ବିଜେପୁରରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ବରଗଡ଼ର ବିଜେପୁରଠାରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଏଥିସହ ୨୯୮କୋଟିର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ, ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ୫-ଟି ସଚିବ ଭି କେ ପାଣ୍ଡିଆନ୍ ପ୍ରମୁଖ ଯୋଗ ଦେଇଛନ୍ତି। ତେବେ ଏଥିରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇନାହାନ୍ତି।

ଏକ ସ୍ବତନ୍ତ୍ର ହେଲିକପ୍ଟର‌ ଯୋଗେ ମୁଖ୍ୟମନ୍ତ୍ରୀ ବିଜେପୁରଠାରେ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ। ସେଠାରେ ଗଣ୍ଡପାଲି ନିକଟସ୍ଥ ପଡ଼ିଆକୁ ପହଞ୍ଚି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୨ଜଣ ଅତିରିକ୍ତ ଏସ୍‌ପି, ୧୦ ଜଣ ଡିଏସ୍‌ପି,  ୩୦ ଜଣ ଏସ୍‌ଆଇ, ୪୦ ଜଣ ଏସ୍‌ଆଇ ଏବଂ ୨୦ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ। ଏଣେ ବିରୋଧୀ ଦଳଗୁଡ଼ିକ ମମିତା ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯିବ ବୋଲି ଘୋଷଣା କରିଛନ୍ତି।

ଜିଲ୍ଲାବାସୀଙ୍କୁ ୨୯୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ। ୧୭୯.୬୬ କୋଟି ଟଙ୍କାର ୪୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ୧୧୫.୪୩ କୋଟି ଟଙ୍କାରେ ନିର୍ମିତ ୧୦୮ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ବରଗଡ଼ ହେଉଛି ମା ଲକ୍ଷ୍ମୀଙ୍କ ପବିତ୍ର ଭୂମି । ଓଡ଼ିଶାର ଭାତହାଣ୍ଡି । ବରଗଡ଼ର ବୁଣାକାର ମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି କହିଲେ ଯେ ଚାଷୀଙ୍କ ପରି ବରଗଡର ବୁଣାକାର ମଧ୍ୟ ସାରା ବିଶ୍ବକୁ ସମ୍ବଲପୁରୀ ଶାଢୀ ଉପହାର ଦେଇଛନ୍ତି । ବରଗଡ଼ର ଚାଷୀ ଓ ବୁଣାକାରମାନଙ୍କ ଦକ୍ଷତାକୁ ମୋର ପ୍ରଣାମ ବୋଲି ସେ କହିଥିଲେ ।

ବରଗଡ଼ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହାଦ୍ବାରା ଜିଲ୍ଲାର ୩ ଲକ୍ଷ ୬୪ ହଜାର ଲୋକ ଉପକାର ପାଇବେ ।

ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ତିନି କୋଟି ଲୋକ ଉପକୃତ ହେବେ। ଏହାଦ୍ବାରା ଆମର ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ। ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ିଲେ ଚିକିତ୍ସା ପାଇଁ କିପରି ଜମିବାଡ଼ି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢ଼ା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ଼ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।

ଆମ ପାଇ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ମନ୍ତ୍ରୀ ସୁଶାନ୍ତ ସିଂହ ସ୍ବାଗତ ଭାଷଣ ଦେଇଥିଲେ। ମନ୍ତ୍ରୀ  ନିରଞନ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ।

 

ସମ୍ବନ୍ଧିତ ଖବର