ବାଲେଶ୍ୱର ବିକାଶ ଦାୟିତ୍ୱ ମୋର: ନବୀନ

ଉପନିର୍ବାଚନ ପାଇଁ ଭର୍ଚୁଆଲ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

କରୋନା ପରେ ବାଲେଶ୍ୱର ଯିବେ ବୋଲି ପ୍ରତିଶ୍ରୁତି ଦେଲେ
ଫକୀରମୋହନ, ରେବତୀ ଗଳ୍ପକୁ ମନେପକାଇଲେ
ବିଜୁ ବାବୁ ଓ ଅବଦୁଲ୍ କଲାମଙ୍କୁ ବି ସ୍ମରଣ କଲେ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ଆଉ ତିନି ବର୍ଷ ରହିଲା। ଏହି ତିନି ବର୍ଷ ମଧ୍ୟରେ ବହୁତ କାମ କରାଯାଇ ପାରିବ। ବିଜେପୁର ପରି ବାଲେଶ୍ୱରର ବିକାଶ ଦାୟିତ୍ବ ମଧ୍ୟ ମୋର। ମୁଁ ନିଜେ ବାଲେଶ୍ବର କଥା ବୁଝିବି ଏବଂ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ।

ଆଜି ମୁଖ୍ୟମନ୍ତ୍ରୀ ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ଏଭଳି ପ୍ରତିଶ୍ରୁତି ଦେବା ସହିତ ଉପନିର୍ବାଚନରେ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଛନ୍ତି। କେବଳ ସେତିକି ନୁହେଁ, ଏକଥା ବି କହିଛନ୍ତି ଯେ ଆପଣମାନଙ୍କ ଜୀବନ ଆପଣଙ୍କ ପରିବାର ପାଇଁ ଓ ମୋ ପାଇଁ ବହୁତ ମୂଲ୍ୟବାନ। ଏଣୁ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସାବଧାନର ସହିତ ଭୋଟ କେନ୍ଦ୍ରକୁ ଯାଆନ୍ତୁ।

ଆଜି ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀ ପାଇଁ ଭର୍ଚୁଆଲ ପ୍ରଚାର କରି ମୁଖ୍ୟମନ୍ତ୍ରୀ କହିଥିଲେ, ଆଜିର ଦିନଟିକୁ ଓଡିଶାବାସୀ କେବେବି ଭୁଲି ପାରିବେ ନାହିଁ। ୨୧ ବର୍ଷ ତଳେ ଆଜିର ଦିନରେ ୧୯୯୯ ମସିହାରେ ଆସିଥିବା ମହାବାତ୍ୟା ଉପକୂଳ ଓଡ଼ିଶାକୁ ଛାରଖାର କରିଦେଇଥିଲା। ଓଡିଶାର ଅର୍ଥନୀତି, ଭିତ୍ତିଭୂମି ସବୁକିଛି ନଷ୍ଟ ହୋଇଯାଇଥିଲା। ଓଡିଶାବାସୀଙ୍କର ଦୃଢ଼ ଆତ୍ମବିଶ୍ୱାସ ଓ ପରିଶ୍ରମ ଯୋଗୁଁ ଓଡିଶା ଆଜି ମୁଣ୍ଡ ଟେକି ଉଠିଛି, ବିକାଶ ପଥରେ ଆଗକୁ ବଢୁଛି। ଆଜି ଓଡ଼ିଶା ବିପର୍ଯ୍ୟୟ ପରିଚାଳନାରେ ସାରା ବିଶ୍ୱ ପାଇଁ ମଡେଲ ହୋଇପାରିଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଲୋକଙ୍କ ଜୀବନର ସୁରକ୍ଷା ସବୁବେଳେ ଆମର ଗୁରୁତ୍ବ ରହିଛି। ୨୦୧୩ର ଫାଇଲିନ୍ ବାତ୍ୟା ସମୟରେ ଆମେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ନିରପଦ ସ୍ଥାନକୁ ନେଇ ଯାଇଥିଲୁ ଓ ଏହି ସଫଳତାକୁ ଜାତିସଂଘ ବହୁତ ପ୍ରଶଂସା କରିଥିଲା। ବନ୍ୟା, ବାତ୍ୟା ବା ମହାମାରୀ ସବୁବେଳେ ଲୋକଙ୍କ ଜୀବନର ସୁରକ୍ଷା ଉପରେ ସେ ଗୁରୁତ୍ୱ ଦେଇଆସିଛନ୍ତି ବୋଲି ନବୀନ କହିଥିଲେ। ଆହୁରି କହିଥିଲେ, ଓଡ଼ିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେ କି ସବୁ ଲୋକଙ୍କୁ ମାଗଣାରେ କୋଭିଡ୍ ଚିକିତ୍ସା ଯୋଗାଇ ଦେଇପାରୁଛି। ରାଜ୍ୟରେ ଏବେ ସଂକ୍ରମଣ କମିଛି ଓ ସୁସ୍ଥତା ହାର ବଢୁଥିବା ବେଳେ ମୃତ୍ୟୁ ହାର ଦେଶରେ ସବୁଠାରୁ କମ୍।

ମୁଖ୍ୟମନ୍ତ୍ରୀ କହିଥିଲେ, ‘‘ମୁଁ ଜାଣେ ମୋ ପ୍ରତି ଆପଣମାନଙ୍କର ବହୁତ ସ୍ନେହ ଓ ଭଲପାଇବା ରହିଛି। ଆଜି ଯଦି ମୁଁ ବାଲେଶ୍ୱର ଯାଇଥାନ୍ତି ତେବେ ଆପଣମାନେ ବହୁ ସଂଖ୍ୟାରେ ଆସିଥାନ୍ତେ। ମୋ ପାଇଁ ଜଣେ ବି କେହି ବିପଦରେ ପଡୁ, ଏହା ମୁଁ କେବେ ଚାହେଁ ନାହିଁ। ସେଥିପାଇଁ ମୁଁ ଆଜି ଭିଡିଓ କନଫରେନ୍ସିଂରେ ଆପଣମାନଙ୍କୁ ଭେଟୁଛି। କରୋନା ଦୂର ହେବା ପରେ ମୁଁ ବାଲେଶ୍ୱର ଆସିବି ଓ ଆପଣମାନଙ୍କୁ ଭେଟିବି ବୋଲି ନବୀନ ଏହି ଅବସରରେ ଘୋଷଣା କରିଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ, ବାଲେଶ୍ୱର ଉତ୍ତର ଓଡ଼ିଶାର ଏକ ମୁଖ୍ୟ ସହର। ବାଲେଶ୍ୱରରେ ଫକୀରମୋହନ ବିଶ୍ବବିଦ୍ୟାଳୟ ସହିତ ରାଜ୍ୟ ସରକାର ଏକ ନୂଆ ସରକାରୀ ମେଡିକାଲ କଲେଜ କରିଛନ୍ତି। ବାଲେଶ୍ୱରର ବିକାଶ ପାଇଁ ବହୁତ ସୁଯୋଗ ରହିଛି। ବାଲେଶ୍ୱରର ବିକାଶକୁ ପରବର୍ତୀ ସ୍ତରକୁ ନେବା ପାଇଁ ମୁଁ ଚାହେଁ। ବସ୍ତିରେ ରହୁଥିବା ଗରିବ ଲୋକଙ୍କ ଅଧିକାର ଓ ସେମାନଙ୍କ ସୁବିଧା ଉପରେ ସରକାର ସବୁବେଳେ ଜୋର ଦେଇଛନ୍ତି।

ଏହି ଅବସରରେ ନବୀନ ସ୍ମରଣ କରାଇ ଦେଇଥିଲେ ଯେ ନିକଟରେ ଏଇ ବାଲେଶ୍ୱରରୁ ବସ୍ତି ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପ୍ରତି ବସ୍ତିକୁ ଭଲ ରାସ୍ତା, ଭଲ ପିଇବା ପାଣି, ବିଜୁଳି ଓ ଅନ୍ୟ ସୁବିଧାର ବିକାଶ କରାଯାଉଛି। ପ୍ରତି ବସ୍ତିକୁ ଗୋଟିଏ ଗୋଟିଏ ଆଦର୍ଶ କଲୋନି କରାଯାଉଛି। ସେହିପରି ଗରିବ ଲୋକଙ୍କୁ ଭୂମି ଅଧିକାର ମଧ୍ୟ ଦିଆଯାଇଛି। ଗାଁରେ ରହୁଥବା ଭୂମିହୀନ ଗରିବଙ୍କୁ ଜମି, ଘର କଚ୍ଚା ଘରକୁ ପକ୍କା ଘର, ଜମିକୁ ପାଣି, ଗାଁରେ ରାସ୍ତା, ବିଜୁଳି ଓ ଭଲ ପିଇବା ପାଣି ମୋର ସ୍ବତନ୍ତ୍ର ଫୋକସ୍ ରହିବ ବୋଲି ନବୀନ କହିଥିଲେ।

ମିସନ ଶକ୍ତିର ମା’ମାନେ କୋଭିଡ୍‌ ପରିଚାଳନାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି ବୋଲି ନବୀନ ସେମାନଙ୍କୁ ପ୍ରଶଂସା କରିଥିଲେ। ମା’ମାନଙ୍କର ଉନ୍ନତି ତାଙ୍କୁ ବହୁତ ଖୁସି ଦେଇଥାଏ। ସେ ସବୁବେଳେ ସେମାନଙ୍କ ସହିତ ରହିବେ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ବାଲେଶ୍ୱର ଆସିଲେ ମୋର ସବୁଠୁ ଆଗ ମନେ ପଡ଼େ ଫକୀରମୋହନ ସେନାପତିଙ୍କ କଥା। ସେ ହେଉଛନ୍ତି ମୋ ପ୍ରିୟ ଲେଖକ। ତାଙ୍କର ‘ରେବତୀ’ ଗଳ୍ପ ମୋତେ ସବୁଠୁ ଭଲ ଲାଗେ। ସେହିପରି ଆଉ ଦୁଇଜଣଙ୍କ କଥା ମଧ୍ୟ ମନେ ପଡ଼େ। ସେମାନେ ହେଉଛନ୍ତି ବିଜୁବାବୁ ଓ ଡ. ଏପିଜେ ଅବଦୁଲ୍ କଲାମ୍। ଡକ୍ଟର ଅବଦୁଲ କାଲାମ ଯେତେବେଳେ ବିଜୁବାବୁଙ୍କୁ ଭେଟୁଥିଲେ ସବୁବେଳେ ବିଜୁବାବୁ ଗୋଟିଏ କଥା କହୁଥିଲେ, “ଡକ୍ଟର କାଲାମ, ଆପଣ ଚାନ୍ଦିପୁରରେ ଏଭଳି ମିଜାଇଲ ତିଆରି କରନ୍ତୁ ଯାହାକି ଚାଇନାକୁ ମଧ୍ୟ ଡରାଇ ପାରିବ”। ୧୯୯୩ ରେ ବିଜୁବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ହିଁ ଚାନ୍ଦିପୁରରୁ ପ୍ରଥମେ ଭୂପୃଷ୍ଠରୁ ଭୂପୃଷ୍ଠକୁ ପୃଥ୍ବୀ ମିଜାଇଲ୍ ପରୀକ୍ଷା କରାଯାଇଥିଲା ବୋଲି ନବୀନ ମନେ ପକାଇ ଦେଇଥିଲେ। ଏବେ ଯେତେବେଳେ ବି ବାଲେଶ୍ୱରରୁ ମିଜାଇଲ୍ ଟେଷ୍ଟ କରାଯାଉଛି ସେତେବେଳେ ଏହି ଦୁଇ ମହାନ ଦେଶଭକ୍ତ ବିଜୁବାବୁ ଓ ଡ. ଏପିଜେ ଅବଦୁଲ କଲାମଙ୍କ କଥା ତାଙ୍କ ମନକୁ ଆସିଥାଏ ବୋଲି ସେ କହିଥିଲେ। ଭାରତ ମିଜାଇଲ୍ କ୍ଷେତ୍ରରେ ଦିନେ ସୁପର ପାଵାର ହେବ ଏବଂ ବାଲେଶ୍ୱରର ସୁନାମ ସାରା ବିଶ୍ୱରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

ଏହି ଅବସରରେ ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀରେ ଦଳ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। ଏଲଇଡି ସହିତ ମୋବାଇଲ୍, ଫେସବୁକ୍ ଜରିଆରେ ଲୋକେ ନବୀନଙ୍କୁ ଶୁଣିଥିଲେ।

ସମ୍ବନ୍ଧିତ ଖବର