ପୁରୀ: ଯାହା ଘଟିଲା ଅତ୍ୟନ୍ତ ଦୁଃଖଦାୟକ। ଆଗକୁ ଯାହା ନୀତି ଅଛି ସେସବୁ କିଭଳି ଶୃଙ୍ଖଳିତ ହେବ, ତାହାକୁ ପ୍ରାଥମିକତା ଦିଆଯାଇଛି। ବିଶୃଙ୍ଖଳାର ପୁନରାବୃତ୍ତି ନ ହେବା ଲାଗି ଗୁରୁତ୍ବ ଦିଆଯାଇଛି। ପ୍ରଶାସନିକ ଅଧିକାରୀମାନେ ସେବକ ଭାବେ ସେବା କରିବେ। କୌଣସି ସେବାୟତ ଅନଧିକୃତ ନୁହନ୍ତି। ସମସ୍ତଙ୍କ ସହଯୋଗ ଓ ସମନ୍ବୟରେ ଆଗକୁ ଥିବା ବାହୁଡ଼ା, ସୁନାବେଶ ଓ ନୀଳାଦ୍ରି ବିଜେ ନୀତି ଶୃଙ୍ଖଳିତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ରଥଯାତ୍ରାରେ ଘଟିଥିବା ବିଶୃଙ୍ଖଳା ପ୍ରସଙ୍ଗରେ ଆଜି ପୁରୀ ସର୍କିଟ୍ ହାଉସ୍ରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ ସୁରକ୍ଷାକୁ ନେଇ ବରିଷ୍ଠ ପୁଲିସ ଅଧିକାରୀ ଓ ନୀତିକାନ୍ତିକୁ ନେଇ ବରିଷ୍ଠ ସେବାୟତ ତଥା ଛତିଶା ନିଯୋଗ ସଦସ୍ୟଙ୍କ ସହ ଦଫା ଦଫାରେ ଆଲୋଚନା କରିଛନ୍ତି। ସୁରକ୍ଷାର ତିନିଟି ଦିଗ ଯଥା ସୁରୁଖୁରୁରେ ରଥ ପରିଚାଳନା ଓ ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଲେ, ‘ଭକ୍ତଙ୍କ ସୁରକ୍ଷା ଆମର ପ୍ରାଥମିକତା। ସବୁ ଅଧିକାରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ସେବାୟତଙ୍କ ସହ ହୋଇଥିବା ଆଲୋଚନାରେ ସେମାନଙ୍କର ଅସୁବିଧା ବିଷୟରେ ସେମାନେ ଲିଖିତ ଭାବେ ଅବଗତ କରାଇଛନ୍ତି। ଏହାର ସମାଧାନ ପାଇଁ ଆମ ସରକାର ପ୍ରସ୍ତୁତ ଅଛି। ଆଗକୁ ଥିବା ବାହୁଡ଼ା, ସୁନାବେଶ ଓ ନୀଳାଦ୍ରି ବିଜେ ନୀତି ସୁରୁଖୁରୁରେ ହେବ ବୋଲି ଆମେ ଆଶା ରଖିଛୁ। ଅନୁକୂଳ ପାଗ ଯୋଗୁଁ ଏହି ତିନି ଦିନ ବହୁତ ଭକ୍ତ ଆସିବେ। ସୁନାବେଶରେ ସୁରକ୍ଷା ବ୍ୟବସ୍ଥାର ପରିଚାଳନା ପାଇଁ ଏବଂ ସବୁବେଳେ ସବୁ ସମୟରେ କିଛି ଅପ୍ରତ୍ୟାଶିତ ଘଟଣା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏହି ତିନିଟି ବଡ ଉତ୍ସବକୁ ନିର୍ଭୁଲ ଭାବେ ପରିଚାଳନା କରିବା ପାଇଁ ଯୋଜନା ହୋଇଛି। ସୁରକ୍ଷା ପାଇଁ ଷ୍ଟାଣ୍ଡାର୍ଡ ଏସ୍ଓପି ରହିଛି। ଏହି ଏସ୍ଓପି ଯେଭଳି କଡ଼ାକଡ଼ି ପାଳନ ହେବ ତାହା ଅଧିକାରୀମାନେ ନିଶ୍ଚିତ କରିବେ।
‘ସେବକ ଭାବେ ସେବା କରନ୍ତୁ ପ୍ରଶାସନିକ ଅଧିକାରୀ’
‘ଯାହା ଘଟିଲା ଅତ୍ୟନ୍ତ ଦୁଃଖଦାୟକ’
ଗହଳି କମ କରିବା ପାଇଁ କର୍ଡନ୍ ପାସକୁ କାଣ୍ଟଛାଣ୍ଟ କରାଯିବ। ମହାରଣା ଓ ଭୋଇ ସେବକମାନଙ୍କ ପରାମର୍ଶ ନେଇ, ରଥଟଣା ନୀତି କରାଯିବ। ଉପରୋକ୍ତ ତିନିଟି ଉତ୍ସବରେ ବେଳାଭୂମିରେ ଶହଶହ ଭକ୍ତ ସମୟ ଅତିବାହିତ କରିବେ। ତେଣୁ ବେଳାଭୂମିକୁ ସୁରକ୍ଷିତ ରଖିବା ପାଇଁ ପୁଲିସ ଓ ଅଗ୍ନିଶମ ବିଭାଗ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ସେ କହିଥିଲେ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି ସମାପନ ବିଷୟରେ ବିବରଣୀ ରଖିଥିଲେ। ଭକ୍ତଙ୍କ ପାଇଁ ଆଡ଼ପ ମଣ୍ଡପ ଦର୍ଶନ ପାଇଁ ଉତ୍ତମ ବ୍ୟବସ୍ଥା ହୋଇଥିବା କହିଥିଲେ। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଟ୍ରାଫିକ ନିୟନ୍ତ୍ରଣ ଓ ରଥଯାତ୍ରା ସମାପ୍ତ ହେବା ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପର ବିବରଣୀ ଦେଇଥିଲେ। ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ସାଂସଦ ଡ.ସମ୍ବିତ ପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ୱାଇବି ଖୁରାନିଆ, ରଥଯାତ୍ରା ସ୍ୱତନ୍ତ୍ର ଦାୟିତ୍ୱରେ ଥିବା କମିସନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ବିଭିନ୍ନ ଦିଗ ଉପରେ ମତାମତ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ସ୍ରୋତପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ଡିଜି ଦୟାଲ ଗଙ୍ଗୱାର, ପୁରୀ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସ୍ପି ପିନାକ ମିଶ୍ର ଉପସ୍ଥିତ ଥିଲେ।