ପୁରୀ : କଡା ସୁରକ୍ଷା ବଳୟରେ ଶନିବାର ଦିନ ରତ୍ନସିଂହାସନରେ ବିଜେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ନୂଥାଲପତି ଭେଙ୍କଟ ରମଣା। ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ଜଷ୍ଟିସ୍ ରମଣା ପାରମ୍ପରିକ ପୋଷାକ ଧୋତି ପିନ୍ଧି ସପରିବାର ଶ୍ରୀମନ୍ଦିର ଯାଇ ଭିତରକାଠରୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ସେ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା କରିବା ସହ ବିଭିନ୍ନ ଦେବଦେବୀ ମନ୍ଦିର ଯାଇ ଦର୍ଶନ କରିଛନ୍ତି।
ଶନିବାର ସକାଳ ପ୍ରାୟ ୭ଟା ୫୦ରେ ଜଷ୍ଟିସ ରମଣା ସପରିବାର ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିବା ପରେ ଅରୁଣ ସ୍ତମ୍ଭ ସ୍ପର୍ଶ କରି ଆଶୀର୍ବାଦ ନେଇଥିଲେ। ଅରୁଣ ସ୍ତମ୍ଭ ଥାଳିରେ ଦକ୍ଷିଣା ଦେଇ ବାଇଶି ପାହାଚ, ସାତ ପାହାଚ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ପ୍ରଥମେ ଭିତରକାଠ ନିକଟରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ପରେ ମା’ ବିମଳା , ପ୍ରଭୁ ଶ୍ରୀନୃସିଂହ ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ। ପରେ କୌଳିକ ପଣ୍ଡାଙ୍କ ରେଜିଷ୍ଟରରେ ଦସ୍ତଖତ କରିଥିଲେ। ପୂର୍ବ ବଂଶଧରମାନଙ୍କ ଦସ୍ତଖତ ଦେଖି ଖୁସି ବ୍ୟକ୍ତ କରିବା ସହ କୌଳିକ ପଣ୍ଡାଙ୍କୁ ଦକ୍ଷିଣା ଦେଇଥିଲେ। ଶ୍ରୀମନ୍ଦିରରେ ୪୫ ମିନିଟ ଧରି ଦର୍ଶନ ସାରି ଫେରିବା ପରେ ସିଂହଦ୍ବାର ସମ୍ମୁଖରେ ସର୍ବସାଧାରଣଙ୍କୁ ହାତ ଯୋଡି ନମସ୍କାର କରିଥିଲେ। ସୁପ୍ରିମକୋର୍ଟ ବିଚାରପତି ଥିବା ସମୟରେ ଜଷ୍ଟିସ ରମଣା ୨୦୨୦ ମସିହାରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିଲେ। ଆଜି ଦ୍ୱିତୀୟ ଥର ଆସି ପ୍ରଭୁଙ୍କ ଆଶୀର୍ବାଦ ନେଇ ଖୁସିବ୍ୟକ୍ତ କରିଛନ୍ତି ।
ଶନିବାର ଦିନ ପ୍ରଧାନ ବିଚାରପତିଙ୍କ ସହ ଓଡିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ସୁପ୍ରିମକୋର୍ଟ ବିଚାରପତି ଭିନିତ ଶରଣଙ୍କ ସହ ୪ଜଣ ବିଚାରପତି ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶୁକ୍ରବାର ରାତି ପ୍ରାୟ ସାଢ଼େ ୯ଟାରେ ପୁରୀରେ ପହଞ୍ଚିବା ପରେ ଶ୍ରୀ ରମଣା ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉନ୍ନୟନ କାର୍ଯ୍ୟ ବୁଲି ଦେଖିଥିଲେ। ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ ପାଇଁ ୭୫ମିଟର ମଧ୍ୟରେ ଚାଲିଥିବା ଉଚ୍ଛେଦ ସ୍ଥଳ ଅନୁଧ୍ୟାନ କରିଥିଲେ। ହୋଟେଲ ମେ ଫେୟାରରେ ରାତ୍ରି ରହଣୀ ପରେ ଆଜି ସକାଳେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସିଂହଦ୍ବାର ନିକଟରେ ପହଞ୍ଚିବା ପରେ ୫-ଟି ସଚିବ ଭି କେ ପଣ୍ଡିଆନ, ଶ୍ରୀମନ୍ଦିର ପ୍ରଶାସନ ଡ. କ୍ରିଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି ଡ. କେ ବିଶାଳ ସିଂହ ପ୍ରମୁଖ ପୁଷ୍ପଗୁଚ୍ଛ ଓ ଗୀତ ଗୋବିନ୍ଦ ଖଣ୍ଡୁଆ ଦେଇ ଜଷ୍ଟିସ ରମଣାଙ୍କୁ ସ୍ୱାଗତ ଜଣାଇଥିଲେ। ପ୍ରଧାନ ବିଚାରପତିଙ୍କ ଦର୍ଶନ ସମୟରେ ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପଟ୍ଟଯୋଶୀ ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ପ୍ରଧାନ ବିଚାରପତିଙ୍କ କୌଳିକ ପଣ୍ଡା ରଜତ ପ୍ରତିହାରୀ ପ୍ରମୁଖ ଉପସ୍ଥିତ ଥିଲେ। ଦର୍ଶନ ସାରି ଜଷ୍ଟିସ ରମଣା ହୋଟେଲ ମେ ଫେୟାରରେ କିଛି ସମୟର ରହଣୀ ପରେ କଟକ ଗସ୍ତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/chief-justice-1.jpg)