ଭୁବନେଶ୍ବର/କଟକ: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଉଭୟ ସଭାରେ ବିରୋଧୀଙ୍କୁ ଟାର୍ଗେଟ୍ କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଜିତାଇବାକୁ ନିବେଦନ କରିଛନ୍ତି। ବିରୋଧୀଙ୍କ ଉଦ୍ଦେଶ୍ୟରେ ନବୀନ ପୁଣି କହିଛନ୍ତି ଯେ ବିରୋଧୀ ଦଳ ନେତା ମିଛ କଥା କହୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ତାହାର ପ୍ରଭାବ ପଡ଼ିବ ନାହିଁ। ତାଙ୍କ କଥାରେ କେହି ପଡ଼ନ୍ତୁ ନାହିଁ।
ବୈଜୟନ୍ତଙ୍କ ନାଁ ନ ନେଇ ନବୀନ କହିଲେ ବିଶ୍ବାସଘାତକତା କରିଛନ୍ତି
କେନ୍ଦ୍ରାପଡ଼ାରେ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନାଁ ନ ନେଇ ଟାର୍ଗେଟ୍ କରି ମୁଖ୍ୟମନ୍ତ୍ରୀ କହିଲେ, ମୁଁ ତାଙ୍କୁ ସାଂସଦ କଲି। ସେ ୧୦ ବର୍ଷ ସାଂସଦ ହେଲେ। କିନ୍ତୁ ସେ କେବଳ ନିଜ ପାଇଁ ଓ ତାଙ୍କ କମ୍ପାନିର ଲାଭ ପାଇଁ କାମ କଲେ। କେନ୍ଦ୍ରାପଡ଼ାବାସୀ ଓ ମୋ ସହିତ ବିଶ୍ୱାସଘାତକତା କଲେ।
କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସଭାରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବି.ଏସ୍.କେ.ୱାଇ., ମିସନଶକ୍ତି, ମମତା, ଲକ୍ଷ୍ମୀ ବସ୍, ୫ଟି ସ୍କୁଲ ରୂପାନ୍ତର, ପିଲାଙ୍କ ସ୍କଲାରସିପ୍, କାଳିଆ, ମଧୁବାବୁ ପେନ୍ସନ୍ ଯୋଜନା, ଚାଉଳ କାର୍ଡ ଆଦି କେମିତି ଲାଗୁଛି, ପୁରୀ ମନ୍ଦିର କାମ କେମିତି ଲାଗୁଛି ବୋଲି
ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ। ସବୁ ପ୍ରଶ୍ନରେ ଉଚ୍ଛ୍ୱସିତ ସ୍ୱରରେ ଲୋକେ କହିଥିଲେ, ବହୁତ ଭଲ। ନବୀନ ପଚାରିଥିଲେ, ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ, ବିଜୁ ଜନତା ଦଳ ସରକାର ମାଗଣା ବିଜୁଳି ଦେବ। ଆପଣମାନେ ଖୁସି ତ? ସଭାସ୍ଥଳକୁ ‘ହଁ’ ଧ୍ୱନି ଶୁଭିଲା।
କେନ୍ଦ୍ରାପଡ଼ା ସଭାରେ ବିଜେଡି ନେତା ଭି କେ ପାଣ୍ଡିଆନ କହିଲେ, ବିଜେପି ଯେତେ ବଡ଼ ବଡ଼ ନେତାଙ୍କୁ ବାହାରୁ ଆଣନ୍ତୁ ତାହାର କିଛି ପ୍ରଭାବ କେନ୍ଦ୍ରାପଡ଼ାରେ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ପାଇଁ ଭାରତବର୍ଷର ସବୁଠୁ ଅଧିକ ପୁଞ୍ଜିନିବେଶ ଆଣିଛନ୍ତି। କଠିନ ପରିଶ୍ରମ କରି ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିଛନ୍ତି। ଏଥି ପାଇଁ ଜାପାନର ନିପନ କମ୍ପାନି ସହ କଥାବାର୍ତ୍ତା କରିବାକୁ ଯିବା ସମୟରେ ବହୁତ କଷ୍ଟ ସ୍ୱୀକାର କରିଛନ୍ତି ମୁଖ୍ୟମନ୍ତ୍ରୀ। ସିଙ୍ଗାପୁରରୁ ଜାପାନ ଯିବା ସମୟରେ ବିମାନରେ ଭଲ ସିଟ୍ ମିଳି ନ ଥିଲା। ଆମେ ପରେ ଯିବା ପାଇଁ କହିଥିଲୁ। କିନ୍ତୁ ମୁଖ୍ୟମନ୍ତ୍ରୀ ରାଜି ହୋଇ ନଥିଲେ। ଯେହେତୁ ନିପନ ଗ୍ରୁପ୍ ସହିତ ଆଲୋଚନା ପାଇଁ ସମୟ ସ୍ଥିର ହୋଇଥିଲା, ତେଣୁ ଅସୁବିଧା ସତ୍ତ୍ୱେ ୮ ଘଣ୍ଟା ଗୋଡ଼ ଜାକି କରି ଯାଇଥିଲେ। ଜାପାନରେ ୩-୪ ଦିନ ଭିତରେ ପ୍ରାୟ ୧୦୦ ଥର କେନ୍ଦ୍ରାପଡ଼ା କଥା ଉଠାଇଥିବେ। ଏଥିରୁ ଆପଣ ଜାଣନ୍ତୁ କେନ୍ଦ୍ରାପଡ଼ା ପ୍ରତି ତାଙ୍କର କେତେ ପ୍ରତିବଦ୍ଧତା। ବୈଜୟନ୍ତଙ୍କୁ ପୁଣି ସମାଲୋଚନା କରି ପାଣ୍ଡିଆନ କହିଲେ, ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାର ବିଜେପି ସାଂସଦ ପ୍ରାର୍ଥୀଙ୍କୁ ୨ ଥର ଲୋକସଭା ଓ ଥରେ ରାଜ୍ୟସଭାକୁ ପଠାଇଥିଲେ। ସାଂସଦ ହେବା ଆଗରୁ ତାଙ୍କର ପାରିବାରିକ କମ୍ପାନିର ସ୍ଥିତି କ’ଣ ଥିଲା? ସାଂସଦ ହେବା ପରେ ତାଙ୍କ କମ୍ପାନିର ବହୁତ ଲାଭ ହୋଇଛି। କମ୍ପାନି ପାଇଁ ରେଲୱେ ସାଇଡିଂ ଆଣିଲେ। କିନ୍ତୁ କେନ୍ଦ୍ରାପଡ଼ାକୁ ରେଲୱେ ଆଣିବାକୁ ଭୁଲିଗଲେ। ଫାଇନାନ୍ସ କମିଟିର ସଦସ୍ୟ ଭାବେ ନିଜ କମ୍ପାନିର ଲୋନ୍ ଛାଡ଼ କଲେ। ସେ ଚାହୁଁଥିଲେ ଅର୍ଥନୈତିକ କମିଟିର ଅଧ୍ୟକ୍ଷ ହେବା ପାଇଁ। କିନ୍ତୁ ମୁଖ୍ୟମନ୍ତ୍ରୀ ଅନୁଭବ କଲେ ସେ ତାଙ୍କ ନିଜସ୍ୱ ଲାଭ ପାଇଁ ଏହା ଚାହୁଁଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେହିଦିନ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଉପରେ କ୍ରୋଧାନ୍ୱିତ ହୋଇ ବିଭିନ୍ନ ଗୁଜବ ସୃଷ୍ଟି କଲେ। ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ ସୃଷ୍ଟି କଲେ। ସେ ମଧ୍ୟ ତାଙ୍କ ନିଜସ୍ୱ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଗୁଜବ ପ୍ରସାରଣ କଲେ। ତାଙ୍କର ଲୋଭ ଥିଲା ମୁଖ୍ୟମନ୍ତ୍ରୀ ସିଟ୍। ଏଥିରୁ ଜାଣନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସେ କିଭଳି ବିଶ୍ୱାସଘାତକତା କରିଛନ୍ତି। ଆପଣମାନଙ୍କ ଓ ବଳଦେବଜୀଉଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେବେ। ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍ ଛାଡ଼୍ କରିବେ।
କେନ୍ଦ୍ରାପଡ଼ାକୁ ଲକ୍ଷେ କୋଟି ଟଙ୍କାର ପୁଞ୍ଜି ଆଣିଛନ୍ତି ମୁଖ୍ୟମନ୍ତ୍ରୀ
ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବି.ଏସ୍.କେ.ୱାଇ.ରେ ସାମିଲ କରିବେ। ତୃତୀୟ ଦସ୍ତଖତରେ ମିସନ ଶକ୍ତି ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନସନ୍ ସୁବିଧା ଦେବେ। ପାରାଦୀପ ଓ ଜଗତସିଂହପୁରରେ ବିଜେପିର ମିଛ ପ୍ରତିଶ୍ରୁତିକୁ ଧରା ପକାଇ ପାଣ୍ଡିଆନ କହିଲେ, ବିଜେପି ଇସ୍ତାହାରରେ ଲେଖିଛି ଯେ ସେମାନେ କ୍ଷମତାକୁ ଆସିଲେ ଆୟୁଷ୍ମାନ ଯୋଜନା ଲାଗୁ କରିବେ। ଆୟୁଷ୍ମାନ ଯୋଜନା ଲାଗୁ ହେଲେ ଓଡ଼ିଶାର ମାତ୍ର ୨ କୋଟି ଲୋକ ଏଥିରେ ସାମିଲ ହୋଇପାରିବେ। କିନ୍ତୁ ବି.ଏସ୍.କେ.ୱାଇ ଯୋଜନାରେ ଓଡ଼ିଶାର ୯୮ ପ୍ରତିଶତ ଲୋକ ଉପକାର ପାଉଛନ୍ତି। ଆପଣ ଏବେ ଚିନ୍ତା କରନ୍ତୁ, ଆପଣଙ୍କର ଅଧା ଦରକାର ନା ପୂରା ଦରକାର? ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା ଦେବେ ବୋଲି କହିଛନ୍ତି। ପୂର୍ବ ନିର୍ବାଚନ ସମୟରେ କହିଥିଲେ ୧୫ ଲକ୍ଷ ଟଙ୍କା ଲେଖାଏ ଦେବେ। ସେ ଟଙ୍କା କୁଆଡ଼େ ଗଲା ତାଙ୍କୁ ପଚାରନ୍ତୁ। ମିଛ କହିବାର ସୀମା ଅଛି, ମିଛ କଥାରେ ଜମା ପଡ଼ନ୍ତୁ ନାହିଁ। ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି। ସେମାନଙ୍କୁ ମୁହଁତୋଡ଼ ଜବାବ ଦେବାକୁ ସେ ଆହ୍ବାନ ଦେଇଥିଲେ। କର୍ମୀମାନଙ୍କୁ ସେ କହିଲେ, ଅଧିକ ମାର୍ଜିନରେ ପ୍ରାର୍ଥୀମାନଙ୍କୁ ଜିତାଇଲେ ଆପଣମାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପୁରସ୍କାର ଦେବେ।