ଭୁବନେଶ୍ବର: ଜନ୍ମଦାତ୍ରୀ ମା’ଙ୍କ ସ୍ମୃତିରେ ଗଛଟିଏ ଲଗାନ୍ତୁ। ସେହି ଗଛକୁ ନିଜ ପରିବାରର ସଦସ୍ୟ ଭଳି ଦେଖାଶୁଣା କରନ୍ତୁ। ପ୍ରଧାନମନ୍ତ୍ରୀ, ଧରିତ୍ରୀ ମାତା ଓ ଆମର ଆଗାମୀ ପିଢ଼ିକୁ ରାଜ୍ୟବାସୀଙ୍କ ଶ୍ରେଷ୍ଠ ଉପହାର ହେବ ବୋଲି ଆଜି ଏକାମ୍ର କଲେଜ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ଅବସରରେ ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଏକ ଅଁଳା ଗଛ ଲଗାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। 

Advertisment

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଶର ବିକାଶ ପୁରୁଷ ତଥା ବିଶ୍ୱର ଶ୍ରେଷ୍ଠ ଲୋକପ୍ରିୟ ନେତା ଭାବେ ବର୍ଣ୍ଣନା କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଦୀର୍ଘ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ନରେନ୍ଦ୍ର ମୋଦୀ ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ସ୍ୱାଧୀନତା ପରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ୫୫ବର୍ଷର ରାଜନୈତିକ ଜୀବନରେ ସବୁବେଳେ ଦେଶ ମାତୃକାର ସେବା ବିଷୟରେ ହିଁ ଚିନ୍ତା କରିଆସିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି, ଦିଗ୍‌ଦର୍ଶନ, ନେତୃତ୍ୱ, କାର୍ଯ୍ୟଶୈଳୀ ସବୁଠାରୁ ଭିନ୍ନ ଓ ଅନନ୍ୟ। ରାଷ୍ଟ୍ର ହିତ ମୋଦୀଙ୍କ ପାଇଁ ଏକ ସ୍ଲୋଗାନ ନୁହେଁ, ଏହା ତାଙ୍କ ଜୀବନ ପଦ୍ଧତି। 

ଏକ୍ ପେଡ୍ ମା’ କେ ନାମ୍ ଅଭିଯାନ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଆଜି ଜନ୍ମ ଦିବସରେ ଗଛ ଲଗାଯାଉଛି। ମା’ର ସମ୍ମାନରେ ଧରିତ୍ରୀ ମାତାର ସୁରକ୍ଷା ପାଇଁ ମୋଦୀ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଆଜିର ଦିନଟି ଉଭୟ ମା’ ଓ ଧରିତ୍ରୀ ମା ପାଇଁ ସମର୍ପିତ। ଗତବର୍ଷ ଆରମ୍ଭ ହୋଇଥିବା ଏକ୍ ପେଡ୍ ମା’ କେ ନାମ୍ ଅଭିଯାନରେ ରାଜ୍ୟରେ ୬.୭୨ କୋଟି ଗଛ ଲଗାଯାଇଥିଲା। ସାରା ଦେଶରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଥିଲା। ଏବର୍ଷ ଏହି ଅଭିଯାନର ଦ୍ବିତୀୟ ସଂସ୍କରଣରେ ୭.୫ କୋଟି ଗଛ ଲଗାଇବା ପାଇଁ ନିଷ୍ପତ୍ତି ହୋଇଛି। ଆଜି ୧.୪୯କୋଟି ଗଛ ଲାଗିଥିବା ବେଳେ ଆଜିସୁଦ୍ଧା ୬କୋଟିରୁ ଅଧିକ ଗଛ ଲଗାଯାଇଛି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶାର ବିକାଶ ପାଇଁ ମୋଦୀଙ୍କ ସ୍ବତନ୍ତ୍ର ଦୃଷ୍ଟି ରହିଛି। ଗତ ବର୍ଷ ଆଜିର ଦିନରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିଲେ ଓ ମା’ମାନଙ୍କ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ସୁଭଦ୍ରା ଯୋଜନା ଆଜି ରାଜ୍ୟର କୋଟିଏ ମା’ଙ୍କ ପାଇଁ ଆର୍ଥିକ ସଶକ୍ତୀକରଣର ଏକ ପ୍ରମୁଖ ଅସ୍ତ୍ର ହୋଇଛି। ଆଜି ପ୍ରଧାନମନ୍ତ୍ରୀ ମା’ମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଏକ ବୈପ୍ଳବିକ ଅଭିଯାନ ଆରମ୍ଭ କରିଛନ୍ତି ‘ସୁସ୍ଥ ନାରୀ, ସଶକ୍ତ ପରିବାର’।

ରାଷ୍ଟ୍ରହିତ ମୋଦୀଙ୍କ ପାଇଁ ଏକ ସ୍ଲୋଗାନ ନୁହେଁ, ଜୀବନ ପଦ୍ଧତି: ମୁଖ୍ୟମନ୍ତ୍ରୀ 

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ପ୍ରଧାନମନ୍ତ୍ରୀଙ୍କ ଦେଶପ୍ରେମ ଓ ଦେଶସେବା ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଯୋଜନାଗୁଡ଼ିକ କିପରି ଦେଶର ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆଣିପାରିଛି ସେସମ୍ପର୍କରେ ବର୍ଣ୍ଣନା କରିଥିଲେ। ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ। ବିଧାୟକ ବାବୁ ସିଂ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ମୁଖ୍ୟମନ୍ତ୍ରୀ କଲେଜ ପରିସରରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କଲେଜ ପରିସରରେ ୧ହଜାର ଫଳଚାରା ରୋପଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଉପସ୍ଥିତ ଥିଲେ।

ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମେ ମାଷ୍ଟର କ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡରେ ଆୟୋଜିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ରାଷ୍ଟ୍ରବ୍ୟାପୀ ସେବା ପର୍ବ ପାଳନ ହେଉଛି। ଏହି ଦୁଇ ସପ୍ତାହ ସମୟ ସମସ୍ତଙ୍କ ପାଇଁ ସେବା, ସଂକଳ୍ପ ଓ ସମର୍ପଣର ପକ୍ଷ ହେବ। ମୋଦୀଙ୍କ ନେତୃତ୍ୱରେ ୨୦୧୪ରେ ଆରମ୍ଭ ହୋଇଥିବା ‘ସ୍ୱଚ୍ଛ ଭାରତ ଅଭିଯାନ’ ଆଜି ଦେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବାରେ ସଫଳ ହୋଇଛି। ସ୍ୱାଧୀନତାର ୭୦ ବର୍ଷ ପରେ ୨୦୧୪ ମସିହାରେ ସ୍ୱଚ୍ଛ ଭାରତ ଜରିଆରେ ଗାନ୍ଧୀଜୀଙ୍କ ସ୍ୱପ୍ନକୁ ମୋଦୀ ହିଁ ପୂରଣ କରିଛନ୍ତି। ସାଧାରଣ ଜନତାଙ୍କ ଉପରେ ସ୍ୱଚ୍ଛ ଭାରତ ଅଭିଯାନର ସବୁଠୁ ଭଲ ପ୍ରଭାବ ପଡ଼ିଛି। ପୂର୍ବ ଅପେକ୍ଷା ଲୋକମାନେ ଏବେ ଅଧିକ ସଚେତନ ହୋଇପାରିଛନ୍ତି।