଲାର ତଦନ୍ତ କରିବା ବଡ଼ ଆହ୍ବାନ ସୃଷ୍ଟି ହୋଇଛି।

୨୦୨୨ ବର୍ଷରେ ଓଡ଼ିଶାରେ ମୋଟ ୧୯୮୩ଟି ସାଇବର୍ ଅପରାଧଜନିତ ମାମଲା ପଞ୍ଜୀକରଣ ହୋଇଛି। ଅର୍ଥାତ ମାସିକ ହାରାହାରି ଜଣେ ଇନସ୍ପେକ୍ଟର୍‌ ୧୧ ମାମଲାର ତଦନ୍ତ ଦାୟିତ୍ବ ନେଉଛନ୍ତି। ଯାହାଫଳରେ ଏହା ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରୁଛି। ଚାର୍ଜସିଟ୍ ମାତ୍ର ୧୧.୪ ପ୍ରତିଶତ ମାମଲାରେ ହୋଇଛି। ପୂର୍ବ ବର୍ଷର ମାମଲାକୁ ମିଶାଇଲେ ୨୦୨୨ରେ ୩ ହଜାର ୭୦୫ ମାମଲା ତଦନ୍ତ ପାଇଁ ପଡ଼ିରହିଥିଲା। ଏଭଳି ପରିସ୍ଥିତିରେ ଅଧିକ ତଦନ୍ତକାରୀ ଅଧିକାରୀଙ୍କ ଆବଶ୍ୟକତା ଥିବା ନେଇ ବିଭିନ୍ନ ସମୟରେ ଦାବି ଉଠି ଆସୁଥିଲା। ଏହି ଆଧାରରେ ରାଜ୍ୟ ସରକାର ପଦବି ପୁନର୍ଗଠନ ସମୟରେ ସାଇବର୍ ଥାନା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି। ସାଇବର୍ ଥାନାରେ ଡିଏସ୍‌ପି ବାଦ୍ ଆହୁରି ୩ରୁ ୪ ଜଣ ଲେଖାଏ ଅତିରିକ୍ତ ଇନସ୍ପେକ୍ଟର୍‌ ପଦବି ନିର୍ବାଚନ ପରେ ସୃଷ୍ଟି ହେବାକୁ ଯାଉଛି। ଯାହା ଫଳରେ ତଦନ୍ତକାରୀ ଅଧିକାରୀଙ୍କ ସଂଖ୍ୟା ସାଇବର୍ ଥାନାରେ ବୃଦ୍ଧି କରି ତଦନ୍ତ ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରାଯାଇପାରିବ ବୋଲି କୁହାଯାଉଛି।