ମହାପ୍ରଭୁଙ୍କ ଦର୍ଶନ କଲେ
ବ୍ଲୁ ଫ୍ଲାଗ ବିଚ୍ ବି ବୁଲି ଦେଖିଲେ
କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇଲେ
ପୁରୀ : ଓଡ଼ିଶା ହାଇକୋର୍ଟ ନବନିଯୁକ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍ ଡ. ଏସ୍. ମୁରଲୀଧର ଶନିବାର ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସାଧାରଣ ଭକ୍ତଙ୍କ ଭଳି କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ସିଂହଦ୍ବାରରେ ପ୍ରବେଶ ପରେ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। ତେବେ ମୁଖ୍ୟ ବିଚାରପତି ସୁରକ୍ଷା ପ୍ରୋଟୋକଲ୍ ଭାଙ୍ଗି ବିନା ପାଇଲଟିଂରେ ଆସି ସିଂହଦ୍ବାରରେ ପହଞ୍ଚିବା ଆଜି ଦିନତମାମ ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି ମୁଖ୍ୟ ବିଚାରପତି କେତେବେଳେ କଟକରୁ ବାହାରିଲେ, କେତେବେଳେ ପୁରୀରେ ପହଞ୍ଚିଲେ, ସବୁକିଛି ଅନ୍ଧାରରେ ରଖାଯାଇଥିଲା। କେବଳ ସିଂହଦ୍ବାରରେ ପହଞ୍ଚିବା ପରେ ପୂର୍ବପ୍ରସ୍ତୁତ ପୁଲିସମାନେ ମୁଖ୍ୟ ବିଚାରପତିଙ୍କୁ କର୍ଡନ କରି ମନ୍ଦିର ଭିତରକୁ ନେଇଥିଲେ। ପୂର୍ବରୁ କେବେ ବି କୌଣସି ମୁଖ୍ୟ ବିଚାରପତି ବିନା ପାଇଲଟିଂରେ ଏଭଳି ଗସ୍ତ କରିଥିବା ଦେଖାଯାଇ ନଥିଲା। ମୁଖ୍ୟ ବିଚାରପତିଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ବତନ୍ତ୍ର ସୁରକ୍ଷା ପ୍ରୋଟୋକଲ୍ ବ୍ୟବସ୍ଥା କରାଯାଇଛି। କୌଣସି ସ୍ଥାନକୁ ଯିବା ପୂର୍ବରୁ ପାଇଲଟିଂ ଗାଡ଼ି ବିଚାରପତିଙ୍କୁ ଏସ୍କର୍ଟ କରି ନେବାର ବ୍ୟବସ୍ଥା ରହିଛି।
ମିଳିଥିବା ସୂଚନା ମୁତାବକ, ଶନିବାର ମୁଖ୍ୟ ବିଚାରପତି ଆସିବା ସଂପର୍କରେ ଶୁକ୍ରବାର ଦିନ ପୁରୀ ପୁଲିସକୁ ପୂର୍ବ ସୂଚନା ମିଳିଥିଲେ ବି କୌଣସି ନିର୍ଦ୍ଦିଷ୍ଟ ସମୟ ଦିଆଯାଇନଥିଲା। ତଥାପି ପୁରୀ ପୁଲିସର ଟିମ୍ ଶନିବାର ପୂର୍ବପ୍ରସ୍ତୁତ ହୋଇ ରହିଥିଲେ। ଉତ୍ତରା ଛକରେ ପୁରୀ ପୁଲିସର ପାଇଲଟିଂ ଗାଡ଼ି ବି ଛିଡ଼ା ହୋଇ ରହିଥିଲା। ସୂଚନା ମିଳିଥିଲେ ଗାଡ଼ିକୁ ଏସକର୍ଟ କରି ନେଇଥାନ୍ତେ। ସିଂହଦ୍ବାରରେ ପହଞ୍ଚିବା ପରେ ଯାଇ ମୁଖ୍ୟ ବିଚାରପତି ପୁରୀ ଆସିଥିବା କଥା ପୁଲିସ ପାଖରେ ଖବର ପହଞ୍ଚିଥିଲା।
ସୂଚନା ମୁତାବକ, ଶନିବାର ଭୋର ପ୍ରାୟ ୫ଟାରୁ ମୁଖ୍ୟ ବିଚାରପତି ଡ. ମୁରଲୀଧର ନିଜ ବ୍ୟକ୍ତିଗତ ଗାଡ଼ିରେ କଟକରୁ ବାହାରି ସକାଳ ପ୍ରାୟ ସାଢ଼େ ୬ଟାରେ ପୁରୀଠାରେ ପହଞ୍ଚି ବ୍ଲୁ ଫ୍ଲାଗ ବିଚ୍ ବୁଲି ଦେଖିଥିଲେ। ସ୍ବତନ୍ତ୍ର ସର୍କିଟ୍ ହାଉସ୍ରେ କିଛି ସମୟ ବିତାଇବା ପରେ ସକାଳ ପ୍ରାୟ ସାଢ଼େ ୮ଟାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ। ପୂର୍ବ ସୂଚନା ପାଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ପ୍ରଶାସନିକ ଅଧିକାରୀ ଶୁଭ୍ରାଂଶୁ ପାଢ଼ୀ ପ୍ରମୁଖ ସିଂହଦ୍ବାରରେ ପହଞ୍ଚି ମୁଖ୍ୟ ବିଚାରପତିଙ୍କୁ ଶ୍ରୀମନ୍ଦିର ନେଇ ଦର୍ଶନ କରାଯାଇଥିଲେ। ଦର୍ଶନ ପାଇଁ ଯିବା ପୂର୍ବରୁ ମୁଖ୍ୟ ବିଚାରପତି ସାଙ୍ଗରେ ଆଣିଥିବା କୋଭିଡ୍ ନେଗେଟିଭ୍ ରିପୋର୍ଟ ସ୍ବତନ୍ତ୍ର କିଓସ୍କରେ ଦେଖାଇଥିଲେ। ଅଧଘଣ୍ଟା ଭିତରେ ମହାପ୍ରଭୁଙ୍କ ଦର୍ଶନ ସାରି ପୁନର୍ବାର ଫେରି ଯାଇଥିଲେ।