ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଡାକ୍ତରଖାନାରେ ଶଯ୍ୟା ସଂଖା ବୃଦ୍ଧି, ରୋଗୀଙ୍କ ସହାୟକଙ୍କ ଲାଗି ସ୍ୱତନ୍ତ୍ର ସୁବିଧା

ଭୁବନେଶ୍ୱର: ‘ମୋ ସରକାର’ ଯୋଜନା କାର୍ଯ୍ୟକାରୀ ହେବା  ପରେ ସମ୍ପ୍ରତି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ସ୍ୱାସ୍ଥ୍ୟସେବା ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଏହାର ତଦାରଖ ଲାଗି କିଛିଦିନ ହେବ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ,  ୫-ଟି ସଚିବ ଭି.କେ ପାଣ୍ଡିଆନ, ସ୍ୱାସ୍ଥ୍ୟ ସଚିବ ଓ  ଏନ୍‌ଏଚଏମ୍‌ ମୁଖ୍ୟ ୧୫ଟି ଜିଲ୍ଲା ଗସ୍ତ କରି ଚିକିତ୍ସାଳୟଗୁଡ଼ିକ ପରିଦର୍ଶନ କରି ସିଧାସଳଖ ରୋଗୀଙ୍କ ସହ କଥା ହୋଇ ସେମାନଙ୍କ ଅସୁବିଧା ବୁଝିବା ସହିତ ଚିକିତ୍ସାଳୟରେ କେଉଁକେଉଁ ତ୍ରୁଟି ରହିଛି ତାହାର  ସମୀକ୍ଷା କରିଥିଲେ।

ଏହି କ୍ରମରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଟି ଜିଲ୍ଲାର ଡାକ୍ତରଖାନା  ଲାଗି  ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ମାଲକାନଗିରି, କୋରାପୁଟ ଓ  ନବରଙ୍ଗପୁର ମେଡିକାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବା ସହିତ ନିମ୍ନୋଲିଖିତ ସୁବିଧା ପାଇଁ ଯୋଜନା କରାଯାଇଛି ।

ମାଲକାନଗିରି ଜିଲ୍ଲା ହସ୍‌ପିଟାଲ୍‌ରେ ଡାକ୍ତରଙ୍କ ରହଣି ବ୍ୟବସ୍ଥା ସହିତ ଟ୍ରାନ୍‌ଜିଟ୍‌ ହୋମ ନିର୍ମାଣ ହେବ। ଏଥସହିତ ହସ୍‌ପିଟାଲରେ ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି କରାଯିବ। କେବଳ ଏତିକି ନୁହେଁ, ମାଲକାନଗିରିରୁ ମୋଟୁକୁ ବସ ଚଳାଚଳ ସୁବିଧା ବି ଯୋଗାଇ ଦିଆଯିବ।

ସେହିପରି ନବରଙ୍ଗପୁର ଜିଲ୍ଲା ମେଡିକାଲରେ ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି କରିବା ସହିତ ନୂଆ ମେଡିକାଲ କୋଠା, ରୋଗୀଙ୍କ ସହିତ ଆସିଥିବା ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମଗୃହ ଆଦି ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି। ଏଥିସହିତ ମେଡିକାଲ ପାଇଁ ୩ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ।

ଏଥି ସହିତ, କୋରାପୁଟ ମେଡିକାଲ କଲେଜରେ ଆସନ୍ତା ୨ବର୍ଷ ଭିତରେ ଶଯ୍ୟା ସଂଖ୍ୟା ୭୦୦କୁ ବୃଦ୍ଧି କରାଯିବ ବୋଲି ଯୋଜନା ରଖାଯାଇଛି। ରୋଗୀଙ୍କ ସହିତ ଆସିଥିବା ଆଟେଣ୍ଡେଣ୍ଟଙ୍କ ପାଇଁ ବିଶ୍ରାମ ଗୃହ, ଷ୍ଟାଫ୍‌ କ୍ୱାଟର ଟ୍ରାନ୍‌ଜିଟ୍‌ ହୋମ ଆଦି ନିର୍ମାଣ କରାଯିବ।

ସେହିପରି କୋରାପୁଟ ଜିଲ୍ଲା ହସ୍‌ପିଟାଲରେ ଶଯ୍ୟା ସଂଖ୍ୟା ୨୫୦କୁ ବୃଦ୍ଧି କରାଯିବ ସହିତ ଷ୍ଟାଫ୍‌ କ୍ୱାଟର, ଆଟେଣ୍ଡେଣ୍ଟଙ୍କ ପାଇଁ ବିଶ୍ରାମ ଗୃହ ଓ ଦୁଇଟି ଆମ୍ବୁଲାନ୍ସ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର