ଭଦ୍ରକ : ଧାମନଗର ଉପନିର୍ବାଚନରେ ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କର ବିଜୟ ପରେ ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ‘ମୁଁ ଭୋଟ ମାଗୁ ନଥିଲି କି ବିଜୟ ପାଇଁ ନିର୍ବାଚନକୁ ଓହ୍ଲାଇ ନଥିଲି। ମୁଁ ମୋ ବାପାଙ୍କର ବିଶାଳ ପରିବାରର ସେବା କରିବା ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲି। ନିର୍ବାଚନ ପ୍ରଚାରରେ ମୁଁ କେବଳ ଆପଣଙ୍କର ଆଶୀର୍ବାଦ ମାଗିଥିଲି। ଆଉ ଆପଣମାନେ ମୋ ବାପାଙ୍କୁ ଯେଉଁ ଭଲପାଇବା ଦେଇଥିଲେ, ତାଙ୍କ ଅବର୍ତ୍ତମ‌ାନରେ ମୋତେ ସେଇ ଭଲପାଇବା ଦେଇ ଆଶୀର୍ବାଦ କରିଛନ୍ତି। ଏ ବିଜୟ ମୋର ନୁହେଁ, ଏ ବିଜୟ ସମଗ୍ର ଧାମନଗରବାସୀଙ୍କର। ତେଣୁ ଧାମନଗରବାସୀଙ୍କୁ ମୋର କୃତଜ୍ଞତା ଜଣାଉଛି।’ ଏଥିସହିତ, ‘ମୁଁ ବିଧାୟକ ନୁହେଁ, ମୁଁ ଜଣେ ସେବକ’ ବୋଲି ସୂର୍ଯ୍ୟବଂଶୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ନିର୍ବାଚନ ବେଳେ ଧାମନଗର ବିକାଶର ଦାୟିତ୍ବ ନେବେ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଆମ ସମସ୍ତଙ୍କର। ସେ ଧାମନଗରର ଦାୟିତ୍ବ ନିଅନ୍ତୁ। ମୁଁ ସେବକ ଭଳି ଲୋକଙ୍କର ସେବା କରିବି ‌ବୋଲି ସୂର୍ଯ୍ୟବଂଶୀ ଆଜି ନିଜର ପ୍ରତିକ୍ରିୟାରେ କହିଛନ୍ତି। ଯେଉଁ ମାଆମାନେ ମୋତେ ଏତେ ସ୍ନେହ ଦେଇଛନ୍ତି, ସେହି ମାଆମାନଙ୍କର ସମ୍ମାନ ରଖିବା ସହ ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ମୁଁ ଚେଷ୍ଟା କରିବି। ସେମାନଙ୍କର ଅର୍ଥନୈତିକ ବିକାଶ ଦିଗରେ କାମ କରିବି। ମୋ ମାଟିର ମାଆମାନେ ସ୍ବାଭିମାନର ସହ ବଞ୍ଚିବେ ଏହା ମୋର ସଂକଳ୍ପ। ଯେଉଁ ଧାମନଗରବାସୀ ମୋତେ ଭରସା କରିଛନ୍ତି। ସେମାନଙ୍କର ସବୁଦିନର ଦୁଃଖ ବୈତରଣୀ ବନ୍ୟା ଦାଉରୁ ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ନଦୀବନ୍ଧର ସୁଦୃଢ଼ୀକରଣ ପାଇଁ କାମ କରିବି ବୋଲି ସେ କହିଛନ୍ତି।