ଭୁବନେଶ୍ୱର: ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ଏହି ଆସନରେ ୬ମାସ ମଧ୍ୟରେ ଉପନିର୍ବାଚନ ହେବ। ଏନେଇ କୌଣସି ମୁହୂର୍ତ୍ତରେ ବିଜ୍ଞପ୍ତି ପ୍ରକାଶ ପାଇପାରେ। ଏହାକୁ ନଜରରେ ରଖି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍ ଗୋପାଳନ ନୂଆପଡ଼ା ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସ୍ଏସ୍ଆର୍) କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଯେପରି ସମସ୍ତ ରାଜନୈତିକ ଦଳ ସହଯୋଗ କରିବେ ସେନେଇ ଆଜି ବିଭିନ୍ନ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ ସହ ଆଲୋଚନା କରିଛନ୍ତି।
ଶ୍ରୀ ଗୋପାଳନ କହିଛନ୍ତି ଯେ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଜୁଲାଇ ୧, ୨୦୨୫କୁ ଯୋଗ୍ୟତା ତାରିଖ ରଖି ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଆସନ୍ନ ଉପ-ନିର୍ବାଚନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସ୍ଏସ୍ଆର୍) ଜାରି ହେବ। ତେଣୁ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରି ଏସ୍ଏସ୍ଆର୍ ପ୍ରକ୍ରିୟାକୁ ତୃଣମୂଳସ୍ତରରେ ଅଧିକ କ୍ରିୟାଶୀଳ କରନ୍ତୁ। ବୈଠକରେ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଚିଠା ଭୋଟର ତାଲିକାର ସଫ୍ଟ କପି ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ପ୍ରଦାନ କରାଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକରେ ବିଜେଡି ପକ୍ଷରୁ ଅମର ପଟ୍ଟନାୟକ କହିଥିଲେ ଯେଉଁ ଭୋଟର ତାଲିକା ବିଏଲ୍ଓମାନଙ୍କୁ ଦିଆଯାଉଛି ତା’ର ଆଉ ଏକ କପି ସମସ୍ତ ରାଜନୈତିକ ଦଳକୁ ଦିଅନ୍ତୁ।
ବିଜେପି ପକ୍ଷରୁ ଜୟନ୍ତ କୁମାର ଜେନା କହିଥିଲେ, ଚୂଡ଼ାନ୍ତ ତାଲିକା ପରେ ଉପ ନିର୍ବାଚନ ବେଳକୁ ଯେଉଁମାନେ ୧୮ ବର୍ଷ ହୋଇଯାଇଥିବେ ସେମାନଙ୍କୁ ମଧ୍ୟ ଭୋଟର ତାଲିକାରେ ଯୋଡ଼ାଯାଉ। ଏହାସହ ସ୍ୱଚ୍ଛ ଭୋଟର ତାଲିକା ଜାରି କରାଯାଉ। ସିପିଆଇ, ସିପିଏମ୍ ପକ୍ଷରୁ କୁହାଯାଇଥିଲା ଭୋଟର ତାଲିକା ସଂଶୋଧନ ବେଳେ ଗାଁ ଗାଁରେ ଡେଙ୍ଗୁରା ବଜାଇ ଲୋକଙ୍କୁ ସଚେତନ କରାଯାଉ। ଅଧିକ ଲୋକ ଯେପରି ଏହି ପ୍ରକ୍ରିୟାରେ ସାମିଲ ହେବେ ତାହା ନିଶ୍ଚିତ କରାଯାଉ।