ସାକ୍ଷୀଗୋପାଳ: ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ମନ୍ତ୍ରିପରିଷଦ, ସାଂସଦ ଓ ବିଧାୟକମାନେ ପୁରୀ ଗସ୍ତରେ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଫେରିବା ବାଟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗ୍ରାମ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କ ସରକାର ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ଅନ୍ୟମାନେ ସୁଆଣ୍ଡୋରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ସେମାନଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରଥମେ ପଣ୍ଡିତଙ୍କ ଷଠିଘର ପରିଦର୍ଶନ କରି ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଗୋପବନ୍ଧୁ ପାର୍କ ଓ ଗୋପବନ୍ଧୁ ସଂଗ୍ରହାଳୟ ଭିତର ବୁଲି କଳାକୃତି ଦେଖିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହ ମିଶି ଭଲମନ୍ଦ ଆଲୋଚନା କରିଥିଲେ। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଥିଲେ, ସରକାର ଆସିବା ପୂର୍ବରୁ ଓଡ଼ିଆଙ୍କର ଅସ୍ମିତା ଉପରେ ଅନେକ ପ୍ରଶ୍ନ ଓ ସଙ୍କଟ ସୃଷ୍ଟି ହୋଇଥିଲା। କିଭଳି ଓଡ଼ିଆ ଅସ୍ମିତାର ସୁରକ୍ଷା ହୋଇପାରିବ ସେ ନେଇ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଗତକାଲି ଶପଥପାଠ ଉତ୍ସବ ପୂର୍ବରୁ ଯେଉଁମାନେ ଓଡ଼ିଆ ଅସ୍ମିତା ଓ ଓଡ଼ିଆଙ୍କୁ ସମ୍ମାନ ଦେଇ ସତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସହ ଓଡ଼ିଆପ୍ରାଣକୁ ବଞ୍ଚାଇ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରଥିଲେ ସେହି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ମହାପୁରୁଷ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋକୁ ଆସି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ରାଜ୍ୟ ସରକାରଙ୍କ ପ୍ରମୁଖ କାର୍ଯ୍ୟ ଥିଲା।

ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ପୁରୀ ସାଂସଦ ସମ୍ବିତ ପାତ୍ର, ବାଲେଶ୍ୱର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ସତ୍ୟବାଦୀ ବିଧାୟକ ଓମ୍‌ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଧାୟକମାନେ ଉପସ୍ଥିତ ଥିଲେ।