ଭୁବନେଶ୍ବର: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଖୁବଶୀଘ୍ର ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯାଉ। ଏ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପୁଣି ଚିଠି ଲେଖିଛନ୍ତି। ଚିଠିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ପୂର୍ବରୁ କେନ୍ଦ୍ରକୁ ୨୦୧୩ ମସିହା ସେପ୍ଟେମ୍ବର ୨୮ ତାରିଖ,୨୦୧୪ ଫେବ୍ରୁଆରି ୧୩ ଓ ୨୦୧୮ ମସିହା ସେପ୍ଟେମ୍ବର ୫ ତାରିଖରେ ତିନୋଟି ଚିଠି ଲେଖିସାରିଛନ୍ତି। ଅଥଚ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇନଥିବା ନେଇ ସିଧାସଳଖ ନକହିଲେ ବି ଏ ଦିଗରେ କେନ୍ଦ୍ର ସରକାରଙ୍କ ସ୍ଥାଣୁତା ନେଇ ଇସାରା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଏହି ଦୁଇ ଅଞ୍ଚଳରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବା ଦାବିରେ ବହୁ ଦିନରୁ ସ୍ଥାନୀୟ ଲୋେକ ଦାବି କରିଆସୁଛନ୍ତି। ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଲଗାତାର ଭାବେ ଦୀର୍ଘ ଦିନ ଧରି ଏସବୁ ଅଞ୍ଚଳରେ ଆନ୍ଦୋଳନ ଯୋଗୁଁ କୋର୍ଟ କାମ ପ୍ରଭାବିତ ହେବା ସହ ସରକାରୀ କାର୍ଯ୍ୟାଳୟ ମଧ୍ୟ ଚାଲିପାରୁନି। ଆଉ ସେସବୁ ଅଞ୍ଚଳର ଲୋକଙ୍କ ଦାବି ଯୁକ୍ତିଯୁକ୍ତ ବୋଲି ଚଠିରେ ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ। ସୁପ୍ରିମକୋର୍ଟଙ୍କ ଏକାଧିକ ରାୟ ଓ ଜଷ୍ଟିସ ଯଶବନ୍ତ ସିଂ କମିସନଙ୍କ ସୁପାରିସ ଆଧାରରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ସବୁ ଦିଗ ପ୍ରତି ଅବଗତ ଅଛନ୍ତି। ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କେଉଁଠି କରାଯିବ ଏ ନିଷ୍ପତ୍ତି ନେବାର କ୍ଷମତା କେବଳ କେନ୍ଦ୍ର ସରକାରଙ୍କ ପାଖରେ ଅଛି। ଏ ଦିଗରେ କେନ୍ଦ୍ର ସରକାରଙ୍କୁ ସହଯୋଗ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଲୋକଙ୍କ ଏହି ଦାବିକୁ ଗୁରୁତ୍ବ ଦେଇ ଯଥାଶୀଘ୍ର କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ଚିଠିରେ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ସମସ୍ତ ସୁବିଧା ଯୋଗାଇଦେବା ନେଇ ପ୍ରତିଶ୍ରୁତି
ବେଞ୍ଚ କେଉଁଠି ପ୍ରତିଷ୍ଠା ହେବ ତାହା କେନ୍ଦ୍ର ସ୍ଥିର କରୁ
‘ମୁଖ୍ୟମନ୍ତ୍ରୀଙ୍କ ଚିଠି ଡଷ୍ଟବିନକୁ ଫିଙ୍ଗିଦେବା ସହ ସମାନ’
ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ନେଇ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ଡଷ୍ଟବିନଙ୍କୁ ଫିଙ୍ଗି ଦେବା ସହ ସମାନ ଅଟେ। ଯେଉଁ ୫ ପ୍ରଶ୍ନର ଉତ୍ତର ସହିତ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଥିଲା। ସେଥିରୁ ଗୋଟିଏ ପ୍ରଶ୍ନର ଉତ୍ତର ମଧ୍ୟ ରାଜ୍ୟ ସରକାର ଦେଇ ନାହାନ୍ତି। ବରଂ ଏଥରର ଚତୁର୍ଥ ଚିଠି ପୁରୁଣା ୩ ଚିଠିର ପୁନରାବୃତ୍ତି ବୋଲି କହିଛନ୍ତି ସମ୍ବଲପୁର ଓକିଲ ସଂଘ ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ।
ମୁଖ୍ୟମନ୍ତ୍ରୀ ଭୁଆଁ ବୁଲାଉଛନ୍ତି: ସୁରେଶ ପୂଜାରୀ
ଭୁବନେଶ୍ବର: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ଲେଖିବା ନେଇ ପ୍ରତିକ୍ରିୟା ରଖିଛି ବିଜେପି। ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ କହିଛନ୍ତି, ହାଇକୋର୍ଟ ବେଞ୍ଚ କେଉଁଠି ପ୍ରତିଷ୍ଠା ହେବ ପୂର୍ବରୁ ଲେଖିଥିବା ଚିଠିରେ ଉଲ୍ଲେଖ କରିନଥିଲେ ମୁଖ୍ୟମନ୍ତ୍ରୀ। ବେଞ୍ଚ ପ୍ରତିଷ୍ଠା ନେଇ ସ୍ଥାନ କେବଳ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଏପରି ଚିଠି ଲେଖିଛନ୍ତି। ତୁରନ୍ତ କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବାକୁ ପୂଜାରୀ ପରାମର୍ଶ ଦେଇଛନ୍ତି।
ମୁଖ୍ୟ ବିଚାରପତିଙ୍କୁ ଭେଟିଲେ ପ୍ରତିନିଧି ଦଳ
କଟକ: ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ପ୍ରସଂଗକୁ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଆଜିି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀଙ୍କୁ ସାକ୍ଷାତ କରିଛନ୍ତି। ଆଜି ଅପରାହ୍ନରେ କମିଟିର ଏକ ପ୍ରତିନିଧି ମଣ୍ଡଳୀ ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଏ ପ୍ରସଂଗରେ ମୁଖ୍ୟ ବିଚାରପତିଙ୍କ ସହିତ ଆଲୋଚନା କରାଯାଇଛି ବୋଲି କମିଟି ସଦସ୍ୟମାନେ କହିଛନ୍ତି