କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ହରୀଶ ଟଣ୍ଡନ ଶପଥଗ୍ରହଣ କରିଛନ୍ତି। ଆଜି ହାଇକୋର୍ଟ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟି ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରୀଶ ଟଣ୍ଡନଙ୍କୁ ଶପଥପାଠ କରାଇଥିଲେ। ମୁଖ୍ୟ ସଚିବ ମନୋଜ ଆହୁଜା ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ସ˚ପର୍କିତ ଆଦେଶନାମା ପାଠ କରିଥିଲେ। ଆଜି ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ସମସ୍ତ ବିଚାରପତି, ପୂର୍ବତନ ମୁଖ୍ୟ ବିଚାରପତି ଓ ପୂର୍ବତନ ବିଚାରପତି ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଆଡ୍‌ଭୋକେଟ୍‌ ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟ, ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ, ପୁଲିସ ଡିଜି ୱାଇ ବି ଖୁରାନିଆ, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ବିଜୟ କୁମାର ଦାଶଙ୍କ ସହିତ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ। 

Advertisment

ଏଠାରେ ସୂଚନାଯୋଗ୍ୟ ଯେ ଓଡ଼ିଶା ହାଇକୋର୍ଟର ୩୫ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଟଣ୍ଡନ ଆଜି ଶପଥ ଗ୍ରହଣ କରିଛନ୍ତି। ଜଷ୍ଟିସ୍‌ ଟଣ୍ଡନ ୧୯୬୪ ନଭେମ୍ବର ୧୬ରେ ଜନ୍ମଗ୍ରହଣ କରିଥିଲେ। କଲିକତା ବିଶ୍ବବିଦ୍ୟାଳୟରୁ ୧୯୮୯ରେ ଏଲ୍‌ଏଲ୍‌ବି ଡିଗ୍ରି ହାସଲ କରିବା ପରେ କଲିକତା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ସିଟି ସିଭିଲ୍‌ କୋର୍ଟ, ଡିଆର୍‌ଟି ଓ ସୁପ୍ରିମକୋର୍ଟରେ ମଧ୍ୟ ଆଇନଜୀବୀ ଭାବେ ମାମଲା ପରିଚାଳନା କରିଥିଲେ।  ୨୦୧୦ ଏପ୍ରିଲ ୧୩ରେ ତାଙ୍କୁ କଲିକତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ତାଙ୍କ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍‌ ସୁପାରିସ କରିଥିଲେ। ଏହାପରେ ମାର୍ଚ୍ଚ ୨୧ରେ ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।