ବାଲେଶ୍ୱର /ବାହାନଗା: ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଛନ୍ତି। ତାଙ୍କ ସହ ୫ଟି ସଚିବ ଭି କେ ପାଣ୍ଡିଆନ୍ ମଧ୍ୟ ଦୁର୍ଘଟଣାସ୍ଥଳକୁ ଯାଇଛନ୍ତି। ଏହାଛଡ଼ା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଘଟଣାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉଦ୍ଧାର କାର୍ଯ୍ୟ ଓ ଗୁରୁତର ଯାତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହାପରେ ସେ ବାଲେଶ୍ୱର ମେଡିକାଲ କଲେଜକୁ ଯାଇ ଆହତଙ୍କୁ ଭେଟିଛନ୍ତି ଓ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ଲୋକଙ୍କୁ ପ୍ରଶଂସା କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ରେ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ଯେଉଁଭଳି ଭାବେ ନିଃସ୍ବାର୍ଥ ଭାବେ ସହଯୋଗ କରିଛନ୍ତି, ଏହାକୁ ଭୁଲି ହେବ ନାହିଁ।
ଶୂକ୍ରବାର କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହେଲା ପରେ ଯାତ୍ରୀମାନଙ୍କୁ ଉଦ୍ଧାର ସହ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍କାଳ ପଦକ୍ଷେପ ନିଆଯାଇଛି। ରାତିରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ରିଲିଫ୍ କମିସନର୍ଙ୍କ କାର୍ଯ୍ୟାଳୟର କଣ୍ଟ୍ରୋଲ୍ ରୁମ୍କୁ ଯାଇ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ସେଠାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବାଲେଶ୍ବର ଜିଲ୍ଲାପାଳଙ୍କ ସହ କଥା ହୋଇ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିବାକୁ କହିଥିଲେ। ରାଜ୍ୟ ପ୍ରଶାସନ ପକ୍ଷରୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯାଉଛି ବୋଲି ସେ କହିଥିଲେ। ସେଠାରେ ମୁଖ୍ୟ ଶାସନ ସଚିବ ପି କେ ଜେନା ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଶନିବାର ସକାଳେ ନିଜେ ଦୁର୍ଘଟଣାସ୍ଥଳକୁ ଯିବେ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏବେ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ପ୍ରାଥମିକତା ଦିଆଯାଉଛି ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ହାୱଡା ଯାଉଥିବା ଯଶୋବନ୍ତପୁର ସୁପରଫାଷ୍ଟ ଟ୍ରେନର ଦୁଇଟି ବଗି ଲାଇନ୍ଚ୍ୟୁତ ହେବାର କିଛି ସମୟ ମଧ୍ୟରେ ହାୱଡ଼ାରୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ତା’ ଉପରେ ଚଢ଼ିଯିବାରୁ ୧୭ଟି ବଗି ଓଲଟି ପଡ଼ିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨୩୩ ଜଣ ଯାୁତ୍ରୀ ପ୍ରାଣ ହରାଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଟ୍ରେନ ବଗିରେ ଏବେ ବି ଅନେକ ସଂଖ୍ୟାରେ ଯାତ୍ରୀ ଚାପି ହୋଇ ରହିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ୨୫୦ ଟପିବାର ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକେ ଦେବଦୂତ ସାଜି ଅନେକ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ଦୁଇଟି ଏକ୍ସପ୍ରେସ ଟ୍ରେନ ସହିତ ଏକ ମାଲଗାଡ଼ି ମଧ୍ୟ ଏହି ଦୁର୍ଘଟଣାରେ ସଂପୃକ୍ତ ରହିଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ରେଳ ମନ୍ତ୍ରୀଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି।
ସୂଚନା ଅନୁଯାୟୀ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଡାଉନ୍ ଲାଇନ୍ରେ ବାଙ୍ଗାଲୁରୁରୁ ହାୱଡ଼ା ଯାଉଥିବା ଯଶୋବନ୍ତପୁର-ହାୱଡା ସୁପରଫାଷ୍ଟ ଟ୍ରେନ୍ (ନଂ ୧୨୮୬୪)ର ୨ଟି ବଗି ବାହାନଗା ଷ୍ଟେସନ୍ ଉତ୍ତର କ୍ୟାବିନ୍ ନିକଟରେ ଲାଇନ୍ଚ୍ୟୁତ ହୋଇଥିଲା। ଏହି ସମୟରେ ଅପ୍ ଲାଇନରେ ଆସୁଥିବା ଶାଲିମାର
ହାୱାଡା-ଚେନ୍ନାଇ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ (ଟ୍ରେନ ନଂ ୧୨୮୪୧) ସହ ଧକ୍କା ହୋଇ ତା’ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ କରମଣ୍ଡଳ ଟ୍ରେନ୍ର ୫ଟି ବଗି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିବା ବେଳେ ୧୪ରୁ ଅଧିକ ବଗି ଲାଇନ୍ରୁ ଖସି ପାଖ ଟ୍ରାକ୍ରେ ଥିବା ଯଶୋବନ୍ତପୁର ଟ୍ରେନ୍ ବଗି ଉପରେ ଚଢ଼ିଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/CM-Naveen-Reaches-in-Spot_Bahanga-Train-Accident_Thumbnail.jpg)