କଟକ: ଓଡ଼ିଶା ହାଇକୋର୍ଟର ୩୪ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଶପଥ ଗ୍ରହଣ କରିଛନ୍ତି। ଆଜି ହାଇକୋର୍ଟ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କୁ ଶପଥପାଠ କରାଇଛନ୍ତି। ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ସ˚ପର୍କିତ ଆଦେଶନାମା ପାଠ କରିବା ପରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ସମସ୍ତ ବିଚାରପତି, ପୂର୍ବତନ ବିଚାରପତି, ରାଜ୍ୟ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ଗୃହ ରାଜ୍ୟ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଆଡଭୋକେ୍ଟ୍‌ ଜେନେରାଲ ଅଶୋକ କୁମାର ପରିଜା, ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୁଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ, ପୁଲିସ କମିସନର ସଂଜୀବ ପଣ୍ଡା, କେନ୍ଦ୍ରାଞ୍ଚଳ ଆରଡିସି ରଂଜନ କୁମାର ଦାସ, କଟକ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ, ହାଇକୋର୍ଟ ବାର୍ ଆସୋସିଏସନ୍‌ର ସଭାପତି ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହିତ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ।

Advertisment

ମୁଖ୍ୟ ବିଚାରପତି ଜଷ୍ଟିସ ସିଂହ ୧୯୬୩ ଜାନୁଆରି ୨୦ରେ ଜନ୍ମଗ୍ରହଣ କରିଥିଲେ। ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟ (କ୍ୟାମ୍ପସ ଲ ସେଣ୍ଟର)ରୁ ଏଲ.ଏଲ.ବି. ଡିଗ୍ରି ହାସଲ କରିଥିଲେ। ୧୯୯୦ ଅକ୍ଟୋବର ୩୦ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲ ଭାବେ ତାଙ୍କୁ ୧୯୯୮ରେ ନିଯୁକ୍ତି ମିଳିଥିଲା। ସେ ପାଟନା ହାଇକୋର୍ଟର କାଉନସେଲ ଭାବେ ପ୍ୟାନେଲରେ ସ୍ଥାନ ପାଇଥିଲେ। ପାଟନା ହାଇକୋର୍ଟରେ ଆକାଉଣ୍ଟାଣ୍ଟ ଜେନେରାଲ କାର୍ଯ୍ୟାଳୟ ପକ୍ଷରୁ ମାମଲା ପରିଚାଳନା ପାଇଁ ଭାରତର ସିଏଜିଙ୍କ ତରଫରୁ ତାଙ୍କୁ ପ୍ୟାନେଲ୍‌ କାଉନସେଲ ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ପାଟନା ହାଇକୋର୍ଟ ମେଡିଏସନ୍ ସେଣ୍ଟରରେ ମେଡିଏଟର ଭାବେ ନିଯୁକ୍ତି ପାଇଥିଲେ। ୨୦୧୦ ସେପ୍ଟେମ୍ବର ୧୮ରୁ ତାଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ମିଳିଥିଲା। ୨୦୧୦ ଡିସେମ୍ବରରେ ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ୍‌ ଜେନେରାଲ ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ପାଟନା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ୨୦୧୨ ଏପ୍ରିଲ ୫ରେ ସେ ପାଟନା ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କରିଥିଲେ। ୨୦୨୩ ଫେବ୍ରୁଆରି ୬ରେ ତାଙ୍କୁ ପାଟନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ବ ମିଳିଥିଲା। ପାଟନା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟରତ ଥିବା ବେଳେ ଫେବ୍ରୁଆରି ୨ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ତାଙ୍କ ନିଯୁକ୍ତି ସଂପର୍କିତ ବିଜ୍ଞପ୍ତି କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ୩୩ ହୋଇଥିବା ବେ‌ଳେ ଏବେ ମୁଖ୍ୟ ବିଚାରପତିଙ୍କ ସମେତ ମୋଟ ୨୧ଜଣ ବିଚାରପତି ଅଛନ୍ତି।