କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଡକ୍ଟର ଜଷ୍ଟିସ୍ ଏସ. ମୁରଲୀଧର ଆଗାମୀ ୪ ତାରିଖରେ ଶପଥ ଗ୍ରହଣ କରିବେ ବୋଲି ଜଣାଯାଇଛି।

Advertisment

ଡକ୍ଟର ଜଷ୍ଟିସ ଏସ୍. ମୁରଲୀଧର ୧୯୮୪ରେ ଚେନ୍ନାଇରେ ଓକିଲାତି ଆରମ୍ଭ କରିଥିଲେ। ଏହାପରେ ସେ ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ସୁପ୍ରିମକୋର୍ଟ ଆଇନସେବା କମିଟି ପକ୍ଷରୁ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରିଥିଲେ। ଭୋପାଳ ଗ୍ୟାସ୍ ଘଟଣାର ପୀଡ଼ିତ ଓ ନର୍ମଦା ଡ୍ୟାମ୍ ବିସ୍ଥାପିତଙ୍କ ସମସ୍ୟା ସଂପର୍କିତ ମାମଲାର ପରିଚାଳନା କରିଥିଲେ। ବହୁ ଜନସ୍ବାର୍ଥ ଆବେଦନ ଓ ମୃତ୍ୟୁଦଣ୍ଡ ସଂପର୍କିତ ମାମଲାରେ ତାଙ୍କୁ ସୁପ୍ରିମକୋର୍ଟ ଆମିକସ୍ କ୍ୟୁରି ଭାବେ ନିଯୁକ୍ତି ଦେଇଥିଲେ। ସେ ଜାତୀୟ ମାନବାଧିକାର କମିସନ୍ ଓ ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ମଧ୍ୟ ମାମଲା ପରିଚାଳନା କରୁଥିଲେ। ଡିସେମ୍ବର ୨୦୦୨ରୁ ୨୦୦୬ ମେ ପର୍ଯ୍ୟନ୍ତ ସେ ଲ’ କମିସନଙ୍କ ପାର୍ଟ ଟାଇମ୍ ସଦସ୍ୟ ଥିଲେ। ୨୦୦୬, ମେ ୨୯ରେ ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ। ଏହାପରେ ତାଙ୍କର ପଞ୍ଜାବ ଓ ହରିୟାନା ହାଇକୋର୍ଟକୁ ବଦଳି ହୋଇଥିଲା। ୨୦୨୦, ମାର୍ଚ୍ଚ ୬ରେ ସେ ପଞ୍ଜାବ ଓ ହରିୟାନା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡିସେମ୍ବର ୧୪ରେ ଡକ୍ଟର ଜଷ୍ଟିସ ଏସ.ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲିଜିୟମ ସୁପାରିସ କରିଥିଲେ। ସେହିଭଳି ଭାବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି ପାଇଁ ମଧ୍ୟ ସୁପାରିଶ କରାଯାଇଥିଲା। ଜଷ୍ଟିସ ମହମ୍ମଦ ରଫିକ୍ ୨୦୨୦, ଏପ୍ରିଲ ୨୭ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିବା ବେଳେ ପ୍ରାୟ ୮ ମାସ ପରେ ତାଙ୍କର ବଦଳି ନିର୍ଦ୍ଦେଶ ଜାରି କରାଯାଇଥିଲା।