କଟକ: ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍‌. ମୁରଲୀଧର ଅଗଷ୍ଟ ୭ରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି ଭାବେ ସେ ୨୦୨୧, ଜାନୁଆରି ୪‌ରେ ଶପଥ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ଭିତରେ ରାଜ୍ୟର ନ୍ୟାୟିକ ଇତିହାସ ଓ ଐତିହ୍ୟକୁ ସଂରକ୍ଷଣ କରିବାରେ ଓଡ଼ିଶା ହାଇକୋର୍ଟ ଦେଶରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ପ୍ରଥମଥର ପାଇଁ ପେପର୍‌ଲେସ୍ କୋର୍ଟ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ହାଇକୋର୍ଟର ପ୍ରଥମ ପେପର୍‌ଲେସ୍ କୋର୍ଟ ହେଉଛି ମୁଖ୍ୟବିଚାରପତିଙ୍କ କୋର୍ଟ। ଏହାପରେ ହାଇକୋର୍ଟର ଅନ୍ୟ କେତେକ ଖଣ୍ଡପୀଠ ମଧ୍ୟ ପେପର୍‌ଲେସ୍ ହୋଇଛି। ଐତିହାସିକ ଘଟଣାକ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୦ଟି ଭର୍ଚୁଆଲ ହାଇକୋର୍ଟ ପ୍ରତିଷ୍ଠା ହୋଇଥିଲା। ୨୦୨୧, ଏପ୍ରିଲ ୫ରେ ଇ-ଫାଇଲିଂ ୱେବ୍‌ପୋର୍ଟାଲ୍‌ ଆରମ୍ଭ କରାଯାଇଥିଲା। ସେହିଭଳି ମୁଖ୍ୟ ବିଚାରପତିଙ୍କ କୋର୍ଟରେ ହେଉଥିବା ମାମଲା ଶୁଣାଣିର ସିଧା ପ୍ରସାରଣ (ଲାଇଭ୍‌ ଷ୍ଟ୍ରିମିଂ) ହାଇକୋର୍ଟଙ୍କ ଅଫିସିଆଲ୍‌ ୟୁଟ୍ୟୁବ୍‌ ଚାନେଲ୍‌ରେ ୨୦୨୧, ଅଗଷ୍ଟ ୨ରୁ ଆରମ୍ଭ ହୋଇଥିଲା। ହାଇକୋର୍ଟ ପକ୍ଷରୁ ରେକର୍ଡ ସଂରକ୍ଷଣ ପାଇଁ ରେକର୍ଡ ଡିଜିଟାଇଜେସନ୍‌ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ସେଣ୍ଟର୍‌ ଫର୍‌ ଜୁଡିସିଆଲ୍‌ ଆର୍କାଇଭ୍ସ ଓ ମ୍ୟୁଜିୟମ୍‌ ଅଫ୍ ଜଷ୍ଟିସ୍‌ ପ୍ରତିଷ୍ଠା ଏହି କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଥିଲା।

Advertisment

ସୂଚନାଯୋଗ୍ୟ, ୧୯୮୪ରେ ଜଷ୍ଟିସ୍ ମୁରଲୀଧର ଚେନ୍ନାଇରେ ଓକିଲାତି ଆରମ୍ଭ କରିଥିଲେ। ୧୯୮୭ରେ ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟାରମ୍ଭ କରିଥିଲେ। ସେ ସୁପ୍ରିମକୋର୍ଟ ଆଇନସେବା କମିଟି ପକ୍ଷରୁ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରିଥିଲେ। ଭୋପାଳ ଗ୍ୟାସ୍ ଘଟଣାର ପୀଡ଼ିତ ଓ ନର୍ମଦା ଡ୍ୟାମ୍ ବିସ୍ଥାପିତଙ୍କ ସମସ୍ୟା ସଂପର୍କିତ ମାମଲାର ପରିଚାଳନା କରିଥିଲେ।