ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଷଠିଘର ଠାରେ ହୋଇଥିବା ଟ୍ରକ ଦୁର୍ଘଟଣାରେ ପାଞ୍ଚ ମୃତକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ସେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।  ଏହାଛଡ଼ା ଏହି ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Advertisment

ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ୨୦ ନମ୍ବର ଜାତୀୟ ରାଜପଥରେ ଏକ ବରଯାତ୍ରୀ ଦଳ ଆସୁଥିବାବେଳେ ଷଠିଘର ନିକଟରେ ଶୁଆକାଟି ପଟୁ ଆସୁଥିବା ଏକ ଟ୍ରକ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ୯ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ୬ଜଣଙ୍କୁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ।

ଅଘଟଣ ପରେ ବର ବାହା ନ ହୋଇ ଫେରିଯାଇଥିବାବେଳେ  ପୁଲିସ ଟ୍ରକକୁ ଜବତ କରିଛି। ମୃତକମାନେ ହେଲେ ମାନପୁର ଗ୍ରାମର ଜିତ୍‌ ପାତ୍ର, କାଳିଆ ମହାନ୍ତ, ଲକ୍ଷ୍ମୀପାଦର ରତିମୁଣ୍ଡା, ଷଠିଘରର ଅମିତ ପାତ୍ର ଓ କେଉଟ ସାହିର ବାପୁନ ଦେହୁରୀ। ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।