ବନ୍ୟାଞ୍ଚଳ ପରିଦର୍ଶନ ପରେ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ୫୦ କେଜି ଚାଉଳ, ୫୦୦ଟଙ୍କା

୧୫ ଦିନରେ ଘରଭଙ୍ଗା କ୍ଷତି ଆକଳନ, ପରବର୍ତ୍ତୀ ସପ୍ତାହରେ ସହାୟତା

ଭୁବନେଶ୍ୱର : ଆଶ୍ରୟସ୍ଥଳରେ ଥିବା ପର୍ଯ୍ୟନ୍ତ ସମସ୍ତଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ। ଗୁରୁତର କ୍ଷତିଗ୍ରସ୍ତ/ଜଳମଗ୍ନ ଗ୍ରାମର ପରିବାରବର୍ଗରୁ ୫୦ କେଜି ଚାଉଳ ଓ ୫୦୦ ଟଙ୍କା ତୁରନ୍ତ ସହାୟତା ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଫେରିବା ପରେ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ବନ୍ୟାସ୍ଥିତି ଅନୁଧ୍ୟାନ କରି ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇଥିଲେ, ଯେଉଁଥିରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ସମୀକ୍ଷାରୁ ଜଣାଯାଇଥିଲା ଯେ ସାଂପ୍ରତିକ ବନ୍ୟାରେ ରାଜ୍ୟର ୨୦ଟି ଜିଲ୍ଲାର ୧୧୦ ବ୍ଲକ୍‌, ୩୯୯୦ଟି ଗାଁ ଏବଂ ୨୧ଟି ପୌରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ୩୬ଟି ଛୋଟ ଓ ଗୋଟିଏ ବଡ ଘାଇ ହୋଇଛି। ହୀରାକୁଦରେ ଜଳପ୍ରବାହ କମିଥିବାରୁ ପରିସ୍ଥିତିରେ ଖୁବଶୀଘ୍ର ଉନ୍ନତି ଆସିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାଂପ୍ରତିକ ବନ୍ୟାରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଅନେକ ଗାଁରେ ବନ୍ୟା ଜଳ ପଶିଯାଇଛି ଓ ଚାଷଜମି ଜଳମଗ୍ନ ଅବସ୍ଥାରେ ଅଛି। ଘର ଓ ରାସ୍ତା ଭାଙ୍ଗିଛି ଏବଂ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଅନେକ ଛୋଟ ବନ୍ଧ ଭାଙ୍ଗିଛି ଏବଂ ସରକାରୀ ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଲୋକଙ୍କ ଏହି ବିପତ୍ତି ସମୟରେ ଓଡ୍ରାଫ, ଏନ୍‌ଡିଆରଏଫ୍, ଅଗ୍ନିଶମ, ସ୍ଥାନୀୟ ନାଉରିଆ ଓ ସ୍ଥାନୀୟ ଅଞ୍ଚଳବାସୀ ଯେପରି ସାହସ ଓ ପ୍ରତିବଦ୍ଧତାର ସହ ଲୋକଙ୍କୁ ସେବା ଯୋଗାଉଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚପ୍ରଶଂସା କରିଥିଲେ। ଅଫିସରମାନଙ୍କୁ ନିର୍ଦେଶ ଦେଇଥିଲେ ଯେ ଲୋକଙ୍କ କଷ୍ଟ ଲାଘବ ସହ କ୍ଷତି ହ୍ରାସ କରିବା ଏବଂ ରାସ୍ତା, ଯୋଗାଯୋଗ, ବିଦ୍ୟୁତ ସରବରାହ ପୁନଃ ପ୍ରତିଷ୍ଠା ଏବଂ ବନ୍ଧବାଡର ମରାମତି କ୍ଷେତ୍ରରେ ତ୍ବରିତ ପଦକ୍ଷେପ ନିଅ।

ମୁଖ୍ୟମନ୍ତ୍ରୀ କହିଥିଲେ ଆମେ ବର୍ତ୍ତମାନ ଏକ କଠିନ ପରିସ୍ଥିତିରେ ଗତି କରୁଛୁ। ବନ୍ୟା ଓ କରୋନା ଦୁଇଟି ବିପଦକୁ ଆମେ ମୁକାବିଲା କରୁଛୁ। ଏହି ପରିପ୍ରେକ୍ଷୀରେ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମ ପାଳନ କରି କରୋନା ସଂକ୍ରମଣରୁ ଦୂରେଇ ରହିବା ଦରକାର। ବନ୍ୟାଦୁର୍ଗତ ମାନେ ଏନେଇ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ସମସ୍ତଙ୍କ ସହଯୋଗରେ ଏହି କଠିନ ପରିସ୍ଥିତିରୁ ଆମେ ଶୀଘ୍ର ମୁକୁଳି ପାରିବା ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଜରୁରୀ ସହାୟତା ଘୋଷଣା କରିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଘର ଭାଙ୍ଗିଥିବା ପ୍ରତି ଯୋଗ୍ୟ ପରିବାରକୁ ଗୋଟିଏ ପଲିଥିନ ସିଟ୍ ଯୋଗାଇ ଦିଆଯିବ। ବିପର୍ଯ୍ୟୟ ମୁକାବିଲା ନିୟମ ଅନୁଯାୟୀ ଘରଭଙ୍ଗା ସହାୟତା ଦିଆଯିବ। ୧୫ ଦିନ ଭିତରେ ଜିଲ୍ଲାପାଳ ଘରଭଙ୍ଗା କ୍ଷୟକ୍ଷତି ଆକଳନ କରିବେ ଏବଂ ପରବର୍ତ୍ତୀ ଏକ ସପ୍ତାହରେ ସହାୟତା ପ୍ରଦାନ କରାଯିବ। କ୍ଷତିଗ୍ରସ୍ତକୁ ଲୁଗାପଟା ଓ ବାସନକୁସନ ଦିଆଯିବ। ସେହିଭଳି ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ସହାୟତା ପ୍ରଦାନ କରାଯିବ। କ୍ଷତିଗ୍ରସ୍ତ ଅଞ୍ଚଳରେ ପଶୁପକ୍ଷୀଙ୍କୁ ମାଗଣାରେ ଚିକିତ୍ସା ଓ ଟିକାକରଣ ସୁବିଧା ମିଳବ ଏବଂ ମାଗଣାରେ ପଶୁ ଚିକିତ୍ସା ଶିବିର ଖୋଲାଯାଇ ପଶୁପକ୍ଷୀଙ୍କ ଚିକିତ୍ସା କରାଯିବ।

ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିସନର ଏବଂ ଜଳସଂପଦ ବିଭାଗର ପ୍ରମୁଖ ସଚିବ ବନ୍ୟା ପରିସ୍ଥିତି, ଉଦ୍ଧାର ଓ ସହାୟତା ଏବଂ ବନ୍ଧବାଡର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଉପସ୍ଥାପନା କରିଥିଲେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର