ଜୟପୁର: ‘ସୁଭଦ୍ରା’ ଯୋଜନା ମହିଳାଙ୍କ ଜୀବନରେ ପ୍ରଗତି ଓ ପରିବର୍ତ୍ତନର ନୂଆ ଅଧ୍ୟାୟ ସୃଷ୍ଟି କରିଛି। ପରିବାରକୁ ଆର୍ଥିକ ଶକ୍ତି ଦେବା ସହ ଉଦ୍ୟମୀ ମହିଳା ଭାବେ ଗଢ଼ିବାରେ ବଳ ଯୋଗାଇଛି। ଆଜି କୋରାପୁଟଜିଲ୍ଲା ଜୟପୁର ବାଙ୍କବିଜାଠାରେ ଓଡ଼ିଶାର ସର୍ବବୃହତ୍‌ ମହିଳା ସଶକ୍ତୀକରଣ ଯୋଜନା ‘ସୁଭଦ୍ରା’ର ତୃତୀୟ କିସ୍ତି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲାରେ ୪୫୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ୪୩୬ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ୩୦୯.୪୨ କୋଟି ଟଙ୍କାର ୧୨୬ ନୂତନ ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ। 

Advertisment

ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ସେତୁ, ସଡ଼କ, ପର୍ଯ୍ୟଟନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରହିଛି। ଖୁବଶୀଘ୍ର ଜୟପୁରରୁ ଭୁବନେଶ୍ୱର ବନ୍ଦେଭାରତ ଏକ୍ସପ୍ରେସ୍‌ ଗଡ଼ିବ। କାଗଜକଳ ପୁନର୍ବାର ଚାଲୁ ହେବ, ନୂତନ ମହାବିଦ୍ୟାଳୟ ସ୍ଥାପନ ହେବ ‌ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ଅର୍ଥାଭାବରୁ ଯେଉଁ ମା’ମାନେ ନିଜ ସ୍ୱପ୍ନକୁ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି, ସେମାନଙ୍କ ପାଇଁ ଆଶାର କିରଣ ସାଜିଛି ‘ସୁଭଦ୍ରା’। ସରକାରଙ୍କର ଲକ୍ଷ୍ୟ ସେହି ସମସ୍ତ ମହିଳାଙ୍କୁ ସଶକ୍ତ କରି ଆତ୍ମନିର୍ଭର କରିବା। ଏହି ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ମା’ମାନେ ନିଜ ନିଜର ଛୋଟବଡ଼ ବ୍ୟବସାୟ ଆରମ୍ଭ କରିଛନ୍ତି। ଆଉ କିଛି ଅଧିକ ପୁଞ୍ଜି ବିନିଯୋଗ କରି ନିଜ ବ୍ୟବସାୟ କଳେବରକୁ ବୃଦ୍ଧି କରିଛନ୍ତି। କୋଟିଆ ପଞ୍ଚାୟତରେ ମୋଟ ୨୦୭୮ ଆବେଦନ ମଧ୍ୟରୁ ୧୭୯୭ ଜଣ ପ୍ରଥମ ଓ ୧୭୯୫ ଜଣ ଦ୍ୱିତୀୟ କିସ୍ତି ଅର୍ଥ ରାଶି ପାଇଛନ୍ତି। ଆଜି ତୃତୀୟ କିସ୍ତି ବାବଦରେ କୋଟିଆର ୧୭୮୩ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସହାୟତା ରାଶି ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରାୟ ଦୁଇ ଦଶନ୍ଧି ଧରି ମହିଳା ସଶକ୍ତୀକରଣ ନାଁରେ ରାଜ୍ୟର କୋଟି କୋଟି ମହିଳାଙ୍କୁ କେବଳ ରାଜନୈତିକ ପଶାପାଲିରେ ଗୋଟି ଭାବେ ବ୍ୟବହାର କରାଯାଉଥିଲା। ଆମ ସରକାର ଆସିବାର ପ୍ରାୟ ବର୍ଷକ ମଧ୍ୟରେ ମହିଳା ସଶକ୍ତୀକରଣକୁ ଏକ ନୂତନ ଦିଗନ୍ତ ଦେବା ପାଇଁ ପ୍ରୟାସ ଜାରି ରହିଛି। ଏହାର ଉଦାହରଣ ‘ଲକ୍ଷପତି ଦିଦି’। ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ପରିକଳ୍ପିତ ଏହି ସଶକ୍ତୀକରଣ କାର୍ଯ୍ୟକ୍ରମରେ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରାୟ ୧୭ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି ହୋଇଛନ୍ତି।

୪୫୨ କୋଟିର ୪୩୬ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ
୩୦୯ କୋଟିର ୧୨୬ ପ୍ରକଳ୍ପ ଉଦ୍‌ଘାଟିତ
ଜୟପୁରରୁ ଭୁବନେଶ୍ବର ଗଡ଼ିବ ବନ୍ଦେଭାରତ

‘ସୁଭଦ୍ରା’ ମାଧ୍ୟମରେ ଆମେ କେବଳ ଆର୍ଥିକ ସ୍ୱାଧୀନତା ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରୁନାହୁଁ, ବରଂ ଶିକ୍ଷା, ଦକ୍ଷତା ଏବଂ ରୋଜଗାରର ସୁଯୋଗ ମଧ୍ୟରେ ଥିବା ବ୍ୟବଧାନକୁ ମଧ୍ୟ ଦୂର କରିଛୁ। ‘ସୁଭଦ୍ରା’ରେ ପ୍ରଦାନ କରାଯାଉଥିବା ସହାୟତାକୁ ପୁଞ୍ଜି ଭାବେ ବ୍ୟବହାର କରି ରାଜ୍ୟର ଲକ୍ଷ ଲକ୍ଷ ମା’ ଓ ଭଉଣୀ ଛୋଟବଡ଼ ବ୍ୟବସାୟ ଆରମ୍ଭ କରି ନିଜ ପରିବାରର ଆର୍ଥିକ ସ୍ଥିତିକୁ ବଦଳାଇ ପାରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ବର୍ଷକ ତଳେ ମହିଳାଙ୍କ ଆଖିରେ ଆମେ ଯେଉଁ ବିଶ୍ୱାସ ଦେଖିଥିଲୁ, ତାହା ଆଜି ସାକାର ହୋଇଛି। ଏହି ଯୋଜନା ମାଧ୍ୟମରେ ସରକାର ମହିଳାଙ୍କ ଜୀବନର ଏକାଧିକ ଦିଗକୁ ଉନ୍ନତି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା ସେମାନଙ୍କର ସାମାଜିକ ଅବସ୍ଥାକୁ ଖାଲି ମଜଭୁତ କରିନି, ସଫଳତା ପାଇଁ ସାଧନ, ସୁଯୋଗ ଆଦି ଯୋଗାଇବା କ୍ଷେତ୍ରରେ ମଧ୍ୟ ସରକାରଙ୍କର ଦୃଢ଼ ସଂକଳ୍ପକୁ ପ୍ରତିପାଦିତ କରୁଛି। 

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ‘ସୁଭଦ୍ରା’ ରାଖୀ ବାନ୍ଧି ସମାରୋହକୁ ପାରମ୍ପରିକ ଭାବେ ଆରମ୍ଭ କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଏକ କୋଟି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ସହାୟତା ରାଶି ପ୍ରଦାନ କରିଥିଲେ। ମଞ୍ଚରେ ‘ସୁଭଦ୍ରା’ ଯୋଜନାରୁ ସଫଳତା ପାଇଥିବା ମହିଳାଙ୍କୁ ଓ ଯୋଜନାକୁ ସଫଳ କରାଉଥିବା ମହିଳାଙ୍କୁ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତିଭୂଷଣ ଜେନା, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ବିଧାୟକ ରଘୁରାମ ମାଛ, ନରସିଂହ ମାଡ଼କାମୀ, ଗୌରୀଶଙ୍କର ମାଝୀ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମନୀଷା ବାନାର୍ଜୀ, ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ ପ୍ରମୁଖ ମଞ୍ଚାସୀନ ଥିଲେ। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସ୍ୱାଗତ ଭାଷଣ ଦେଇଥିବା ବେଳେ କୋଟପାଡ଼ ବିଧାୟକ ରୁପୁ ଭତ୍ରା ଧନ୍ୟବାଦ ଦେଇଥିଲେ।