ଭୁବନେଶ୍ବର/ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ମୌଳାଭଣଜା ଛକରେ ଘଟିଥିବା ଦୁର୍ଘଟଣା ପୀଡ଼ିତଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି। ସେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି। ଏହାଛଡ଼ା ଆହତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ପ୍ରଦାନ ଲାଗି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଗଞ୍ଜାମ ଦିଗପହଣ୍ଡି ବସ୍ ଦୁର୍ଘଟଣା ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଏଥିସହ ଘଟଣାରେ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ₹୩ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।…
— CMO Odisha (@CMO_Odisha) June 26, 2023
ଆଜି ଭୋରରୁ ଗଞ୍ଜାମ ଦିଗପହଣ୍ଡିଠାରେ ହୋଇଥିବା ବସ ଦୁର୍ଘଟଣାରେ କିଛି ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ସଂପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଏହାଛଡ଼ା ଘଟଣାସ୍ଥଳକୁ ତୁରନ୍ତ ଯାଇ ବିପନ୍ନଙ୍କୁ ସହାୟତା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅର୍ଥ ମନ୍ତ୍ରୀ ବିକ୍ରମ ଆରୁଖ ଓ ଗଞ୍ଜାମ ଡିପିସିସି ଅଧ୍ୟକ୍ଷ ବିଧାୟକ ବିକ୍ରମ ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୭ ଜଣ ରହିଥିବା ସୂଚନା ମିଳିଛି। ଏଥିସହିତ ଦୁଇ ବସ୍ର ଅନେକ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଜଣେ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପ୍ରାଥମିକ ଅବସ୍ଥାରେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ସୂଚନା ଆସିଥିବା ବେଳେ ପରେ ଏହା ୧୨କୁ ବୃଦ୍ଧି ପାଇଥିବା ସ୍ଥାନୀୟ ପୁଲିସ ସୂତ୍ରରୁ ପ୍ରକାଶ।
ପ୍ରାଥମିକ ସୂଚନା ଅନୁସାରେ, ରାୟଗଡ଼ାରୁ ଭୁବନେଶ୍ୱର ଯାଉଥିବା ଓଏସ୍ଆର୍ଟିସି ବସଟି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକ ନିକଟରେ ବିବାହ ପରେ କନ୍ୟାକୁ ଛାଡ଼ି ବ୍ରହ୍ମପୁରରୁ ଫେରୁଥିବା ଏକ ଘରୋଇ ମିନିବସ୍ ସହ ମୁହାଁମୁହିଁ ଧକ୍କା ହେବାରୁ ଏହି ଅଘଟଣ ଘଟିଛି ବୋଲି ଖବର ମିଳିଛି । ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆହତମାନଙ୍କୁ ୩୦ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିବା ସୂଚନା ରହିଛି।
ତେବେ ଏହି ଘଟଣା ସଂପର୍କରେ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ସରକାରୀ ଭାବେ ମୃତ୍ୟୁସଂଖ୍ୟା ୧୦ ବୋଲି ପ୍ରକାଶ ପାଇଛି। ଆହତମାନଙ୍କର ଚିକିତ୍ସା ଜିଲ୍ଲା ପ୍ରଶାସନ ତତ୍ତ୍ବାବଧାନରେ ଚାଲିଥିବା ଏଆରସିଙ୍କ ପକ୍ଷରୁ କହାଯାଇଛି। ବ୍ରହ୍ମପୁର ବଡଡ଼ାକ୍ତରଖାନାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଏସପି ଡା.ସରବଣା ବିବେକ ଏମ୍ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପହଞ୍ଚି ତଦାରଖ କରୁଛନ୍ତି।