ବରଗଡ଼: ବର୍ଷକ ଭିତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଝାରବନ୍ଧରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ପୁଣି ଝାରବନ୍ଧକୁ ଆସି ବହୁତ ଖୁସି। ଲୋକଙ୍କ ସ୍ନେହଶ୍ରଦ୍ଧା ମୋତେ ଅଭିଭୂତ କରିଛି। ଏଥିଲାଗି ମୁଁ ଆପଣମାନଙ୍କ ନିକଟରେ ଋଣୀ। ମିଶନ ଶକ୍ତିର ମାମାନେ ଭଲ କାମ କରୁଛନ୍ତି। ମିଶନ ଶକ୍ତିର ମା’ମାନଙ୍କୁ ୧ କୋଟି ୨୩ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯାଇଛି। ଏହି ଟଙ୍କାକୁ ବ୍ୟବହାର କରି ମା’ମାନେ ଉଦ୍ୟୋଗୀ ହେବେ। ବିକାଶ ପାଇଁ ସାଧାରଣ ଲୋକ ଦେଇଥିବା ପ୍ରସ୍ତାବକୁ ମୋ ସରକାରକୁ ଗ୍ରହଣ କରିଛନ୍ତି। ପାଇକମାଳ ପିଏଚସିକୁ ସିଏଚସି କରାଯାଇଛି । ପଦମପୁରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ୯୦ କୋଟି ଟଙ୍କା ମଂଜୁର କରାଯାଇଛି। ପଦମପୁର ବର୍ଷକ ଭିତରେ ଜିଲ୍ଲା ହେବ। ମୁଁ ଯାହା ପ୍ରତିଶ୍ରୁତି ଦିଏ ତାକୁ ପୁରା କରେ। ମୁଁ କଥାରେ ନୁହେଁ, କାମରେ ବିଶ୍ୱାସ କରେ।
ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଭଟଲି ବିଧାୟକ ସୁଶାନ୍ତ ସିଂହ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ ୫ଟି ସଚିବ ଭି.କେ.ପାଣ୍ଡିଆନ୍ ପ୍ରମୁଖ ଯୋଗ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ନିର୍ବାଚନମଣ୍ଡଳୀକୁ ଶୀଘ୍ର ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ଆଧାରରେ ମୁଖ୍ୟମନ୍ତ୍ରୀ ରବିବାର ନିର୍ବାଚନମଣ୍ଡଳୀର ତିନୋଟି ବ୍ଲକ୍ ପଦ୍ମପୁର, ଝାରବନ୍ଧ ଏବଂ ପାଇକମାଳ ଗସ୍ତ କରିବେ। ସବୁଠି ଜନସଭାକୁ ସମ୍ବୋଧିତ କରି ଧନ୍ୟବାଦ ଜଣାଇବେ। ମୁଖ୍ୟମନ୍ତ୍ରୀ ସତୀଭଟା ଏୟାର୍ଷ୍ଟ୍ରିପ୍ରେ ଅବତରଣ କରି ସେଠାରୁ ହେଲିକପ୍ଟରରେ ବାହାରି ଝାରବନ୍ଧ ଶକ୍ତିଛକ ହେଲିପେଡ୍ରେ ଓହ୍ଲାଇଥିଲେ।
ସେଠାରେ ସଭାରେ ଉଦ୍ବୋଧନ ଦେବା ପରେ ହେଲିକପ୍ଟରରେ ବାହାରି ପାଇକମାଳଠାରେ ପହଂଚିଛନ୍ତି। ସେଠାରୁ ସଭା ସାରି ପୁଣି ହେଲିକପ୍ଟରରେ ପଦ୍ମପୁର ଆର୍ଏଲ୍ କଲ୍ୟାଣ ମଣ୍ଡପସ୍ଥିତ ହେଲିପ୍ୟାଡ୍ରେ ଅବତରଣ କରିବେ। ମଧ୍ୟାହ୍ନଭୋଜନ ପରେ ଅପରାହ୍ଣ ୩.୪୫ରେ ସେ ହାଇସ୍କୁଲ ପଡ଼ିଆରେ ପହଂଚିବେ। ସେଠାରେ କାର୍ଯ୍ୟକ୍ରମ ସାରି ସତୀଭଟା ଏୟାରଷ୍ଟ୍ରିପ୍ରୁ ପୁଣି ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବେ। ସୁରକ୍ଷା ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ମୋଟ୍ ୨୫ ପ୍ଲାଟୁନ୍ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ। ଏହାବାଦ୍ ୫ଜଣ ଏଏସ୍ପି, ୧୬ ଡିଏସ୍ପି, ୩୨ଜଣ ଆଇଆଇସି, ଶହେ ଜଣ ଏସ୍ଆଇ/ଏଏସ୍ଆଇ ନିୟୋଜିତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/fb82af30-4d6e-4f52-9c49-51328c95986a.jpg)