କୋଭିଡ୍ ମୁକାବିଲା ଲାଗି ନୂଆ ରଣନୀତି ଘୋଷଣା କ‌ଲେ ମୁଖ୍ୟମନ୍ତ୍ରୀ : ପ୍ରତି ପଞ୍ଚାୟତରେ ଖୋଲିବ କୋଭିଡ କେୟାର ହୋମ୍, ରୋଗ ପରିଚାଳନା ବୁଝିବ ଓ୍ଵାର୍ଡସ୍ତରୀୟ କମିଟି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡର ମୁକାବିଲା ପାଇଁ ୨ଟି ଘୋଷଣା କରିଛନ୍ତି। ସେ କହିଛନ୍ତି, କରୋନା ସହିତ ଆମର ଯୁଦ୍ଧ ଏକ ଲମ୍ବା ଲଢ଼େଇ। ଆମେ ସମସ୍ତେ ସଚେତନ ହେଲେ ହିଁ ଏହାକୁ ଦୂରେଇ ଦେଇପାରିବା। କୋଭିଡ଼ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଆମେ ଅଭିଯାନ ଆରମ୍ଭ କରିଛୁ। ତା’ ସହିତ ଘରକୁ ଘର ବୁଲି ସର୍ଭେ କାମ ଆରମ୍ଭ ହେଉଛି। ଏଥିରେ ଗୁରୁତର ରୋଗୀଙ୍କ ଠାରୁ ଆରମ୍ଭ କରି ଥଣ୍ଡା, କାଶ ଓ ଜ୍ୱର ଲକ୍ଷଣଯୁକ୍ତ ରୋଗୀମାନଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ଆବଶ୍ୟକ ପରାମର୍ଶ ଓ ଚିକିତ୍ସା ଦେବାର ବ୍ୟବସ୍ଥା କରାଯାଇଛି। ବୟସ୍କ ବ୍ୟକ୍ତି ଓ ୧୦ବର୍ଷରୁ କମ୍‌ ବୟସର ପିଲାମାନଙ୍କ ସ୍ୱତନ୍ତ୍ର ଯତ୍ନ ନେବା ପାଇଁ ସଚେତନ କରାଯାଉଛି।

କରୋନା ମୁକାବିଲାର ନୂତନ ରଣକୌଶଳର ଅଂଶ ସ୍ୱରୂପ ଆମେ ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍‌ ଫେସିଲିଟି କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଏଥିରେ ୧୦ରୁ ୨୦ଜଣ ବ୍ୟକ୍ତି ରହିବାର ବ୍ୟବସ୍ଥା କରାଯିବ। ଏହାଦ୍ୱାରା ସାରା ରାଜ୍ୟରେ ଗ୍ରାମାଞ୍ଚଳରେ ପ୍ରାୟ ୭୦ହଜାର ଲୋକଙ୍କର ରହିବା ପାଇଁ ବ୍ୟବସ୍ଥା କରିପାରିବ। ଥଣ୍ଡା, ଜ୍ୱର ଓ କାଶ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ସିଧାସଳଖ ହସ୍‌ପିଟାଲ୍‌ ନିଆ ନ ଯାଇ ପ୍ରଥମେ କୋଭିଡ କେୟାର ହୋମ୍‌କୁ ଅଣାଯିବ। ଟେଷ୍ଟିଂ ପରେ ଯଦି କୋଭିଡ ପଜିଟିଭ୍‌ ଆସେ ତେବେ ଯାଇ ତାଙ୍କୁ କୋଭିଡ ହସ୍‌ପିଟାଲକୁ ପଠାଯିବ। ଅନ୍ୟଥା ସେ ଘରେ ରହି ଚିକିତ୍ସିତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, କୋଭିଡ ପରିଚାଳନାକୁ ବିକେନ୍ଦ୍ରୀକରଣ କରିବା ପାଇଁ ସହର ଓ ଗାଁ ସବୁଠାରେ ଓ୍ଵାର୍ଡସ୍ତରୀୟ କମିଟି ଗଠନ କରାଯିବ। ଏହି କୋଭିଡ ପରିଚାଳନା କମିଟିରେ ଓ୍ଵାର୍ଡସ୍ତରୀୟ ଲୋକ ପ୍ରତିନିଧିଙ୍କ ସମେତ ଆଶା କର୍ମୀ, ଅଙ୍ଗନଓ୍ଵାଡ଼ି କର୍ମୀ, ଏ.ଏନ୍‌.ଏମ୍‌ ଏବଂ ଏସ୍‌.ଏଚ.ଜିର ମାଆମାନେ ସଦସ୍ୟ ରହିବେ। ଏହି କମିଟିକୁ ମହାମାରୀ ରୋଗନିୟନ୍ତ୍ରଣ ଆଇନ ଅନୁଯାୟୀ ସ୍ୱତନ୍ତ୍ର କ୍ଷମତା ଦିଆଯିବ। ବର୍ତ୍ତମାନର ଗାଁ କଲ୍ୟାଣ ସମିତି ଏହି କୋଭିଡ ପରିଚାଳନା କମିଟିର ଦାୟିତ୍ୱ ନିର୍ବାହ କରିବେ। ପ୍ରତି କମିଟିର ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାର କ୍ଷମତା ଦିଆଯିବ। କୋଭିଡ କେୟାର ହୋମ୍‌ ଓ  ଟିଏମ୍‌ସିର ଦାୟିତ୍ୱ ପୂର୍ବଭଳି ସରପଞ୍ଚଙ୍କ ଉପରେ ନ୍ୟସ୍ତ ରହିବ ଏବଂ ଏଥିପାଇଁ ତାଙ୍କୁ ଆର୍ଥିକ ଓ ପ୍ରଶାସନିକ କ୍ଷମତା ମିଳିବ।

‘ସହରାଞ୍ଚଳରେ ଓ୍ଵାର୍ଡ କମିଟିଗୁଡ଼ିକ ଓ୍ଵାର୍ଡ ଅଫିସରଙ୍କ ଦ୍ୱାରା ପଚିଚାଳିତ ହେବ ଏବଂ ଏଥିରେ ସ୍ଥାନୀୟଲୋକ ଓ  ସ୍ବେଚ୍ଛାସେବକ ସଦସ୍ୟ ରହିବେ। ସେମାନେ ଘରକୁ ଘର ବୁଲି ଜନସାଧାରଣଠାରୁ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀୟ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ସହରାଞ୍ଚଳର ବସ୍ତି ଉପରେ କମିଟି ଅଧିକ ଫୋକସ୍‌ ଦେବା ସହିତ ବଡ଼ବଡ଼ ବସ୍ତିଗୁଡ଼ିକରେ କୋଭିଡ କେୟାର ହୋମ୍‌ ମଧ୍ୟ ସ୍ଥାପନ କରିବ।’

‘କରୋନା ଲଢ଼େଇରେ ପ୍ରତିଟି ଲୋକ ହେଉଛି ଜଣେ ଜଣେ ଯୋଦ୍ଧା। ଏ ଯୁଦ୍ଧର ସଫଳତା ପାଇଁ ଆପଣମାନଙ୍କର ସମସ୍ତଙ୍କ ସକ୍ରିୟ ସହଯୋଗ ଆବଶ୍ୟକ। ଏ ପର୍ଯ୍ୟନ୍ତ ଆମେ ହାସଲ କରିଥିବା ସଫଳତାକୁ ଆମକୁ ଆହୁରି ଆଗକୁ ନେବାକୁ ହେବ। ଆମେ ଅଧିକ ସତର୍କ ରହିବ। ସଚେତନ ରହିବା। ଏ ହେଉଛି ଆମ ଧୈର୍ଯ୍ୟ ଓ ସାହସର ପରୀକ୍ଷାର ସମୟ। ଆମ ପରିବାର ଆମ ପିଲାଛୁଆ ଆମ ଜୀବନଜୀବିକା ପାଇଁ ଏ ଲଢ଼େଇ ଆମକୁ ଜିତିବାକୁ ହେବ। ଆମେ ନିଶ୍ଚୟ ଜିତିବା।’

ସମ୍ବନ୍ଧିତ ଖବର