ମୌସୁମୀ ଅଧିବେଶନ ପୂର୍ବରୁ ସାଂସଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ‘ସଂସଦରେ ଓଡ଼ିଶାର ସ୍ବାର୍ଥ ‌ସମ୍ବଳିତ ପ୍ରସଙ୍ଗ ଉଠାଅ’

ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ସଂସଦରେ ମହିଳାଙ୍କୁ ୩୩% ସଂରକ୍ଷଣ, ଏମ୍‌ଏସ୍‌ପି ବୃଦ୍ଧି ଭଳି ପ୍ରସଙ୍ଗ ଉଠିବ

ଭୁବନେଶ୍ବର : ଆସନ୍ତା ୧୮ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏଥିରେ ଓଡ଼ିଆ ସାଂସଦ ଯେପରି ରାଜ୍ୟର ସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉଠାଇବେ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡିର ସାଂସଦମାନଙ୍କୁ ଭର୍ଚୁଆଲ ମୋଡରେ ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ସାଂସଦମାନଙ୍କୁ କହିଛନ୍ତି ଯେ ଆମେ ରେଲୱେ, ବ୍ୟାଙ୍କିଂ, ଟେଲି ସାନ୍ଧ୍ରତା, କୋଇଲା ରୟାଲଟି, କୋଷ୍ଟାଲ ହାଇୱେ ନିର୍ମାଣ, ସ୍ବଚ୍ଛ ଶକ୍ତି ‌େସସ୍ ଆଦି କ୍ଷେତ୍ରରେ ଆମେ ଅବହେଳିତ ହୋଇଛୁ। ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ଏହି ପ୍ରସଙ୍ଗଗୁଡ଼ିକ ସଂସଦରେ ଉଠିବା ଦରକାର।

ସେହିପରି ଓଡ଼ିଶାରେ ଦୀର୍ଘ ଦିନ ହେଲା ପଡ଼ି ରହିଥିବା ରେଳ ପ୍ରକଳ୍ପଗୁଡ଼ିକୁ ଗତିଶୀଳ କରିବ, ଆମ ଚାଷୀଙ୍କ ସ୍ବାର୍ଥ ପାଇଁ ସ୍ବାମୀନାଥନ୍‌ କମିଟି ସୁପାରିଶ ଅନୁଯାୟୀ ଧାନର ଏମ୍‌ଏସ୍‌ପି ମୂଲ୍ୟ ପ୍ରଦାନ କରିବା, ଉଭୟ ବିଧାନସଭା ଓ ସଂସଦରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେବା, ଓଡ଼ିଶା ବିଧାନ ପରିଷଦ ଗଠନ କରିବା, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବା, ସମ୍ବିଧାନର ୮ମ ଅନୁଚ୍ଛେଦରେ ‘ହୋ’ ଭାଷାକୁ ସାମିଲ୍‌ କରିବା ନେଇ ଆମର ଦିଆଯାଇଥିବା ପ୍ରସ୍ତାବଗୁଡ଼ିକୁ ସଂସଦରେ ଉଠାଇବାକୁ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମେ ୩୦ରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସମୟରେ ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲି ଏବଂ ସେହି ସବୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଥିଲି। ତେଣୁ ଉକ୍ତ ପ୍ରସଙ୍ଗଗୁଡ଼ିକୁ ଉଠାଇବା ସହ ଏହାର ଅଗ୍ରଗତି ନେଇ ବିଭିନ୍ନ ମନ୍ତ୍ରଣାଳୟ ସହ ସମ୍ପର୍କରେ ରହିବ। ଯେପରି ଏହା ଶୀଘ୍ର ଏବଂ ଧାର୍ଯ୍ୟ ସମୟରେ ଶେଷ ହେବ।

ଏହାସହ ନିକଟରେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ରାଜ୍ୟରେ ପଡିରହିଥିବା ଅତିରିକ୍ତ ୫ ଲକ୍ଷ ମେଟ୍ରିକ ବଳକା ଉଷୁନା ଚାଉଳ ଉଠାଇବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଫନି ପ୍ରଭାବିତ ଜିଲ୍ଲାଗୁଡିକରେ ୧.୮୪ ଲକ୍ଷ ଘର ଯୋଗାଇବା ପ୍ରସ୍ତାବକୁ ମଞ୍ଜୁରୀ, ଜିଲ୍ଲା ଖଣିଜ ପାଣ୍ଠି ଟ୍ରଷ୍ଟକୁ ୨୦୨୨-୨୩ ଆୟକର ସ୍ଲାବରୁ ବାଦ୍ ଦେବା, ୫୮% ଗ୍ରେଡ୍‌ରୁ କମ୍‌ ଖଣି ଏବଂ ପେଲେଟ୍ ଉପରୁ ରତ୍ପାନି ଶୁଳ୍କ ଛାଡ଼ କରିବା ଭଳି ଦାବି କରିଥିଲି। ଏନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଉପରେ ନଜର ରଖିବାକୁ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାଂସଦମାନଙ୍କୁ କହିଥିଲେ ଯେ,ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟକୁ ଯିବା ପାଇଁ ମନୋନୀତ ହୋଇଛନ୍ତି। ଏହା ଆମ ରାଜ୍ୟ ପାଇଁ ଗର୍ବ ଓ ‌ଗୌରବର ବିଷୟ। ଓଡ଼ିଶାବାସୀ ଏବଂ ବିଜେଡି ତରଫରୁ ଆମେ ୧୮ତାରିଖ ନିର୍ବାଚନ‌ନରେ ତାଙ୍କ ପ୍ରାର୍ଥିତ୍ବକୁ ପୂର୍ଣ୍ଣ ସମର୍ଥନ ଦେବା।

ସମ୍ବନ୍ଧିତ ଖବର