ନିଜ ଅଞ୍ଚଳର ବିକାଶ କରି ନିଜର ପରିଚୟ ସୃଷ୍ଟି କର : ମୁଖ୍ୟମନ୍ତ୍ରୀ

ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ

ଭୁବନେଶ୍ବର : ଜନସାଧାରଣ ଆମ ଉପରେ ଆସ୍ଥା, ଭରସା ରଖିଛନ୍ତି। ସେମାନଙ୍କୁ କେବେ ନିରାଶ ହେବାକୁ ଦେବା ନାହିଁ। ସେମାନଙ୍କ ଆସ୍ଥା ଓ ଭରସାକୁ ପବିତ୍ର ଦାୟିତ୍ବ ଭାବି ସେବା କଲେ ଲୋକଙ୍କ ହୃଦୟରେ ସବୁ ଦିନ ପାଇଁ ରହିଯିବ। ଗାଁର ସମସ୍ୟାକୁ ନିଜ ସମସ୍ୟା ଭାବି ଏହାର ସମାଧାନ କରିବାକୁ ଉଦ୍ୟମ କର। ନିଜ ଅଞ୍ଚଳର ବିକାଶ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଛନ୍ତି।

ଗୁରୁବାର ଦିନ କିଟ୍‌ କ୍ୟାମ୍ପସରେ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଦିଗ୍‌ଦର୍ଶନ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ ଏଥର ମହିଳାମାନେ ବହୁ ସଂଖ୍ୟାରେ ଜିତି ପଞ୍ଚାୟତର ମଙ୍ଗ ଧରିଛନ୍ତି। ଏହାଦ୍ବାରା ବିଜୁ ବାବୁଙ୍କ ମହିଳା ସଶକ୍ତୀକରଣର ସ୍ବପ୍ନ ସାକାର ହୋଇଛି। ଆମର ଶାସନ ବ୍ୟବସ୍ଥା ଓ ବିକାଶ ଯୋଜନାରେ ପଞ୍ଚାୟତର ଗୁରୁତ୍ବ ବିଷୟରେ ଆପଣମାନେ ଭଲ ଭାବରେ ଜାଣନ୍ତି । ପଞ୍ଚାୟତ ହେଉଛି ସେବାର କେନ୍ଦ୍ର। ସାଧାରଣ ଲୋକ ଯେପରି ସରକାରୀ ସେବାରୁ ବଞ୍ଚିତ ନ ହେବେ, ସରକାରୀ ସେବା ପାଇବାରେ ହଇରାଣ ହେବେନି, ସେଥିପ୍ରତି ଆପଣମାନଙ୍କୁ ଧ୍ୟାନ ଦେବାକୁ ହେବ।

ଗାଁର ସମସ୍ୟାକୁ ନିଜ ସମସ୍ୟା ଭାବି ସମାଧାନ କରନ୍ତୁ
ଗରିବ ଲୋକ, ମହିଳା, ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସୁରକ୍ଷା ଦିଅ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ ଗରିବ ଲୋକ, ମହିଳା ତଥା ଦୁର୍ବଳ ଶ୍ରେଣୀର ଲୋକ ଓ ସେମାନଙ୍କ ଅଧିକାରକୁ ଆପଣମାନେ ସୁରକ୍ଷା ଦିଅନ୍ତୁ। ସେମାନଙ୍କ ସୁଖଦୁଃଖରେ ସାମିଲ ହୁଅନ୍ତୁ। ଗାଁର ବିକାଶରେ ୫-ଟି ମନ୍ତ୍ରକୁ ଉପଯୋଗ କରନ୍ତୁ। ଏହାଦ୍ବାରା ଆପଣଙ୍କ ଗାଁ, ଆପଣଙ୍କ ପଞ୍ଚାୟତର ପରିବର୍ତ୍ତନ ହେବ ଏବଂ ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇପାରିବ ।

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ରାଜ୍ୟର ବିକାଶରେ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ବର୍ତ୍ତମାନ ଜିପିଏସ୍ ଟେକ୍ନୋଲୋଜି ଜରିଆରେ ପଞ୍ଚାୟତର ସବୁ ଭିତ୍ତିଭୂମିକୁ ମ୍ୟାପିଂ କରାଯାଇଛି। ଏହାଦ୍ବାରା ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ସମାଧାନ ତୁରନ୍ତ ହୋଇପାରିବ। ପଞ୍ଚାୟତଗୁଡ଼ିକ ସରକାରଙ୍କ ଅଭିଯୋଗ ଶୁଣାଣି ବ୍ୟବସ୍ଥାର ପ୍ରଥମ ସୋପାନ ତେଣୁ ଅଭିଯୋଗଗୁଡ଼ିକୁ ପଞ୍ଚାୟତ ସ୍ତରରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ।

କୃଷି ଓ କୃଷକ ସଶକ୍ତକରଣ ମନ୍ତ୍ରୀ ଅରୁଣ ସାହୁ କହିଥିଲେ, ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳା ଓ ଯୁବଶକ୍ତିକୁ ଆଗକୁ ଆଣି ପଞ୍ଚାୟତଗୁଡ଼ିକୁ ସଶକ୍ତ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ସମସ୍ତେ ୫-ଟି ମନ୍ତ୍ରକୁ ଉପଯୋଗ କରି କାମ କଲେ, ରାଜ୍ୟରେ ରୂପାନ୍ତର ଆସିପାରିବ।

ମିସନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଥିଲେ, ମୁଖ୍ୟମନ୍ତ୍ରୀ ସମାଜସେବା କରିବା ପାଇଁ ମହିଳା ମାନଙ୍କୁ ସୁଯୋଗ ଦେଇଥିବାରୁ ଓଡ଼ିଶାରେ ମହିଳାମାନେ ସଶକ୍ତ ହୋଇପାରିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ବାଗତ ଭାଷଣ ଦେଇ କହିଥିଲେ, ପଞ୍ଚାୟତ ଅନୁଷ୍ଠାନ ଗୁଡ଼ିକୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଯାଇଛି। ବିକାଶ ପାଇଁ ଅନେକ ଅର୍ଥ ଦିଆଯାଉଛି। ଏହାର ସୁବିନିଯୋଗରେ ପ୍ରତିନିଧି ମାନଙ୍କ ପ୍ରଶିକ୍ଷଣ ବହୁତ ଗୁରୁତ୍ବପୂର୍ଣ୍ଣ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଶ୍ରୀ ଅଶୋକ କୁମାର ମୀନା ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ୧ ଲକ୍ଷ ୬ ହଜାର ୩୫୨ ଜଣ ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର