ସମସ୍ତଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

ପୁରୀରେ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ସ୍ମାର୍ଟ ହେଲ୍‌ଥ କାର୍ଡ

ଉପକୃତ ହେବେ ଜିଲ୍ଲାର ୩.୬୪ ଲକ୍ଷ ପରିବାର
ହଜାରେ କୋଟି ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର

ପୁରୀ/ବ୍ରହ୍ମଗିରି : ପୁରୀ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ଜିଲ୍ଲାର ୩ଲକ୍ଷ ୬୪ହଜାର ଲୋକଙ୍କୁ ଏହି କାର୍ଡ ବଣ୍ଟନ ପାଇଁ ଲକ୍ଷ୍ୟ ରଖାଯାଇଛି। ଗୁରୁବାର ଦିନ ପ୍ରାଥମିକ ପର୍ଯ୍ୟାୟରେ ୫ଜଣ ମହିଳାଙ୍କୁ ମଞ୍ଚ ଉପରେ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ମାଲକାନଗିରି, ସୁନ୍ଦରଗଡ, ବଲାଙ୍ଗୀର, ଗଜପତି ଜିଲ୍ଲା ପରେ ଆଜି ପୁରୀ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସମସ୍ତଙ୍କ ଜୀବନ ମୋ ପାଇଁ ମୂଲ୍ୟବାନ।। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଆଜି ଜିଲ୍ଲାର ପାନୀୟ ଜଳ, ପର୍ଯ୍ୟଟନ ଭିତ୍ତିଭୂମି, ଜଳସେଚନ, ବାତ୍ୟାଆଶ୍ରୟସ୍ଥଳୀ ଆଦି ପାଇଁ ୧ କୋଟି ୬ କୋଟି ୮୨ ଲକ୍ଷ ଟଙ୍କା ପ୍ରକଳ୍ପର ଉଦ୍‌ଘାଟନ ସହ ଭିତ୍ତିପ୍ରସ୍ତର ପକାଇଛନ୍ତି।

ଗୁରୁବାର ଅପରାହ୍ଣରେ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍‌ କେରାଣ୍ଡିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପବିତ୍ର ଧାମ ପୁରୀର ବିକାଶ ଆମର ପ୍ରମୁଖ ଦାୟିତ୍ବ। ନିକଟରେ ପୁରୀବାସୀଙ୍କ ପାଇଁ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ ଯୋଜନାର ଶୁଭାରମ୍ଭ କରି ସହରବାସୀଙ୍କୁ ଆଇଏସ୍‌ଆଇ ମାନର ପାନୀୟ ଜଳ ଯୋଗାଇ ଦିଆଯାଉଛି। ଲଣ୍ଡନ, ୟୁରୋପ, ଟୋକିଓ ଭଳି ଦେଶର ‌ଏହି ସୁବିଧା ଉପଲବ୍ଧ ରହିଥିବାବେଳେ ପୁରୀ ହେଉଛି ଦେଶର ଏକମାତ୍ର ସହର ଯେଉଠି ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ପାନୀୟ ଜଳ ସମସ୍ୟା ବ୍ରହ୍ମଗିରି ଓ କୃଷ୍ଣପ୍ରସାଦର ବଡ଼ ସମସ୍ୟା। ଏହି ଅଞ୍ଚଳର ଜଳ ସମସ୍ୟା ଦୂର ପାଇଁ ବିଭିନ୍ନ ସ୍ଥାନରେ ପ୍ରକଳ୍ପ କାମ ଜାରି ରହିଛି।

ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକଙ୍କୁ ଏହି କାର୍ଡ ବଣ୍ଟନ ହେବ। ପୂର୍ବରୁ ଗରିବ ଲୋକେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟା ସମ୍ମୁଖୀନ ହେଉଥିଲେ। ଜମିବାଡ଼ିଠାରୁ ଆରମ୍ଭ କରି ଘରଦ୍ବାର, ଅଳଙ୍କାର ବି ବିକିବାକୁ ପଛାଉନଥିଲେ। ପିଲାଙ୍କ ପାଠ ପଢ଼ା ବି ବନ୍ଦ କରି ଦେଉଥିଲେ। ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ଗରିବ ଲୋକେ ଏହି ଜଟିଳ ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ। ଗରିବ ପରିବାରର ପିଲାମାନେ ଆଉ ଅଧାରୁ ପାଠ ଛାଡ଼ିବେନାହିଁ। ସ୍ମାର୍ଟ ହେଲ୍‌ଥ କାର୍ଡ ଜରିଆରେ ୨ଶହରୁ ଅଧିକ ବଡ଼ ବଡ଼ ଡାକ୍ତରଖାନାରେ ବାର୍ଷିକ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସେବା ପାଇପାରିବେ। ସିଟି ସ୍କାନ, ଏମଆର୍‌ଆଇ ଆଦି ମାଗଣାରେ କରିପାରିବେ। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ, ଯିଏ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏଭଳି ଯୁଗାନ୍ତକାରୀ ପଦକ୍ଷେପ ନେଇଛି। ଯଦ୍ବାରା ଗରିବଙ୍କ ସଞ୍ଚିତ ଧନ ଆଉ ରୋଗରେ ଖର୍ଚ୍ଚ ହେବନି। ଗରିବଙ୍କ ଆର୍ଥିକ ସ୍ଥିତି ଆହୁରି ସୁଦୃଢ଼ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ କି ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ। ଚାଷୀ ହେଉ କି ମୁଲିଆ ଅବା ରିକ୍ସାବାଲା ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ, ଏହା ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ।

ପୁରୀବାସୀ ରାଜ୍ୟ ସରକାରଙ୍କ ଏହି ବିକାଶ କାର୍ଯ୍ୟକୁ ଦୃଢ଼ ସମର୍ଥ ଦେଇ ଆସୁଛନ୍ତି। ଆଗାମୀ ଦିନରେ ବି ଏହି ସମର୍ଥନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ହିତାଧିକାରୀ କୁମାରୀ ପରିଡ଼ା, ରୁକିୟା ବିବି, ମମତା ତରେଇ, ରିଙ୍କି ସେଠୀ ଓ ଲତା ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିଛନ୍ତି। କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନନ ଦାଶ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେ‌ହେରା, ପୁରୀ ସାଂସଦ ପିନାକୀ ମିଶ୍ର, ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ୫-ଟି ସଚିବ ଭି କେ ପାଣ୍ଡିଆନ୍‌ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର