ଆଜି ମୁଖ୍ୟମନ୍ତ୍ରୀ, ୩ କେନ୍ଦ୍ରମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ; ବିଜେଡି-ବିଜେପି ମୁହାଁମୁହିଁ

ଅନୁଗୁଳ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୩ଜଣ କେନ୍ଦ୍ରମନ୍ତ୍ରୀ ଅନୁଗୁଳ ଜିଲ୍ଲାରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ଆସୁଥିଲେ ମଧ୍ୟ ଏହାକୁ ନେଇ ସ୍ଥାନୀୟ ରାଜନୀତି ସରଗରମ ହୋଇଉଠିଛି। ଉଭୟ ବିଜେଡି ଓ ବିଜେପି ମୁହଁାମୁହିଁ ହୋଇଛନ୍ତି। ବିଶେଷକରି, ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ପାନୀୟ ଜଳ ପ୍ରକଳ୍ପ ପ୍ରସଙ୍ଗ ନିଜ ନିଜର ସରକାରଙ୍କ ପଦକ୍ଷେପ ସମ୍ପର୍କରେ ମତ ରଖିବାପାଇଁ ପଛେଇ ନାହାନ୍ତି।

ଅନୁଗୁଳ, ବଅଁରପାଳ ମେଗା ପାନୀୟ ଜଳପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୩୫୮ କୋଟି: ବିଜେଡି
କେନ୍ଦ୍ରୀୟ ସହାୟତାରେ ବି ଏହି ୨ ବ୍ଲକ୍‌ ପ୍ରକଳ୍ପ ଅନ୍ତର୍ଭୁକ୍ତ: ବିଜେପି

ବିଜେଡି ପକ୍ଷରୁ ପ୍ରଥମେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଦଳର ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ପର୍ଯ୍ୟବେକ୍ଷକ ପ୍ରଶାନ୍ତ ମୁଦୁଲି, ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ, ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକି‌ଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ପ୍ରମୁଖ ଉପସ୍ଥିତ ରହି କହିଥିଲେ, ଅନୁଗୁଳ ଓ ବଅଁରପାଳ ବ୍ଲକ୍‌ର ଲୋକମାନଙ୍କ ପାନୀୟ ଜଳ ସୁବିଧା ପାଇଁ ଦୁଇଟି ମେଗା ପ୍ରକଳ୍ପ ପ୍ରତିଷ୍ଠା ହେବ। ଏହାଦ୍ବାରା ଅନୁଗୁଳର ୧ ଲକ୍ଷ ୬୬ ହଜାର ଓ ବଅଁରପାଳର ୭୦ ହଜାର ଲୋକ ଉପକୃତ ହେବେ। ଉଭୟ ପ୍ରକଳ୍ପ ପାଇଁ ସମୁଦାୟ ୩୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ୨୪ ମାସ ଭିତରେ ଉଭୟ ପ୍ରକଳ୍ପ ଶେଷ କରାଯାଇ ଲୋକଙ୍କୁ ପାଣି ଯୋଗାଇ ଦିଆଯିବ।

ଏହାପରେ ବି‌ଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଦଳର ଜିଲ୍ଲା ସଭାପତି ଡିଲେଶ୍ବର ପ୍ରଧାନ ଏଥିରେ ଅଧ୍ୟକ୍ଷତା କରି କହିଥିଲେ, ନରେନ୍ଦ୍ର ମୋଦୀ ସରକାର ଜଳ ଜୀବନ ମିସନ ଯୋଜନାରେ ସବୁ ଘରକୁ ପାଇପ୍ ଯୋଗେ ସ୍ୱଚ୍ଛ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ୩୬୦୮ କୋଟି ଟଙ୍କା ଆମ ରାଜ୍ୟ ଓଡ଼ିଶାକୁ ଅଦ୍ୟାବଧି ଦେଇଛନ୍ତି। ୨୦୨୪ ସୁଦ୍ଧା ସବୁ ଘରକୁ ପାଇପ୍ ଯୋଗେ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ, ଅନୁଗୁଳ ଜିଲ୍ଲାରେ ଏହାକୁ ଠିକ୍‌ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ। ଅନୁଗୁଳ ଓ ବଅଁରପାଳ ବ୍ଲକ୍‌ ମଧ୍ୟ ଏଥିରେ ସାମିଲ ଥିବା କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ବରିଷ୍ଠ ନେତା କାଳନ୍ଦୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହିତ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ପ୍ରହଲ୍ଲାଦ ଯୋଶୀ ଅନୁଗୁଳ ଗସ୍ତରେ ଆସୁଛନ୍ତି।

ସମ୍ବନ୍ଧିତ ଖବର