ଭୁବନେଶ୍ବର: ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ। ହେଲେ କିଛି ଗୋଷ୍ଠୀ ରାଜ୍ୟର ଛବିକୁ ମଳିନ କରିବା ପାଇଁ ଉଦ୍ୟମ କରୁଛନ୍ତି। ତାହା କରିବାକୁ ଦିଆଯିବ ନାହିଁ। ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି କରୁଥିବା ବିଶୃଙ୍ଖଳାକାରୀ ଓ ଅସାମାଜିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଜି ଲୋକସେବା ଭବନରେ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଲିସ ଡିଜିପିଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। କଟକ ଘଟଣାରେ ପରିସ୍ଥିତି ସ୍ୱାଭାବିକ ହେଉଥିବା ବୈଠକରେ କୁହାଯାଇଥିଲା। ସ୍ଥିତିରେ ସୁଧାର ଆସିବାରୁ କର୍ଫ୍ୟୁ ହଟିବା ସହ ଇଣ୍ଟରନେଟ୍ ସେବାକୁ ସ୍ବାଭାବିକ କରାଯାଇଛି। ପରିସ୍ଥିତି ସାମାନ୍ୟ ହେଲେ ମଧ୍ୟ ପୁଲିସକୁ ସତର୍କ ରହିବାକୁ ପଡ଼ିବ ଏବଂ କୌଣସି ପରିସ୍ଥିତିରେ କୋହଳ ମନୋଭାବ ପୋଷଣ କରିବା ଉଚିତ ନୁହେଁ। ବର୍ତ୍ତମାନ ପରିସ୍ଥିତିରେ ସବୁ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ଫୋର୍ସ ମୁତୟନ ସହ ପାଟ୍ରୋଲିଂ ଜାରି ରଖାଯାଉ। ଭାଇଚାରାର ସହରରେ ଯେଭଳି ସାମାଜିକ ସଦ୍ଭାବନା ଫେରି ଆସିବ, ସେଥିପାଇଁ ବିଭିନ୍ନ ଗୋଷ୍ଠୀର ନେତୃବୃନ୍ଦଙ୍କ ସହ ପୁଲିସର ଉପରିସ୍ଥ ଅଧିକାରୀମାନେ ଆଲୋଚନା ଜାରି ରଖିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଓଡ଼ିଶାର ଛବି ମଳିନ କରିବାକୁ ଦିଆଯିବ ନାହିଁ
କଟକ ସ୍ଥିତି ସ୍ୱାଭାବିକ ହୋଇଛି, ତଥାପି ସତର୍କ ରୁହ
ଆଇନଜୀବୀଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କର
ସେହିପରି ବ୍ରହ୍ମପୁରରେ ଆଇନଜୀବୀ ତଥା ସମାଜସେବୀ ସ୍ୱର୍ଗତ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୁଃଖପ୍ରକାଶ କରିବା ସହ ହତ୍ୟାକାରୀଙ୍କୁ ତୁରନ୍ତ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରାଧୀଙ୍କୁ କେବଳ ଗିରଫ କରିଦେଲେ ହେବ ନାହିଁ, ସେମାନଙ୍କ ବିରୋଧରେ ଯେଭଳି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହୋଇପାରିବ, ସେଥିପ୍ରତି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପଦେଷ୍ଟା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୁଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।