ପୁରୀ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍ ଭି ରମଣା ଶୁକ୍ରବାର ଓଡ଼ିଶାରେ ପହଞ୍ଚିଛନ୍ତି। ସନ୍ଧ୍ୟା ୭ଟା ୫୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍ ମୂରଲୀଧର, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଡିଜିପି ଅଭୟ ଓ ଅନ୍ୟମାନେ ତାଙ୍କୁ ସ୍ବାଗତ ଜଣାଇଥିଲେ। ଏହାପରେ ସେ ରାତି ପ୍ରାୟ ୯ଟା ସମୟରେ ପୁରୀଠାରେ ପହଞ୍ଚିଛନ୍ତି।
ପୁରୀରେ ୫-ଟି ସଚିବ ଭି କେ ପାଣ୍ଡିଆନ୍, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର, ସାଂସଦ ପିନାକୀ ମିଶ୍ର, ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ। ପୁରୀରେ ପହଞ୍ଚିବା ପରେ ସେ ହୋଟେଲ ମେ’ ଫେୟାରଠାରେ ଅବସ୍ଥାନ କରୁଛନ୍ତି। ପ୍ରଧାନ ବିଚାରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସୂଚନା ଅନୁସାରେ, ପ୍ରଧାନବିଚାରପତି ଜଷ୍ଟିସ୍ ଏନ୍.ଭି. ରମଣା ଆସନ୍ତାକାଲି ସକାଳ ୭ଟା ବେଳେ ମହାପ୍ରଭୁଙ୍କ ଦର୍ଶନ କରିବେ। ଏହାପରେ ସାଢ଼େ ୯ଟା ସମୟରେ କଟକ ଯାତ୍ରା କରିବେ। ପୂର୍ବାହ୍ନ ୧୧ଟାରେ କଟକ ଆଇନ ସେବା ଭବନର ନୂଆ କୋଠା ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ। ଉଦ୍ଘାଟନୀ କାର୍ଯ୍ୟକ୍ରମ ସାରି ଓଡ଼ିଶା ହାଇକୋର୍ଟ ଡିଜିଟାଇଜେସନ୍ ସେଣ୍ଟର ଓ ଏହାର ରେକର୍ଡ ରୁମ୍ ପରିଦର୍ଶନ କରିବେ। ମଧ୍ୟାହ୍ନ ୧୨ଟାରେ କଟକସ୍ଥିତ ଓଡ଼ିଶା ଜୁଡିସିଆଲ୍ ଏକାଡେମି ପରିଦର୍ଶନ କରିବେ। ଅପରାହ୍ନ ୧ଟା ୨୫ରେ ହାଇକୋର୍ଟ ନୂଆ କୋଠାରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ୨ଟା ୩୫ରେ ହାଇକୋର୍ଟରୁ ଭୁବନେଶ୍ବର ମେ’ ଫେୟାର ଅଭିମୁଖେ ଯାତ୍ରା କରିବେ। ହୋଟେଲ ମେ’ ଫେୟାରରେ ବିଶ୍ରାମ ପରେ ସଂଧ୍ୟା ୬ଟାରେ ଭୁବନେଶ୍ବର ବିମାନବନ୍ଦରରୁ ବିମାନ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି କାର୍ଯ୍ୟସୂଚୀରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/chief-justice.jpg)