ଭୁବନେଶ୍ବର: ଅଗଷ୍ଟ ୩୧ ତାରିଖ ସ୍ବାୟତ୍ତ ଶାସନ ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍‌ସା ନାମ ପରିବର୍ତ୍ତନ ପ୍ରସଙ୍ଗ ଉଠାଇ ବିତର୍କର ଆହ୍ବାନ ଦେଇଥିଲେ। ଏହା ଭିତରେ ୧୦ ଦିନରୁ ଅଧିକ ସମୟ ହେଲାଣି। କିନ୍ତୁ ରେଭେନ୍‌ସାର ନାମ କାହିଁକି ପରିବର୍ତ୍ତନ କରାଯିବ ସେନେଇ ଏ ପର୍ଯ୍ୟନ୍ତ କୌଣସି ବଳିଷ୍ଠ ଯୁକ୍ତି ଆସିପାରିଲା ନାହିଁ। ବୋଧହୁଏ ଅଯଥାରେ ଏ ବିବାଦ ସୃଷ୍ଟି କରାଯାଉଛି। ରେଭେନ୍‌ସା ନାମ ପରିବର୍ତ୍ତନ ଆଉ ବିତର୍କର ବିଷୟ ହୋଇ ରହିନାହିଁ। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଅନୁରୋଧ କରିବି, ସେ ବିଚାର କରନ୍ତୁ। ଓଡ଼ିଶାକୁ ଭଲ ପାଉଥିବା ନବଜାଗରଣର ସୂତ୍ରଧରମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ଏଭଳି ନାମ ପରିବର୍ତ୍ତନର କୌଣସି ବିଚାର ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଖୋଲାଖୋଲି ଘୋଷଣା କଲେ ଅନେକ ଓଡ଼ିଆ ତାଙ୍କ ଉପରେ ଖୁସି ହୋଇ ଅଭିନନ୍ଦନ ଜଣାଇବେ। ରେଭେନ୍‌ସା ନାମ ପରିବର୍ତ୍ତନ ସମ୍ପର୍କରେ ଏଭଳି ମତ ରଖିଛନ୍ତି ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ। 

Advertisment

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି, ଟାଣି ଓଟାରି ଏକ ଯୁକ୍ତି କରାଯାଉଛି ଯେ ନ’ ଅଙ୍କ ଦୁର୍ଭିକ୍ଷ ସମୟରେ ରେଭେନ୍‌ସା ଓଡ଼ିଶା ଦାୟିତ୍ବରେ ଥିଲେ ଓ ତାଙ୍କ ଅବହେଳାରୁ ନଅଙ୍କ ଦୁର୍ଭିକ୍ଷରେ ଲକ୍ଷ ଲକ୍ଷ ଲୋକ ପୋକ ମାଛି ଭଳି ମରିଗଲେ। କିନ୍ତୁ ଐତିହାସିକମାନେ ସିଧାସଳଖ ରେଭେନ୍‌ସାଙ୍କୁ ଦାୟୀ କରିନାହାନ୍ତି। ଯଦି ସେ ଦୋଷୀ, ତେବେ ସର୍ବନିମ୍ନ ତାଙ୍କର ବଦଳି ହୋଇଥା’ନ୍ତା। କିନ୍ତୁ ସେ ନଅଙ୍କ ଦୁର୍ଭିକ୍ଷ ପରେ ୧୦ ବର୍ଷ ଓଡ଼ିଶାରେ ରହିଥିଲେ। ଯଦି ବି ଅବହେଳା ସତ ହୋଇଥାଏ ତେବେ, ତା’ର ପ୍ରାୟଶ୍ଚିତ ପାଇଁ ସେ ଯଥେଷ୍ଟ କରିଛନ୍ତି। ଶିକ୍ଷାକ୍ଷେତ୍ରରେ ସେ ନବଜାଗରଣ ଆଣିବାରେ ଅଗ୍ରଣୀ ଭୂମିକା ନେଇଥିଲେ। ଏହାସହିତ ଏବେ ବଡ଼ ଡାକ୍ତରଖାନା କୁହାଯାଉଥିବା ଏସ୍‌ସିବି ମେଡିକାଲର ସେ ମୂଳଦୁଆ ପକାଇଥିଲେ। ପରବର୍ତ୍ତୀ ସମୟରେ ଜଳସେଚନ କ୍ଷେତ୍ରରେ ଯେଉଁ ବିକାଶ ହୋଇଥିଲା, ସେଥିରେ ମଧ୍ୟ ତାଙ୍କର ଭୂମିକା ଥିଲା। ବଡ଼କଥା ହେଉଛି, ସେ ନିଜେ ଏ ନାଁ ଦେଇ ନଥିଲେ। ତାଙ୍କ ନାମକୁ ଦେଇଥିଲେ ମୟୂରଭଞ୍ଜର ମହାରାଜୀ ଓ ଫକୀର ମୋହନ ସେନାପତି। ମଧୁସୂଦନ ଦାସ ଇଂଲଣ୍ଡ ଯାଇଥିବା ବେଳେ ସେ ରେଭେନ୍‌ସା ସାହେବଙ୍କୁ ଭେଟିଥିଲେ। ରେଭେନ୍‌ସା ସାହେବ ପୂରା ସମୟ ମଧୁବାବୁଙ୍କ ସହ ଓଡ଼ିଆରେ କଥା ହେଉଥିଲେ।

 ଓଡ଼ିଶାର ବନ୍ଧୁଙ୍କ ସମ୍ପର୍କରେ ପଚାରୁଥିଲେ। ସେ ଓଡ଼ିଶାକୁ ଭଲ ପାଇଥିବା ଯଦି ପ୍ରାୟଶ୍ଚିତ ବୋଲି ବିଚାର କରାଯାଏ, ତେବେ ଆମେ କ୍ଷମାଶୀଳ ଜଗନ୍ନାଥଙ୍କର ଭକ୍ତ ଓଡ଼ିଆମାନେ ତାଙ୍କୁ ବରଂ ଅଭିନନ୍ଦନ ଜଣାଇବା କଥା। ଅନ୍ୟପଟେ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମ୍ପାଦକୀୟ ସମ୍ପର୍କରେ ମତ ରଖି ଶ୍ରୀ ପଟ୍ଟନାୟକ କହିଛନ୍ତି, ଭର୍ତ୍ତୃହରି ବାବୁ ରେଭେନ୍‌ସାର ଛାତ୍ର। ୭ ଥର ନିର୍ବାଚନ ଜିତିଛନ୍ତି। ହେଲେ ମହତାବ ବାବୁ ଅନ୍ୟାୟ କରୁଛନ୍ତି। ବୋଧେ ତାଙ୍କ ଭିତରେ ଅହଙ୍କାର ଆସିଲାଣି। ସେ ତାଙ୍କ ମତର ପୁନଃବିଚାର କରନ୍ତୁ। ସରକାର ପରିବର୍ତ୍ତନ ପାଇଁ ଯଦି ଭୋଟର ମତ ପରିବର୍ତ୍ତନ କରୁଛନ୍ତି, ତେବେ ସେ ମତ ପରିବର୍ତ୍ତନ କରିବାରେ କୌଣସି ଅସୁବିଧା ନାହିଁ।