ରାଉରକେଲା: ହାଇକୋର୍ଟର ମୁଖ୍ୟ ବିଚାରପତି ସୁବାଶୀଷ ତାଳପତ୍ର ଆଜି ଦିନିକିଆ ଗସ୍ତରେ ଆସି ପର୍ବାହ୍ନ ସାଢ଼େ ୯ଟାରେ ରାଉରକେଲା କୋର୍ଟରେ ପହଞ୍ଚିଥିଲେ। ରାଉରକେଲା କୋର୍ଟରୁ ଆବାସି ମାଧ୍ୟମରେ କଟକରେ ଆୟୋଜିତ ରାଜ୍ୟସ୍ତରୀୟ ବାଳଅପରାଧୀ ସମ୍ପର୍କିତ ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ନିଜର ବକ୍ତବ୍ୟ ରଖିଥିଲେ। ତାଙ୍କୁ କୋର୍ଟ ପରିସରରେ ରାଉରକେଲା ଜିଲ୍ଲା ପୁଲିସ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯାଇଥିଲା। ପରେ ମୁଖ୍ୟ ବିଚାରପତି ଶ୍ରୀ ତାଳପତ୍ର, ହାଇକୋର୍ଟର ବିଚାରପତି ଚିତ୍ତରଞ୍ଜନ ଦାସ, ସୁନ୍ଦରଗଡ଼ ଜିଲ୍ଲାଜଜ୍‌ ସୁଭଦର୍ଶୀ ପଟ୍ଟନାୟକ ଓ ଅନ୍ୟ ବିଚାରପତିଙ୍କ ସହ କୋର୍ଟ ପରିସରରେ ନିର୍ମାଣଧୀନ ‌ମଡେଲ କୋର୍ଟ କାର୍ଯ୍ୟ ତଦାରଖ କରିଥିଲେ। ଚାଲିଥିବା କାମ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

Advertisment

ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ. ମନୋଜ କୁମାର ମହାନନ୍ଦଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ କୋର୍ଟ ନିର୍ମାଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶେଷର ମୁଖ୍ୟ ବିଚାରପତି ଶ୍ରୀ ତାଳପତ୍ର ରାଉରକେଲା ବାର୍‌ ଆସ‌ୋସିଏସନ୍‌ର ଆଇନଜୀବୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ରାଉରକେଲା ବାର୍‌ ଉନ୍ନତିକରଣ ପାଇଁ ଆଇନଜୀବୀମାନେ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଥିଲେ। ବରିଷ୍ଠ ଆଇନଜୀବୀ, ସଭାପତି ଓ ସାଧାରଣ ସମ୍ପାଦକ କୋର୍ଟର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟ ବିଚାରପତିଙ୍କୁ ଅବଗତ କରାଇଥିଲେ। ଏହା ପରେ ମୁଖ୍ୟ ବିଚାରପତି ଶ୍ରୀ ତାଳପତ୍ର ବେଦବ୍ୟାସର ଏକ ହୋଟେଲରେ ଆୟୋଜିତ ଦୁଇ ଦିନିଆ ଜାତୀୟ ଟିକସ ସମ୍ମିଳନୀରେ ଯୋଗଦେଇଥିଲେ।