ଭୁବନେଶ୍ବର: ଯୁବଶକ୍ତିଙ୍କୁ ନିଯୁକ୍ତି ଦେବା ଓ ସେମାନଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଲୋକଙ୍କ ସରକାର ନିରନ୍ତର ପ୍ରୟାସ କରୁଛନ୍ତି ।  ଗତ ଏକ ବର୍ଷ ଭିତରେ ୯ଟି ପର୍ଯ୍ୟାୟରେ ପ୍ରାୟ ୨୮,୦୦୦ରୁ ଅଧିକ  ପଦବୀ ପୂରଣ କରାଯାଇଥିବା ବେଳେ  ସୋମବାର  ନିଯୁକ୍ତି ମେଳାରେ ଏକକାଳୀନ ୫ ବିଭାଗର ୯୬୪ ଜଣଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।

Advertisment

ସୋମବାର ଭୁବନେଶ୍ୱର ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ୫ଟି ବିଭାଗର ୯୬୪ଟି ପଦବୀ ପୂରଣ ପାଇଁ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା। ଏଥିରେ ପୂର୍ତ୍ତ ବିଭାଗର ୫୬୩ଟି, ଜଳ ସମ୍ପଦ ବିଭାଗର ୬୨ଟି, ପଞ୍ଚାୟିତ ରାଜ ଓ ପାନୀୟ ଜଳ ବିଭାଗର ୧୧୭ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୨୦୪ଟି ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୧୮ଟି ପଦବୀରେ ନିଯୁକ୍ତି ଦିଆଯାଇଛି। ଏହି ସବୁ ପଦବୀ ଗୁଡିକ ମଧ୍ୟରେ କନିଷ୍ଠ ଯନ୍ତ୍ରୀ, କନିଷ୍ଠ ପ୍ରବର୍ତ୍ତନ ଅଧିକାରୀ, ଟ୍ରେସର, ବୈଧ ମାପ ବିଜ୍ଞାନ ନିରୀକ୍ଷକ, ଜୁନିଅର ଆକାଉଣ୍ଟାଣ୍ଟ ପଦବୀ ରହିଛି। 

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଆମେ ୫ ଟି ବିଭାଗରେ ଏକକାଳୀନ ୯୬୪ ଜଣଙ୍କୁ ନିଯୁକ୍ତି ଦେଇଛୁ । ସମସ୍ତ ନବନିଯୁକ୍ତଙ୍କୁ ମୋର ଅଭିନନ୍ଦନ । ନିଜକୁ ଜନସାଧାରଣଙ୍କ ସେବକ ଭାବି ସାଧାରଣ ଲୋକଙ୍କ ଆଶା, ଆକାଂକ୍ଷା ପୂରଣ କରିବା ସହ ସେମାନଙ୍କର ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ ଆପଣମାନେ ସମସ୍ତେ କାମ କରିବେ ବୋଲି ମୋର ବିଶ୍ୱାସ ।

ସରକାରୀ ସ୍ତରରେ ଆପଣଙ୍କ ଦ୍ୱାରା ନିଆଯାଉଥିବା ପ୍ରତ୍ୟେକ ନିଷ୍ପତ୍ତି ଓ କାର୍ଯ୍ୟ ଜନମଙ୍ଗଳ ଉପରେ ଯେପରି ଆଧାରିତ ହେବ, ସେଥିପ୍ରତି ଆପଣମାନେ ଯତ୍ନବାନ ହେବେ ବୋଲି ମୋର ଆଶା । ଆପଣମାନେ ବୃତ୍ତିଗତ ଦକ୍ଷତା ଓ ହୃଦୟର ସହ ଲୋକଙ୍କ ସେବା କରି ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଭାଗୀଦାର ହେବେ ବୋଲି ମୁଁ ଆସ୍ଥା ପ୍ରକଟ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ଯୁବଶକ୍ତି ହେଉଛନ୍ତି ଆମ ବିକାଶ ରଥର ସାରଥି । ଯୁବଶକ୍ତିଙ୍କ ମଧ୍ୟରେ ଥିବା ଶକ୍ତି, ସାମର୍ଥ୍ୟ ଓ ଉତ୍ସାହକୁ ରାଜ୍ୟର ବିକାଶ ସହିତ ସମାଜକଲ୍ୟାଣରେ ଉପଯୋଗ କରିବା ପାଇଁ ଆମେ ପ୍ରାଧାନ୍ୟ ଦେଉଛୁ । ଆମ ସରକାର ଆସିବା ଦିନଠାରୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ରୋଜଗାର ସୃଷ୍ଟିକୁ ଗୁରୁତ୍ୱ ଦେଉଛି ।

ପାଞ୍ଚବର୍ଷ ମଧ୍ୟରେ ଦେଢ଼ ଲକ୍ଷ ସରକାରୀ ପଦବୀ ପୂରଣ କରିବା ଆମର ଲକ୍ଷ୍ୟ ରହିଛି । ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ବିଧାନସଭାରେ ବିଲ୍ ପାରିତ କରି ଆମେ ନୀତି ପ୍ରଣୟନ କରିଛୁ ଓ ନିଯୁକ୍ତି କ୍ଷେତ୍ରରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି । ଏହା ସହ ସରକାରୀ ଚାକିରୀରେ ଆବେଦନ ପାଇଁ  ବୟସ ସୀମାକୁ ମଧ୍ୟ ଆମେ ୪୨ ବର୍ଷକୁ ବୃଦ୍ଧି କରିଛୁ । 

ଦାୟିତ୍ୱକୁ ଆସିବା ପରେ ଆମେ ଲକ୍ଷ୍ୟ କଲୁ ଯେ ସରକାରୀ ସ୍ତରରେ ବିଭିନ୍ନ କ୍ଷେତ୍ରରେ ବହୁ ପଦବୀ ଖାଲି ପଡ଼ିଛି। ସେଥିପାଇଁ ମୁଁ ନିଜେ ଏ ବର୍ଷର ପ୍ରଥମ ଦିନରେ ଅର୍ଥାତ ୧ ଜାନୁୟାରୀ ୨୦୨୫ ଦିନ ସବୁ ଚୟନ ସଂସ୍ଥାର ମୁଖ୍ୟ ଓ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲି ।

ଅଧିକ ପଢ଼ନ୍ତୁ: "ଥାଟରାଜା" ରଣାର୍ଣ୍ଣବ ଦେବଙ୍କ ଦେହାନ୍ତ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବିଭିନ୍ନ ବିଭାଗରେ ଖାଲି ଥିବା ପଦବୀକୁ ଚିହ୍ନଟ କରି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲି । ଏ ଦିଗରେ ଆମର ଉଦ୍ୟମ ଅବ୍ୟାହତ ରହିଛି । ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦବୀ ପୂରଣ ଆମର ଲକ୍ଷ୍ୟ ଥିଲା । ପ୍ରଥମ ବର୍ଷରେ ଆମେ ୯ଟି ପର୍ଯ୍ୟାୟରେ ପ୍ରାୟ ୨୮,୦୦୦ ରୁ ଅଧିକ ପଦବୀ ପୂରଣ କରିଛୁ । ଦ୍ଵିତୀୟ ବର୍ଷରେ ପ୍ରାୟ ୪୦,୦୦୦ ପଦବୀ ପୂରଣ କରାଯିବ ।

କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ଆମ ସମୃଦ୍ଧ ଓଡିଶା ଗଠନରେ ଆପଣ ମାନଙ୍କଭଳି ଯୁବ ପ୍ରତିଭାଙ୍କ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। 


ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି କହିଥିଲେ ଯେ ଭଗବାନଙ୍କ କରୁଣାରୁ ଆପଣ ମାନେ ନିଯୁକ୍ତି ପାଇଛନ୍ତି। ଭଗବାନଙ୍କ ସେହି କରୁଣାକୁ ଜନସେବାରେ ଉପଯୋଗ କରିବା ପାଇଁ ସେ ଉପଦେଶ ଦେଇଥିଲେ।

ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ କହିଲେ ଯେ ଓଡିଶା ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ଆଗକୁ ବଢୁଛି, ଆପଣମାନଙ୍କ ଜ୍ଞାନ ଓ ବୁଦ୍ଧିର ପ୍ରୟୋଗରେ ଓଡିଶା ଶୀର୍ଷକୁ ଯିବ, ସେଥିପାଇଁ ଆପଣମାନେ ସଂକଳ୍ପବଦ୍ଧ ହୋଇ କାମ କରିବେ ବୋଲି ମୋର ବିଶ୍ୱାସ।

ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନବ ନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଆମ ସରକାର ଖାଲି ଥିବା ସରକାରୀ ପଦବୀ ଗୁଡିକୁ ପୂରଣ କରିବା ଲକ୍ଷ୍ୟନେଇ କାମ ଆରମ୍ଭ କରିଥିଲେ। ଏହି ବର୍ଷକ ମଧ୍ୟରେ ଆମେ ଯେତିକି ସରକାରୀ ପଦବୀ ପୂରଣ କରିଛୁ ସ୍ୱାଧୀନତା ପରେ ଓଡିଶା ଇତିହାସରେ ଏହା କେବେ ହୋଇ ନଥିଲା। ନବ ନିଯୁକ୍ତଙ୍କୁ ଆହ୍ୱାନ ଦେଇ କହିଥିଲେ ଓଡିଶା ବିକାଶ ରଥର ଡୋରି ଆପଣ ମାନଙ୍କ ହାତରେ ଅଛି। ଆପଣମାନେ ବିକାଶ ରଥକୁ ସଫଳତାର ସହ ପରିଚାଳନା କରିବେ ବୋଲି ମୋର ବିଶ୍ୱାସ।

କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗର ନବ ନିଯୁକ୍ତ ଶିବଲାଲ୍ କିଶନ, ଜଳ ସମ୍ପଦ ବିଭାଗର ଅନୁସୟା ମହାନ୍ତି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବି. ପ୍ରବୋଧ ରଞ୍ଜନ ପାତ୍ର ଓ ସନ୍ଧ୍ୟାରାଣୀ ସାହୁ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ଚଣ୍ଡୀପ୍ରସାଦ ମିଶ୍ର ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଆଦ୍ୟାଶ ସିଂ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସମୟାନୁଭିତ୍ତିକ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଉନ୍ନୟନ କମିସନର ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

ଅଧିକ ପଢ଼ନ୍ତୁ: ରାଜଧାନୀର ହୋଟେଲ-ଫାଷ୍ଟଫୁଡ୍ ଦୋକାନରେ ବିଏମସି ଅଧିକାରୀଙ୍କ ଚଢ଼ଉ

CM Mohan Charan Majhi