ଭୁବନେଶ୍ବର/ନୂଆଦିଲ୍ଲୀ: ଓଡ଼ିଶା ଏବେ ଭୟଙ୍କର ବାତ୍ୟା 'ଫନି'ର ଶିକାର ହେବାକୁ ଯାଉଛି। 'ଫନି' କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ଥଳଭାଗ ଛୁଇଁବ। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲା ଦେଇ ଏହି ବାତ୍ୟା ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାତ୍ୟା ବେଳେ ଓ ପରବର୍ତ୍ତୀ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ଆଦର୍ଶ ଆଚରଣ ବିଧି ଉଲଂଘନ କରିବାକୁ ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିସନରଙ୍କୁ ଭେଟି ଗୁହାରୀ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହିତ ଆସନ୍ତା ମେ ୧୯ ତାରିଖରେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀର ପାଟକୁରା ବିଧାନସଭା ପାଇଁ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ସ୍ମାରକପତ୍ରରେ ଦର୍ଶାଇଛନ୍ତି, 'ଫନି' ବାତ୍ୟାରେ କୌଣସି ଧନଜୀବନ ଯେପରି ହାନି ନହେବ ସେଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ କରିଛନ୍ତି। ଆଇଏମଡି ଓ ୟୁଏସ ନାଭିର ପୂର୍ବାବନୁମାନ ଅନୁଯାୟୀ 'ଫନି' କେନ୍ଦ୍ରାପଡ଼ାରେ ମାଡ଼ ହେବାକୁ ବେଳକୁ ଘଣ୍ଟାୁପ୍ରତି ୨୦୦ କିଲୋମିଟର ବେଗରେ ପବନ ବହିବା ସହ ବେଳେବେଳେ ୨୨୦ ବି ହୋଇପାରେ ପବନ ବହିବ। ସମ୍ପ୍ରତ୍ତି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସରିଥିଲେ ବି ଆଦର୍ଶ ଆଚରଣ ବିଧି ବଳବତ୍ତର ଅଛି। ଏହାଯୋଗୁଁ ବାତ୍ୟାରେ ପ୍ରଭାବିତ ଉପକୂଳ ଜିଲ୍ଲାଗୁଡ଼ିକରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ କରିବାରେ ଅସୁବିଧା ସୃଷ୍ଟି ହେବ। ସେଥିପାଇଁ ସମସ୍ତ ଉପକୂଳ ଜିଲ୍ଲାରୁ ଆଦର୍ଶ ଆଚରଣ ବିଧି ସମ୍ପୂର୍ଣ୍ଣ ଉଠାଇବାକୁ ନିର୍ବାଚନ କମିସନଙ୍କ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି। ଏହାସହିତ ନବୀନ ଆହୁରି ଜଣାଇଛନ୍ତି, 'ଫନି' କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ଥଳଭାଗ ଛୁଇଁବାକୁ ପୂର୍ବାନୁମାନ କରାଯାଇଥିବାବେଳେ ଏହି ଜିଲ୍ଲାରେ ୯୬-ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ଆସନ୍ତା ମେ ୧୯ ତାରିଖରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରାକୃତିକ ଦୁର୍ବିପାକ ପରିଚାଳନା କରିବାରେ ଓଡ଼ିଶାର ସାମର୍ଥ୍ୟ ଥିଲେ ବି ଦୁର୍ବିପାକ ସମୟରେ ଲୋକଙ୍କୁ ସ୍ଥାନାନ୍ତର, ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ବହୁ ଲୋକଙ୍କ ସହଭାଗିତାର ଆବଶ୍ୟକତା ରହିଛି। ଦଳମତ ନିର୍ବିଶେଷରେ ସମସ୍ତଙ୍କ ସହଯୋଗ ଏଭଳି ପରିସ୍ଥିତିରେ ଏକାନ୍ତ କାମ୍ୟ। ମାନବସମ୍ବଳ ସହିତ, ଯନ୍ତ୍ରପାତି, ଖାଦ୍ୟପତ୍ର ବିପନ୍ନଙ୍କ ପାଖରେ ପହଞ୍ଚାଇବାକୁ ଗୋଷ୍ଠୀଗତ ଉଦ୍ୟମ ସମେତ ଯୁବବର୍ଗ, ସ୍ବୟଂସହାୟକ ଗୋଷ୍ଠୀ ଏବଂ ସାଧାରଣଲୋକଙ୍କ ସମ୍ପୃକ୍ତି ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ବାତ୍ୟା ମୁକାବିଲା କରିବାରେ ସାହାସ ଓ ଦମ୍ଭ ଦେବାରେ ସହାୟକ ହେବ। ବିଶେଷକରି ବାତ୍ୟା ସମୟରେ ବୃଦ୍ଧବୃଦ୍ଧା, ଶିଶୁ, ଗର୍ଭବତୀ ମହିଳା, ଦିବ୍ୟାଙ୍ଗଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ବଡ଼ ଆହ୍ବାନ। ଏପରି ଘଡ଼ିସନ୍ଧି ମୂହୁର୍ତ୍ତରେ ଲୋକଙ୍କ ଧନଜୀବନ ରକ୍ଷା କରିବା ହେଉଛି ତାଙ୍କ ସରକାରଙ୍କ ସର୍ବପ୍ରଥମ ପ୍ରାଥମିକତା ବୋଲି ମୁଖ୍ୟ ନିର୍ବାଚନ କମିସନରଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି। ଏଥିପାଇଁ ବାତ୍ୟା 'ଫନି' ରାଜ୍ୟରେ ପହଞ୍ଚିବାକୁ ଆଉ ମାତ୍ର ୭୨ ଘଣ୍ଟା ବାକିଥିବା ବେଳେ ତୁରନ୍ତ ଏହି ନିବେଦନ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଥିଲେ। ଗ୍ରୀଷ୍ମ ଋତୁରେ ଏଭଳି ବାତ୍ୟା ବିରଳ ବୋଲି ମଧ୍ୟ ତାଙ୍କ ସ୍ମାରକ ପତ୍ରରେ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।