ମୁଖ୍ୟମନ୍ତ୍ରୀ ଏତେ ବେଫିକର!

ଅଭିଯୋଗ ପ୍ରକୋଷ୍ଠକୁ ଯାଉନାହାନ୍ତି ମୁଖ୍ୟମନ୍ତ୍ରୀ

ଅଧ୍ୟକ୍ଷ ଥିବା ସଂସ୍ଥାର ବୈଠକ ବି ନିୟମିତ ବସୁନି

ଭୁବନେଶ୍ୱର : କୌଣସି ଏକ ସଂସ୍ଥାର ଅଧ୍ୟକ୍ଷ ଯେତେବେଳେ ଖୋଦ୍‌ ମୁଖ୍ୟମନ୍ତ୍ରୀ ରୁହନ୍ତି, ସ୍ୱାଭାବିକ ଭାବେ ସେତେବେଳେ ସମସ୍ତଙ୍କ ମନରେ ଏକ ବଦ୍ଧମୂଳ ଧାରଣା ହେବା କଥା ଯେ ସେ ସଂସ୍ଥାର ସ୍ୱାସ୍ଥ୍ୟ ଭଲ ଥିବ, ନିୟମିତ ବ୍ୟବଧାନରେ ବୈଠକ ବସୁଥିବ ଏବଂ ଲୋକେ ନିଶ୍ଚିତ ନ୍ୟାୟ ପାଉଥିବେ।

ହେଲେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିବା ଡଜନେରୁ ଅଧିକ ସଂସ୍ଥାର ସ୍ୱାସ୍ଥ୍ୟ ଠିକ୍‌ ନାହିଁ। କିଛି ସଂସ୍ଥାର ବୈଠକ ଆଦୌ ବସିନାହିଁ। କିଛି ସଂସ୍ଥାର ବର୍ଷ ବର୍ଷ ଧରି ବସୁନାହିଁ। ବିଧାନସଭାରେ ବିଜେପି ଦିଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଏହାର ପର୍ଦାଫାଶ କରିଛନ୍ତି। ପାଖାପାଖି ୨୭ଟି ବିଭାଗରୁ ତଥ୍ୟ ସଂଗ୍ରହ କରି ମନ୍ତ୍ରୀ ଯେଉଁ ରିପୋର୍ଟ ଦେଇଛନ୍ତି, ତାହା ସୂଚାଉଛି ଯେ ସରକାରୀ କଳକୁ କିଭଳି କଳଙ୍କ ଲାଗିଲାଣି। ଏ ନେଇ ମୁଖ୍ୟମନ୍ତ୍ରୀ ସଚେତନ ନାହାନ୍ତି କିମ୍ବା ତାଙ୍କ ଅଫିସ୍‌। ମୁଖ୍ୟ ସଚିବ ତତ୍ପରତା ଦେଖାଉନାହାନ୍ତି କିମ୍ବା ବିଭାଗୀୟ ମନ୍ତ୍ରୀ।

ଉଲ୍ଲେଖଯୋଗ୍ୟ, ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହି ବୋର୍ଡର ଶେଷ ବୈଠକ ୧୫/୧୦/୨୦୦୭ରେ ଅନୁଷ୍ଠିତ ହୋଇଥିଲା। ତା ପରଠାରୁ ବାରମ୍ବାର ଏ ନେଇ ଖବର ପ୍ରକାଶ ପାଇଛି। ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ସରକାର କିନ୍ତୁ ଏସବୁକୁ ବେଖାତିର୍‌ କରିଚାଲିଛନ୍ତି। ଯୋଜନା ବୋର୍ଡ ପୁନର୍ଗଠନ ପ୍ରକ୍ରିୟା ଶେଷ ହେଉନାହିଁ କିମ୍ବା ବୈଠକ ବସୁନାହିଁ। ଏହି ବିଭାଗ କରିଥିବା ସରକାରୀ ଓ ଘରୋଇ ସହଭାଗିତା ନୀତି ଅନୁଯାୟୀ ଏକ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି ରହିଛି, ଯାହାର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଅଛନ୍ତି। ଏହାର ବୈଠକ ୨୦୦୯ ଓ ୨୦୧୩ରେ ହୋଇଥିଲା। ତା ପରଠାରୁ ଆଉ ବୈଠକ ବସିନାହିଁ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଉଚ୍ଚସ୍ତରୀୟ ନିଯୁକ୍ତି ମିସନ୍‌ର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ। ଏହି ମିସନ୍‌ର ବୈଠକ ୨୦୦୭ପରଠାରୁ ସାଢ଼େ ୧୦ ବର୍ଷ ଧରି ଆଉ ବସିନାହିଁ। ଉକ୍ତ ବିଭାଗର ଓଡ଼ିଶା ଦକ୍ଷତା ବିକାଶ ମିସନ୍‌, ବିଜ୍ଞାନ ଓ ବୈଷୟିକ ବିଭାଗର ଓଡ଼ିଶା ବିଜ୍ଞାନ ଓ ବୈଷୟିକ ରାଜ୍ୟ ପରିଷଦ ଏବଂ ବାଣିଜ୍ୟ ବିଭାଗର ରାଜ୍ୟ ସାଗରମାଳା କମିଟିର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଥିଲେ ହେଁ, ଏହି ତିନିଟି ସଂସ୍ଥାର ବୈଠକ ଆଦୌ ହୋଇନାହିଁ।

ଶିଳ୍ପ ବିଭାଗର ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟିର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହାର ବୈଠକ ୨୦୦୫ରୁ ୨୦୧୫ ମଧ୍ୟରେ ୧୬ ଥର ବସିଛି। ଗତ ଦୁଇ ବର୍ଷ ଧରି କିନ୍ତୁ ଏହି ଅଥରିଟିର ବୈଠକ ଆଉ ଅନୁଷ୍ଠିତ ହୋଇନାହିଁ। ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ଥିବା ଉଚ୍ଚସ୍ତରୀୟ ରାଜ୍ୟ ଭିଜିଲାନ୍ସ ମନିଟରିଂ କମିଟିର ଅଧ୍ୟକ୍ଷ ବି ମୁଖ୍ୟମନ୍ତ୍ରୀ ଅଛନ୍ତି। ସରକାର ଜନଜାତି ବିକାଶ କଥା କହୁଛନ୍ତି, କିନ୍ତୁ ଏହାର ବୈଠକ ୨୦୧୫ ଜୁନ୍‌ ପରଠାରୁ ହୋଇନାହିଁ। ରାଜ୍ୟ ଅନୁସୂଚିତ ଜାତି ପରାମର୍ଶଦାତା ବୋର୍ଡ ଓ ଅନୁସୂଚିତ ଜନଜାତି ପରାମର୍ଶଦାତା ବୋର୍ଡର ବୈଠକ ବି ଅଢ଼େଇ ବର୍ଷ ଧରି ହୋଇନାହିଁ, ଯଦିଓ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥାଏ।

ସେହିପରି ବ୍ରଡ୍‌ ଗଜ୍‌ ରେଳ ଲିଙ୍କ୍‌ ପ୍ରୋଜେକ୍ଟ ଆପେକ୍ସ କମିଟିର ବୈଠକ ମଧ୍ୟ ଦେଢ଼ବର୍ଷ ଧରି ହୋଇନାହିଁ। ଜଙ୍ଗଲ ଓ ପରିବେଶ ବିଭାଗର ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟରର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଥିଲେ ହେଁ ଏହି ଦୁଇ ସଂସ୍ଥାର ବୈଠକ ଅଢ଼େଇ ବର୍ଷରୁ ଅଧିକ ସମୟ ଧରି ହେଉନାହିଁ। ଓଡ଼ିଶା କେନ୍ଦୁପତ୍ର ଉନ୍ନୟନ ବୋର୍ଡର ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବର୍ଷେ ତଳେ ହୋଇଥିବା ବେଳେ ଓଡ଼ିଶା ରାଜ୍ୟ କାମ୍ପା ପରିଚାଳନା କମିଟିର ଶେଷ ବୈଠକ ୨୦୧୩ ଜୁନ୍‌ ମାସରେ ବସିଥିଲା। ଓଡ଼ିଶା ରାଜ୍ୟ ବନ୍ୟଜନ୍ତୁ ବୋର୍ଡର ବୈଠକ ହୋଇନାହିଁ। ସେହିପରି ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିବା ରାଜ୍ୟ ସୈନିକ ବୋର୍ଡର ଶେଷ ବୈଠକ ୨୦୦୭ ଅଗଷ୍ଟ ମାସରେ ହୋଇଥିଲା।

ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ମିସନ୍‌ ଓ ରାଜ୍ୟ ସାକ୍ଷରତା ମିସନ୍‌ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରହିଛି। ସ୍ୱାସ୍ଥ୍ୟ ମିସନ୍‌ର ବୈଠକ ଅନ୍ତତଃପକ୍ଷେ ପ୍ରତି ଛଅ ମାସରେ ଥରେ ବସିବା କଥା। ତେବେ ୨୦୧୫ ମଇ ମାସ ଠାରୁ ଏହି ମିସନ୍‌ର ବୈଠକ ହୋଇପାରୁନାହିଁ। ସେହିପରି ଗତ ଜନଗଣନା ଅନୁଯାୟୀ ରାଜ୍ୟର ନିରକ୍ଷରଙ୍କ ସଂଖ୍ୟା କୋଟିଏରୁ ଅଧିକ ଥିବା ବେଳ ଏହି ମିସନ୍‌ର ବୈଠକ ବି ୧୦ ବର୍ଷରୁ ଅଧିକ ସମୟ ଧରି ବସିନାହିଁ। ଏହି ମିସନ୍‌ରେ ଏବେ ଅନେକ ପରଲୋକଗତ ରାଜନେତା ଓ ପୂର୍ବତନ ବିଧାୟକ ସଦସ୍ୟ ରହିଥିବା ବେଳେ ସେମାନଙ୍କୁ ବି ବଦଳାଇବା ଲାଗି ସରକାର ଆଗ୍ରହ ଦେଖାଇନାହାନ୍ତି। ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥାଇ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ପରିଷଦର ଶେଷ ବୈଠକ ୨୭.୦୬.୨୦୧୫ରେ ଅନୁଷ୍ଠିତ ହୋଇଥିଲା।

ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀମାନଙ୍କର ମତ ଯେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହିଲେ ସ୍ୱାଭାବିକ ଭାବେ ସେସବୁ ସଂସ୍ଥାର ବିକାଶ ତ୍ୱରାନ୍ଵିତ ହୋଇଥାଏ। ଯେଉଁଠାରେ ବାଧକ ସୃଷ୍ଟି ହୁଏ, ସେଠାରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ହସ୍ତକ୍ଷେପ କରନ୍ତି। ନିର୍ଦିଷ୍ଟ ସମୟ ସୀମାରେ ଏକ ବଡ଼ ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ଏହି ପ୍ରକ୍ରିୟା ଅନେକାଂଶ ସାହାଯ୍ୟ କରିଥାଏ। ଓଡ଼ିଶାରେ ଯଦି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକର ସ୍ଥିତି ଏୟା, ତେବେ ତଳସ୍ତରରେ ସରକାର ଚାପ ସୃଷ୍ଟି କରିବେ କେମିତି ଓ କିଏ ଶୁଣିବ?
ପ୍ରକାଶଥାଉକି, ମୁଖ୍ୟମନ୍ତ୍ରୀ ତାଙ୍କ ସରକାରୀ ଅଭିଯୋଗ ପ୍ରକୋଷ୍ଠକୁ ୨୦୦୮ ଅଗଷ୍ଟ ମାସରୁ ବି ଯାଉନାହାନ୍ତି।

ସମ୍ବନ୍ଧିତ ଖବର