ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହିତ ରାଜ୍ୟର ୧୬୦ଟି ଆଇନଜୀବୀ ସଂଘ ପ୍ରତିନିଧିଙ୍କ ଆଲୋଚନା

ବାର୍-ବେଞ୍ଚ୍ ସମନ୍ବୟ, ତ୍ବରିତ ଶୁଣାଣି ଉପରେ ଗୁରୁତ୍ବାରୋପ

କଟକ : ଏକ ଐତିହାସିକ ଘଟଣାକ୍ରମରେ ଶନିବାର ଦିନ ଗାନ୍ଧୀ ଜୟନ୍ତୀ ଅବସରରେ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ.ମୁରଲୀଧର ଓ ଅନ୍ୟ ବରିଷ୍ଠ ବିଚାରପତିମାନେ ରାଜ୍ୟର ୧୬୦ଟି ବାର୍ ଆସୋସିଏସନ୍‌ର ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ନ୍ୟାୟ ପ୍ରଦାନ ପ୍ରକ୍ରିୟା ସଂପର୍କିତ ବିଭିନ୍ନ ପ୍ରସଂଗରେ ଆଲୋଚନା କରାଯାଇଥିଲା। ମହାମାରୀ ସମେତ ବିଭିନ୍ନ କାରଣରୁ କୋର୍ଟ କାର୍ଯ୍ୟରେ କେତେକ ବାର୍ ଆସୋସିଏସନ୍ ଅଂଶଗ୍ରହଣ ନ କରିବା, ପୁରୁଣା ମାମଲା ଗୁଡିକର ଶୀଘ୍ର ଫଇସଲା, ନିୟମିତ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଂଗ ସହିତ ବାର୍-ବେଞ୍ଚ ସଂପର୍କରେ ଉନ୍ନତି ସଂକ୍ରାନ୍ତରେ ଏହି ବୈଠକରେ ଆଲୋଚନା ହୋଇଥିଲା।

ପ୍ରାୟ ଚାରି ଶହ ଆଇନଜୀବୀ ଓ ସମସ୍ତ ଜିଲ୍ଲାର ଜିଲ୍ଲା ଜଜଙ୍କ ଉପସ୍ଥିତିରେ ମୁଖ୍ୟ ବିଚାରପତି ଉଦବୋଧନ ଦେଇ କହିଥିଲେ ଯେ ଓଡ଼ିଶାର କିମ୍ବଦନ୍ତୀପୁରୁଷ ତଥା ଆଇନପେସାରେ ସବୁ ଠାରୁ ସମ୍ମାନସ୍ପଦ ବ୍ୟକ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନରେ ଦେଶରୁ ସବୁଠାରୁ ଶ୍ରେଷ୍ଠ ବାର୍ ଉତ୍ପନ୍ନ ସୁନିଶ୍ଚିତ କରିବା ଦିଗରେ ଆଇନଜୀବୀମାନେ ଆଗେଇ ଆସନ୍ତୁ। ରାଜ୍ୟର ଅଦାଲତମାନଙ୍କ ଦ୍ବାରସ୍ଥ ହୋଇଥିବା ମହିଳା ଓ ପୁରୁଷ ଯେଭଳି ଭାବେ ଦ୍ବାରରୁ ନ ଫେରିବେ ତାହା ସୁନିଶ୍ଚିତ କରିବା ପାଇଁ ମହାମାରୀ ସମୟରେ ଅଦାଲତ କିଭଳି ଭାବେ ବିପଦର ସମ୍ମୁଖୀନ ହୋଇଥିଲେ ତା ଉପରେ ମୁଖ୍ୟ ବିଚାରପତି ଆଲୋକପାତ କରିଥିଲେ। ବାର୍ ଶ୍ରେଷ୍ଠ ନ ହେଲେ ଅନୁଷ୍ଠାନ କେବେ କାର୍ଯ୍ୟ କରି ପାରିବ ନାହିଁ ବା ଏହାର ପ୍ରକୃତ ଅନ୍ତର୍ନିହିତ ଶକ୍ତିଶାଳୀ ସ୍ଥିତିରେ ପହଞ୍ଚି ପାରିବ ନାହିଁ। ଶକ୍ତିଶାଳୀ ବାର୍ ବିନା ଶକ୍ତିଶାଳୀ ବେଞ୍ଚ୍ ସମ୍ଭବ ନୁହେଁ। ନିର୍ଦ୍ଦିଷ୍ଟ ଭାବେ ବରିଷ୍ଠ ଆଇନଜୀବୀମାନେ ଉଦାହରରଣ ସୃଷ୍ଟି କରି ଅାଗେଇ ନେବାକୁ ମୁଖ୍ୟ ବିଚାରପତି ଆହ୍ବାନ ଦେଇଥିଲେ। ଏହା ଦ୍ବାରା ବରିଷ୍ଠ ଆଇନଜୀବୀଙ୍କ ତତ୍ତ୍ବାବଧାନରେ ପରବର୍ତ୍ତୀ ପିଢିର ଆଇନଜୀବୀମାନେ ସେମାନଙ୍କ ଶ୍ରେଷ୍ଠତ୍ବ ପାଇ ପାରିବେ। କରୋନା ମହାମାରୀ ବହୁ କ୍ଷତି କରିଛି କିନ୍ତୁ ତଥା‌ପି ପରବର୍ତ୍ତୀ ସ୍ଥିତିର ସମ୍ମୁଖୀନ ହେବାକୁ, ଅଭାବୀ ଓ ଉତ୍ପୀଡିତଙ୍କୁ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଜାରି ରଖିବାକୁ, ଭ୍ରାତୃଭାବ ନେଇ ଆମେ ମିଳିତ ଭାବେ ଛିଡା ହୋଇଛୁ ବୋଲି ମୁଖ୍ୟ ବିଚାରପତି କହିଥିଲେ। କରୋନା ଦ୍ବିତୀୟ ଲହର ଜାରି ରହିଥିବା ବେଳେ ଗତ ୮ ମାସ ଭିତରେ ବାର୍‌ର ଅନୁରୋଧ ରକ୍ଷା କରି ହାଇକୋର୍ଟ ପକ୍ଷରୁ ୪୮ଟି ନୂଆ କୋର୍ଟ ଖୋଲା ଯିବା ସହିତ ୧୧ଟି ନୂଆ କୋର୍ଟ କଂପ୍ଲେକ୍ସ ଉଦଘା‌ଟନ କରାଯାଇଛି, ଆଇନଜୀବୀ ଓ ମହକିଲଙ୍କୁ ସେବା ଯୋଗାଇ ଦେବା ପାଇଁ ଆଇସିଟି ଆରମ୍ଭ ହୋଇଛି ବୋଲି ଏହି ଅବସରରେ ମୁଖ୍ୟ ବିଚାରପତି ସୂଚନା ଦେଇଥିଲେ।

ଏହି ଅବସରରେ ଜଷ୍ଟିସ୍ ସି.ଆର.ଦାଶ, ଜଷ୍ଟିସ୍ ବିଶ୍ବଜିତ ମହାନ୍ତି, ଡକ୍ଟର ଜଷ୍ଟିସ୍ ବି.ଆର.ଷଡଙ୍ଗୀ, ଜଷ୍ଟିସ୍ ଦେବବ୍ରତ ଦାଶ ଓ ଜଷ୍ଟିସ ଶତ୍ରୁଘନ ପୂଜାହାରୀ ପ୍ରମୁଖ ନିଜ ବକ୍ତବ୍ୟ ରଖି ଅଧ୍ୟାବସାୟ ବଳରେ ମହକିଲଙ୍କୁ ସେବା ଯୋଗାଇ ଦେବାକୁ ଆଇନଜୀବୀମାନଙ୍କୁ ଆହ୍ବାନ ଦେଇଥିଲେ। ଆଇନଜୀବୀମାନେ କାର୍ଯ୍ୟ ବର୍ଜନ, ଆନ୍ଦୋଳନରୁ ନିବୃତ୍ତ ରହିବା ଉପରେ ବିଚାରପତିମାନେ ଗୁରୁତ୍ବାରୋପ କରିଥିଲେ। ଏହା ଦ୍ବାରା ନାଗରିକଙ୍କ ପ୍ରତି ରହିଥିବା ଅବଶ୍ୟ ପାଳନୀୟ ଦାୟିତ୍ବ ନ୍ୟାୟ ବ୍ୟବସ୍ଥା ପାଳନ କରି ପାରିବ। ସାଧାରଣ ଲୋକଙ୍କ ନ୍ୟାୟ ବ୍ୟବସ୍ଥା ଉପରେ ରହିଥିବା ବିଶ୍ବାସ କ୍ଷୟ ହେବ ନାହିଁ। ଜଷ୍ଟିସ ଶତ୍ରୁଘନ ପୂଜାହାରୀ ବାର୍-ବେଞ୍ଚ ସଂପର୍କ ଉପରେ ଗୁରୁତ୍ବାରୋପ କରିଥିଲେ। ଅନୁଷ୍ଠାନକୁ ଗୌରବାନ୍ବିତ କରିବା ପାଇଁ ବାର୍ ଓ ବେଞ୍ଚ୍ ସମନ୍ବୟ ରକ୍ଷା କରିବା ପାଇଁ ଉଦ୍ୟମ କରିବା ଉଚିତ ବୋଲି ଜଷ୍ଟିସ ପୂଜାହାରୀ ଏହି ଅବସରରେ କହିଥିଲେ। କାର୍ଯ୍ୟବନ୍ଦ ସ୍ଥିତିରେ ପୁଣି କୋର୍ଟ କାର୍ଯ୍ୟରେ ଯୋଗଦେବା, ମାମଲା ଗୁଡିକର ତ୍ବରିତ ଶୁଣାଣି ବିଶେଷ କରି ପୁରୁଣା ମାମଲାର ଶୁଣାଣି ଶେଷ କରିବା ପ୍ରସଂଗରେ ଅଦାଲତଙ୍କୁ ସହଯୋଗ ଦେବା ପ୍ରସଂଗରେ ବାର୍ ପ୍ରତିନିଧିଙ୍କ ସକରାତ୍ମକ ପ୍ରତିଶ୍ରୁତି ସହିତ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର