ବରଗଡ଼: ଚାଷୀ କାହିଁକି ଦୁଃଖୀ ହେବ, କାହିଁକି ଆତ୍ମହତ୍ୟା କରିବ? କେବଳ ଭୋଟ୍ ବ୍ୟାଙ୍କ ବଢ଼ାଇବାକୁ ପୂର୍ବର ବିଜେଡି ସରକାର ଯୋଜନା କରିଥିଲା। ତେଣୁ ଚାଷୀ ଋଣଗ୍ରସ୍ତ ହୋଇ ଆତ୍ମହତ୍ୟା କରୁଥିଲେ। ଜୁନ୍ ୧୨ ତାରିଖରେ ଆମ ସରକାର ଗଠନ ହେବା ପରେ ୪ଟି ନିଷ୍ପତ୍ତିରୁ ଧାନ କୁଇଣ୍ଟାଲ ୩୧୦୦ ଟଙ୍କା ପ୍ରଦାନ କରିବା ମୁଖ୍ୟ ନିଷ୍ପତ୍ତି ଥିଲା। ସରକାର ଗଠନର ୬ ମାସ ଭିତରେ ସେସବୁକୁ ପୂରଣ କରାଯାଇଛି। ଆମ ସରକାର ଲୋକଙ୍କ ସରକାର, ଚାଷୀଙ୍କ ସରକାର। ଏ ସରକାର ନିରନ୍ତର ଭାବେ ଚାଷୀଙ୍କ ସହ ରହିବ। ଆଗାମୀ ଦିନରେ କୃଷି କ୍ଷେତ୍ରରେ ବରଗଡ଼ ଜିଲ୍ଲା ଭାରତବର୍ଷରେ ୧ ନମ୍ବର ଜିଲ୍ଲା ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
୨୧୫୦୦ ଚାଷୀ ପାଇଲେ ସହାୟତା
ଏଣିକି ୪୮ ଘଣ୍ଟାରେ ମିଳିବ ପ୍ରାପ୍ୟ
୬ ମାସରେ ସବୁ ପ୍ରତିଶ୍ରୁତି ପୂରଣ କରିଛୁ
ଚାଷୀଙ୍କ ପାଇଁ ବଜେଟ୍ରେ ୩୩,୯୦୦ କୋଟି
ରବିବାର ବରଗଡ଼ ଜିଲ୍ଲା ସୋହେଲା ଇଚ୍ଛାପାଲି ପଡ଼ିଆରେ ଆୟୋଜିତ ଚାଷୀଙ୍କୁ ବୋନସ୍ (ଇନ୍ପୁଟ୍) ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ନବୀନ ସରକାର
ଚାଷୀ ବିରୋଧୀ ଥିଲେ। ୧୦୦ ଟଙ୍କା ବୋନସ୍ ଦେଇ ପାରି ନଥିଲେ। ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିଲେ। ଆମ ସରକାର ମିଛୁଆ ନୁହନ୍ତି। ଯାହା କୁହନ୍ତି, ତାହା କରନ୍ତି। ଏବେ ଆମ ସରକାର ୮୦୦ ଟଙ୍କା ବୋନସ୍ ଦେବା ପରେ ବିଜେଡିର ନେତୃବୃନ୍ଦ ଓ କର୍ମୀଙ୍କୁ ଭାରି କଷ୍ଟ ହେଉଛି। ଧାନକିଣା ପ୍ରକ୍ରିୟାକୁ ଦୁର୍ନୀତିମୁକ୍ତ କରାଯିବ। ଏଥିପାଇଁ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀମାନଙ୍କ ଭିତରେ ବାରମ୍ବାର ବୈଠକ ହେଉଛି। ସୀମା ସିଲ୍ କରାଯାଇଛି, ମଣ୍ଡିରେ ସିସିଟିଭି ବ୍ୟବସ୍ଥା ହୋଇଛି। ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦରକାର ପଡ଼ିଲେ ଜେଲ୍ ପଠାଯିବ। ଆଜି ୨୧ ହଜାର ୫୦୦ ଜଣ ଚାଷୀଙ୍କୁ ଇନ୍ପୁଟ୍ ସହାୟତା ଦିଆଯାଇଥିବା ବେଳେ ଏମ୍ଏସ୍ପି ବାବଦକୁ ୨୦୦ କୋଟି ଏବଂ ଇନ୍ପୁଟ୍ ସହାୟତା ବାବଦରେ ୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆଗକୁ ଚାଷୀମାନଙ୍କଠାରୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ମିଳିବ। ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା ଚାଷୀଙ୍କ ଉନ୍ନତି ଓ ଆର୍ଥିକ ବିକାଶ। ଏଥିପାଇଁ ପ୍ରଧାନମନ୍ତ୍ରୀ କୃଷି ସମ୍ମାନନିଧି ଆରମ୍ଭ ହୋଇଥିଲା। ସେହି ଯୋଜନାରେ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି। ଏହାସହ ମୋହନ ସରକାର ସିଏମ୍ କିଷାନ ଯୋଜନାରେ ୪ ହଜାର ଟଙ୍କା ପ୍ରଦାନ କରୁଛନ୍ତି। ଓଡ଼ିଶାର ଚାଷୀମାନଙ୍କ ପାଇଁ ବଜେଟ୍ରେ ୩୩ ହଜାର ୯୧୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଚାଷୀ ହେଉଛନ୍ତି ସମୃଦ୍ଧ ଓଡ଼ିଶାର ମୂଳଦୁଆ। ଆମ ସରକାର ଚାଷୀକୁଳର ବିକାଶ ପାଇଁ ସମୃଦ୍ଧ କୃଷକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଯେଉଁଥିରେ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ସେ ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍ର ୧୧ ଜଣ ଚାଷୀଙ୍କୁ ଚେକ୍ ମାଧ୍ୟମରେ ଇନ୍ପୁଟ୍ ସହାୟତା ରାଶି ପ୍ରଦାନ କରିଥିଲେ।
ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତି ବିଭାଗ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଥିଲେ, ଆମ ସରକାର ଯାହା କହିଥିଲେ ତାକୁ କାମରେ କରି ଦେଖାଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଧାନକିଣା ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ଲାଗି ସବୁପ୍ରକାର ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, କେନାଲର ଉନ୍ନତୀକରଣ ପାଇଁ ୧ ହଜାର କୋଟି ବ୍ୟୟବରାଦ ହୋଇଛି। ଆମ ସରକାର କାମ କରିକି ଦେଖାଇବାରେ ବିଶ୍ୱାସ ରଖେ ବୋଲି କହିଥିଲେ। ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଚାଷୀଙ୍କ ପାଇଁ ସରକାର ନେଇଥିବା ପଦକ୍ଷେପ ଉପରେ ସୂଚନା ଦେଇଥିଲେ। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡ଼ତିଆ ନିଜ ବକ୍ତବ୍ୟରେ ଡବଲ୍ ଇଞ୍ଜିନ ସରକାର ଚାଷୀ ଓ ମା’ମାନଙ୍କ ଉନ୍ନତି କଳ୍ପେ କାମ କରୁଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ହଳଧର ନାଗ, ପଦ୍ମଶ୍ରୀ ଭାଗବତ ପ୍ରଧାନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ ସିଂ, ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଦବ, ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶୁଭମ୍ ସକ୍ସେନା, ବିଜେପି ନେତା ତଥା ପୂର୍ବତନ ସାଂସଦ ପ୍ରଭାସ ସିଂହ, ଡି.ମୁରଲୀକ୍ରିଷ୍ଣା, ଗୋବର୍ଦ୍ଧନ ଭୋଇ, ଅରୂପାନନ୍ଦ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/09/c7PK7ikFcCptZnjPHY8K.jpg)