ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ ଦେବାଶିଷ ବିଶ୍ୱାଳ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ ଦେବାଶିଷ ବିଶ୍ୱାଳ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ପୁରୀ/ସାକ୍ଷୀଗୋପାଳ/ଭୁବନେଶ୍ବର: ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ ସହିଦ ହୋଇଥିବା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ନିଜର ଟୁଇଟରରେ ସେ ଲେଖିଛନ୍ତି,ଜମ୍ମୁ କାଶ୍ମୀରର ପୁଞ୍ଛରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ ସହିଦ ହୋଇଥିବା ଖବର ଅତ୍ୟନ୍ତ ଦୁଃଖଦାୟକ। ଦେଶର ସୁରକ୍ଷାରେ ତାଙ୍କର ବଳିଦାନ ସବୁବେଳେ ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

ଏଣେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ନିଜର ଟୁଇଟରରେ ସେ ଲେଖିଛନ୍ତି, ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଅଞ୍ଚଳର ଯବାନ ଦେବାଶିଷ ବିଶ୍ୱାଳ (ସାହିତ୍ୟ)ଙ୍କ ସମେତ ଯବାନମାନେ ଶହୀଦ ହୋଇଥିବା ଖବର ଶୁଣି ମୁଁ ଦୁଃଖିତ ଏବଂ ଗଭୀର ଭାବରେ ମର୍ମାହତ । ଏହି ବୀର ଯବାନ ମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ।

ସେହିପରି ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ସ୍ଵାଭିମାନୀ, ସାଚ୍ଚୋଟ, ବିଜ୍ଞ ତଥା ପରୋପକାରୀ ବ୍ୟକ୍ତି ଥିଲେ। ସାଂସଦ ରୂପେ ତାଙ୍କ ଦ୍ବାରା କରାଯାଇଥିବା କାର୍ଯ୍ୟ ଚିର ସ୍ମରଣୀୟ ହୋଇ ରହିବ। ମୁଁ ଯେତେବେଳେ ୨୦୦୦ ମସିହାରେ ସାଂସଦ ରୂପେ ପ୍ରଥମ ଥର ସଂସଦକୁ ପ୍ରବେଶ କଲି ସେତେବେଳେ ସେ ମଧ୍ୟ ଜଣେ ସାଂସଦ ଥିଲେ। ସେ ମୋ ପାଇଁ ଜଣେ ପିତୃତୁଲ୍ୟ ବ୍ୟକ୍ତି ଥିଲେ, ତାଙ୍କ ନୀତି, ଆଦର୍ଶ ଓ ଶିକ୍ଷାରୁ ମୁଁ ବହୁଳ ଭାବେ ଉପକୃତ ହୋଇଛି। ତାଙ୍କର ବିୟୋଗ ମୋ ପାଇଁ ବ୍ୟକ୍ତିଗତ ଭାବେ ଏକ ଅପୂରଣୀୟ କ୍ଷତି। ସେ ମୋ ପାଇଁ ସର୍ବଦା ଏକ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ଶ୍ରୀ ପଣ୍ଡା ନିଜର ଶୋକ ବାର୍ତ୍ତାରେ କହିଛନ୍ତି। ଶ୍ରୀ ପଣ୍ଡା ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ମାଡ଼ରେ ଏକ ସେନା ଗାଡ଼ି ଜଳି ଯାଇଥିଲା। ଏହାଫଳରେ ୫ ଜଣ ଯବାନ ସହିଦ ହୋଇଯାଇଥିଲେ। ନିହତ ଯବାନଙ୍କ ମଧ୍ୟରେ ଥିଲେ ଜଣେ ଓଡ଼ିଆ ପୁଅ। ସେ ହେଲେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ଅଳଗୁମ ଖଣ୍ଢାୟତସାହିର ଦେବାଶିଷ ବିଶ୍ବାଳ(୨୮ ବର୍ଷ)।
ପ୍ରତାପ ବିଶ୍ବାଳ ଓ ମମତା ବିଶ୍ବାଳଙ୍କ ବଡ଼ପୁଅ ଦେବାଶିଷ ପ୍ରାୟ ୧୦ ବର୍ଷ ତଳେ ସେନାରେ ଭର୍ତ୍ତି ହୋଇଥିଲେ। ୨୦୨୨ ମସିହା ମେ ମାସ ୪ ତାରିଖରେ ତାଙ୍କର ସୁଶ୍ରୀସଙ୍ଗୀତା ବିଶ୍ବାଳଙ୍କ ସହ ବିବାହ ହୋଇଥିଲା ଓ ସେମାନଙ୍କର ଏକ ଛୋଟ ଝିଅ ଅଛି। ଆତଙ୍କବାଦୀ ଆକ୍ରମଣରେ ଦେବାଶିଷଙ୍କ ଆକସ୍ମିକ ମୃତ୍ୟୁଖବର ତାଙ୍କର ଜଣେ ସାଙ୍ଗ ପରିବାରକୁ ଖବର ଦେବାପରେ ଗ୍ରାମରେ ଶୋକର ଲହରି ଖେଳିଯାଇଛି। ପରିବାରରେ କାନ୍ଦବୋବାଳି ପଡ଼ିଯାଇଥିବା ବେଳେ ସମଗ୍ର ଗାଁ ସ୍ତବ୍ଧ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe