ଭୁବନେଶ୍ୱର: ରାଜ୍ୟ ସରକାର ଆଜି ମହାଆଡ଼ମ୍ବରରେ ରାଜ୍ୟସ୍ତରୀୟ ଶିଶୁ ଦିବସ ପାଳନ କରିଛନ୍ତି। ଏହାକୁ ବିରୋଧ କରିଛି ରାଜ୍ୟ ବିଜେପି। କୋମଳମତି ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୀନ ରାଜନୀତି କରୁଛନ୍ତି ବୋଲି ଦଳ ଆରୋପ ଲଗାଇଛି। ୧୭ ବର୍ଷ ଶାସନ ପରେ ଓଡ଼ିଆ କହିପାରୁ ନ ଥିବା ମୁଖ୍ୟମନ୍ତ୍ରୀ ଟେଲି ପ୍ରମ୍ପଟର୍‌ ସହାୟତାରେ ଦୁର୍ବଳ ଓଡ଼ିଆ ଭାଷଣ ଦେଇଛନ୍ତି। ଏହା ଦ୍ୱାରା ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ବିଜେପି କହିଛି। ଗୋଟିଏ ପଟେ ଶିଶୁ ଦିବସ ଉତ୍ସବ ଚାଲିଥିଲା ବେଳେ ଅନ୍ୟ ପଟେ ସରକାରଙ୍କ ବିଫଳତା ନେଇ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଥିଲା।

Advertisment

ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ କହିଲେ, ନିଜର ଅପାରଗତା ଓ ସ୍ଥାଣୁତାକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଆତ୍ମପ୍ରଚାରରେ ମାତିଛନ୍ତି। ଓଡ଼ିଆ ଭାଷା ସବୁଠୁ ଭଲ ଓ ଓଡ଼ିଶାବାସୀଙ୍କୁ ଓଡ଼ିଆ ଭାଷାର ଟେକ ରଖିବାକୁ କହୁଥିବା ମୁଖ୍ୟମନ୍ତ୍ରୀ ନିଜେ ଧାଡ଼ିଏ ବି ଓଡ଼ିଆ କହିପାରୁ ନାହାନ୍ତି। ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି। ୬୬ ପ୍ରତିଶତ ବିଦ୍ୟାଳୟରେ ଠିକ୍‌ ଭିତ୍ତିଭୂମି ନାହିଁ। ଶିକ୍ଷକମାନେ ତାଙ୍କ ହକ୍‌ ପାଇଁ ବାରମ୍ବାର ରାଜରାସ୍ତାକୁ ଓହ୍ଲାଉଛନ୍ତି। ଗତ ଦୁଇ ବର୍ଷ ହେଲା ସରକାରୀ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀ ସଂଖ୍ୟା ଦ୍ରୁତ ହ୍ରାସ ପାଉଛି। କେବଳ ଶିକ୍ଷା ନୁହେଁ, ଚାଷ, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଆଦି ମୌଳିକ ସେବା ଯୋଗାଇବାରେ ବି ସରକାର ବିଫଳ। ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ରାଜ୍ୟବାସୀ ଆଶା କରୁଥିଲା ବେଳେ ଆଜି ୨୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରି ଶିଶୁ ଦିବସ ପାଳନର ଅର୍ଥ କ’ଣ ବୋଲି ବିଜେପି ପ୍ରଶ୍ନ କରିଛି।

ଶିଶୁ ଦିବସ ଉତ୍ସବରେ କରାଯାଇଥିବା ଶପଥ ପାଠକୁ ବିଜେପି ସମାଲୋଚନା କରି କହିଛି, ଶପଥର ପ୍ରସଙ୍ଗ ସହ ଛାତ୍ରଛାତ୍ରୀ ଓ ସ୍କୁଲ୍‌ର ସ୍ଥିତିର କିଛି ସାମଞ୍ଜସ୍ୟ ନାହିଁ। ସ୍କୁଲ୍‌ର ସ୍ଥିତି ଓ ସରକାରଙ୍କ ଅବହେଳାକୁ ନେଇ ବିଜେପି ଏକ ଗୀତ ପ୍ରସ୍ତୁତ କରି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ସରକାରଙ୍କ ବିଭିନ୍ନ ବିଫଳତାକୁ ପ୍ରସଙ୍ଗ କରି ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସମ୍ପାଦକ କାଳନ୍ଦୀ ସାମଲ, ଦିଲ୍ଲୀପ ମଲ୍ଲିକ, ଲେଖାଶ୍ରୀ ସାମନ୍ତସିଂହାର, ସଜ୍ଜନ ଶର୍ମା, ପ୍ରଭାତୀ ପରିଡ଼ା ପ୍ରମୁଖ ସାମିଲ୍‌ ହୋଇଥିଲେ।