‘ଫନି’ କ୍ଷତିଗ୍ରସ୍ତଙ୍କ ପାଇଁ ୧୬୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଫନିି ’ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ୧୬୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି।

ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସଚିବାଳୟରେ ଘୋଷଣା କରିଥିବା ଏହି ପ୍ୟାକେଜ୍‌ ଅନୁଯାୟୀ ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬୮୦୦ ଟଙ୍କା ,ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩, ୫୦୦ ଟଙ୍କା ଏବଂ ବର୍ଷ ସାରା ଫସଲ ହେଉଥିବା ଜମି ପାଇଁ ୧୮,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

‘ଫନି ’କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକୁ ପରିବା ଚାଷ ଲାଗି ୧ ଲକ୍ଷ ‘ମିନି କିଟ୍‌’ ଯୋଗାଣ କରାଯିବ।  କ୍ଷତିଗ୍ରସ୍ତ ପାନଚାଷୀମାନଙ୍କୁ ୧୫ ହଜାରେ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ। ଛତୁଚାଷ ପାଇଁ ନଡ଼ାଛପର ଘର ନିର୍ମାଣ ପାଇଁ ୪୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ ।
କ୍ଷତିଗ୍ରସ୍ତ ହୋଇଥିବା କଦଳୀ ଚାଷ ପାଇଁ ହେକ୍ଟର ପିଛା ୨୫ ହଜାର ଟଙ୍କାର କ୍ଷତିପୂରଣ ଚାଷୀମାନଙ୍କୁ ଦିଆଯିବ।

ସେହିପରି ପ୍ରତି ଦୁହାଁଳିଆ ଗାଇ ଓ ମଇଁଷି ପାଇଁ ୩୦,୦୦୦ ଟଙ୍କା ଓ ପ୍ରତି ହଡ଼ା ଗାଈ ପାଇଁ ୨୫ ହଜାର ଟଙ୍କା ଲେଖାଏଁ ଓ ପ୍ରତି ଛେଳି ପାଇଁ ୩ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯିବ।  ଗାଇ ଗୁହାଳ ନିର୍ମାଣ ପାଇଁ ୫୦ ହଜାର ଟଙ୍କା  ଦିଆଯିବ।

କ୍ଷତିଗ୍ରସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ସହାୟତା ଯୋଗାଇ ଦିଆଯିବ । କ୍ଷତିଗ୍ରସ୍ତ ମତ୍ସଜୀବୀମାନଙ୍କୁ ନୂଆ ଡ଼ଙ୍ଗା କିଣିବା ପାଇଁ ଆବଶ୍ୟକ ୮୦ ହଜାର ଟଙ୍କାର ୫୦ ପ୍ରତିଶତ ଏବଂ ନୂଆ ଜାଲ ପାଇଁ ଆବଶ୍ୟକ ୨୦ ହଜାର ଟଙ୍କାର ୫୦ ପ୍ରତିଶତ ପ୍ରଦାନ କରାଯିବ। ପ୍ରତ୍ୟେକ ମତ୍ସଜୀବୀଙ୍କୁ  ହେକ୍ଟର ପିଛା ୧୨ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

କ୍ଷତିଗ୍ରସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅତିରିକ୍ତ ସିଡ଼ ମନି ୧୦ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
କ୍ଷତିଗ୍ରସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ୧ ଲକ୍ଷ ଟଙ୍କା ଲେଖାଏଁ ଗୋଷ୍ଠୀଗତ ପୁଞ୍ଜିଲଗାଣ ପାଣ୍ଠି ଯୋଗାଇ ଦିଆଯବ।  ଯେଉଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଶୁଖିଲା ଖାଦ୍ୟ ପ୍ରସ୍ତୁତ କରୁଛନ୍ତି,ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର