ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ନାହିଁ : କଂଗ୍ରେସ

ଭୁବନେଶ୍ବର : ରାଜ୍ୟରେ ଜଣେ ବି ଦଳିତ ଓ ଆଦିବାସୀ ବର୍ଗର ରାଜ୍ୟସଭା ସାଂସଦ ନାହାନ୍ତି। ରାଜ୍ୟର ପଛୁଆବର୍ଗର ବ୍ୟକ୍ତି ବିଶେଷଙ୍କୁ ରାଜ୍ୟସଭା ନିର୍ବାଚନରେ ପ୍ରତିନିଧିତ୍ବ ମିଳିନାହିଁ। କେବଳ ପଛୁଆବର୍ଗଙ୍କୁ ସଂରକ୍ଷଣ ନେଇ କେବଳ ମୁଖ୍ୟମନ୍ତ୍ରୀ ରାଜନୀତି କରୁଛନ୍ତି ବୋଲି ଉଭୟ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ।

ଶୁକ୍ରବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋଜ ମହାପାତ୍ର କହିଥିଲେ ଯେ ରାଜ୍ୟର ୧୦ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ଜଣେ ହେଲେ ବି ଦଳିତ କିମ୍ବା ଆଦିବାସୀ ବର୍ଗର ନାହାନ୍ତି। ଓଡ଼ିଶା ଲୋକଙ୍କ ବଳ ବୋଲି ନିଜକୁ ଦାବି କରୁଥିବା ବିଜେଡି ଦୁଇ ଜଣ ଅଣ ଓଡ଼ିଆଙ୍କୁ ରାଜ୍ୟସଭା ପଠାଇଛି। ରାଜ୍ୟର ୯୨ ଭାଗ ଜନସଂଖ୍ୟା ଭିତରୁ କ’ଣ କେହି ଯୋଗ୍ୟ ପ୍ରାର୍ଥୀ ନାହାନ୍ତି କି ? ମହିଳାମାନଙ୍କୁ ୩୩ ଭାଗ ସଂରକ୍ଷଣ ଦେବାର ଶ୍ରେୟ ନେଉଥିବା ମୁଖ୍ୟମନ୍ତ୍ରୀ ରାଜ୍ୟସଭାରେ ଜଣେ ମହିଳାଙ୍କୁ ପ୍ରତିନିଧିତ୍ବ କରିବାକୁ ପଠାଇଛନ୍ତି।

ସେହିପରି ରାଜ୍ୟରେ ଓବିସି କମିସନ ରହିଛି ସତ କିନ୍ତୁ କାର୍ଯ୍ୟକାରୀ ହେଉନାହିଁ। ଓବିସି ଜାତିଭିତ୍ତିକ ଜନଗଣନା ପାଇଁ କେନ୍ଦ୍ର ସରକାର ମନା କରିବା ପାଇଁ ରାଜ୍ୟ ସରକାର ନିଜସ୍ବ ଜନଗଣନା କରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ସୁପ୍ରିମକୋର୍ଟରେ ଏସଏଲପି କରି ଦୀର୍ଘଦିନରୁ ରାଜ୍ୟ ସରକାର ଚୁପ୍ ବସିଛନ୍ତି। କେବଳ ଭୋଟ ବେଳେ ବିଭିନ୍ନ ଫନ୍ଦି ଫିକର କରି ଭୋଟ ହାତେଇବା ପାଇଁ ବିଭିନ୍ନ କୌଶଳ ତିଆରି କରାଯାଉଛି। ରାଜ୍ୟରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କି ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତା ନାହିଁ। ଆନ୍ତରିକତା ରହିଥିଲେ ମଧ୍ୟପ୍ରଦେଶ ସରକାର ଭଳି ପଦକ୍ଷେପ ନେଇ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାର ପ୍ରୟାସ କରିଥାନ୍ତେ। ଆସନ୍ତା ରାଜ୍ୟସଭା ନିର୍ବାଚନରେ ଦଳିତ, ଆଦିବାସୀ ଓ ପଛୁଆବର୍ଗରୁ ପ୍ରତିନିଧିତ୍ବ ଦେବାକୁ ଦଳ ପକ୍ଷରୁ ଦାବି କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଚିନ୍ମୟ ସୁନ୍ଦର ଦାଶ, ମଧୁମିତା ସେଠୀ ଓ ଜିନେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର