ବ୍ରହ୍ମପୁର: ‘ଏଇଠିକି ୨୦ ବର୍ଷ ତଳେ ଆସିଥିଲୁ ମୂଲ ଖଟିବା ପାଇଁ। ଭଡ଼ାଘରେ ରହିବାକୁ ଆୟ ନଥିଲା। ଏହି ଜାଗାରେ ଆମେ ବହୁ କଷ୍ଟରେ ଭଙ୍ଗା ଟିଣ, ଟାର୍ପୋଲିନ୍, କେଇ ଖଣ୍ଡ କାଠ ବଲାକୁ ନେଇ ଘର ଖଣ୍ଡେ ତିଆରି କରିଥିଲୁ। ଦୁଇରୁ ଚାରି ହେଲୁ। ୨୦୧୩ ଫାଇଲିନ୍ ମହାବାତ୍ୟାରେ ତିଆରି କରିଥିବା ଘରଟି ଉଜୁଡ଼ିଗଲା। ପୁଣି ବହୁ କଷ୍ଟରେ ଘରଟେ ତିଆରି କରିଛୁ। ଏବେ ସେ ସେହି ଜାଗାରେ ମୋତେ ଘର ମିଳିବ, ଏହି କଥା ସ୍ୱପ୍ନରେ ଭାବି ନଥିଲି। ଆମ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏଇଟାକୁ ସତ କରିଛନ୍ତି।’ ଆଖିରୁ ଲୁହ ପୋଛି କହିଥିଲେ ଛତ୍ରପୁର ଏନ୍ଏସି ବସ୍ତିର କାମିନୀ ବେହେରା। କାମିନୀଙ୍କ ଆଖିରୁ ବହୁଥିଲା ଆଶ୍ୱସ୍ତି ଓ ଖୁସିର ଲୁହ। ୭ ତାରିଖ ଛତ୍ରପୁରରେ ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଓ ଜାଗା ଯୋଜନାର ଶୁଭାରମ୍ଭ ଦିନ ମୁଖ୍ୟମନ୍ତ୍ରୀଙ୍କ ହାତରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ। ତେବେ ପ୍ରମାଣପତ୍ର ବଣ୍ଟନ ଦିନ ଜାତୀୟ ରିଅଲିଟି ସୋ’ ବିଜେତା ପ୍ରିନ୍ସ ଡାନ୍ସ ଗ୍ରୁପ୍ର ବାତ୍ୟା ପ୍ରପୀଡ଼ିତ ବସ୍ତିବାସିନ୍ଦା ଉଚ୍ଛେଦ ଭୟ ଓ ଜାଗା ଦ୍ୱାରା ସ୍ଥାୟୀ ଘରର ସ୍ୱପ୍ନ ପୂରଣର ଯେଉଁ ୪ ମିନିଟ୍ର ନାଟକ ପରିବେଷଣ କରିଥିଲେ, ତାକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାବବିହ୍ଵଳ ହୋଇଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ନାଟକରେ ବସ୍ତିବାସିନ୍ଦା କିଭଳି ଭାବେ ବାତ୍ୟା ଦ୍ୱାରା ନିଜର ସର୍ବସ୍ୱ ହରାଇଛନ୍ତ, ଭଙ୍ଗା ଘରୁ ରୁଅ ସାଉଣ୍ଟି ପୁଣି ଘର ସଜାଡ଼ିବା ବେଳେ ଜବରଦଖଲ ହଟାଇବାକୁ କିଭଳି ପ୍ରଶାସନିକ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି, ଏହି ସମୟରେ ସେମାନଙ୍କୁ ସ୍ଥାୟୀ ଘର ନିର୍ମାଣ କରିବାକୁ କିଭଳି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଉଛନ୍ତି ଏବଂ ‘ଜାଗା’ ଯୋଜନା ଆରମ୍ଭ ହେବା ପରେ ଗରିବ ବସ୍ତିବାସିନ୍ଦା କିଭଳି ଖୁସିରେ ନାଚି ଉଠୁଛନ୍ତି….ତାହା ବର୍ଣ୍ଣନା କରାଯାଇଥିଲା। ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାବବିହ୍ଵଳ ହୋଇପଡ଼ିଥିଲେ। ଆଖି ତାଙ୍କର ଛଳଛଳ ହୋଇଯାଇଥିଲା। ପଛରେ ବସିଥିବା ତାଙ୍କ ବ୍ୟକ୍ତିଗତ ସଚିବ ହାତକୁ ରୁମାଲ ବଢ଼ାଇଦେଇଥିଲେ ଲୁହ ପୋଛିବା ପାଇଁ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଆଜି ଛତ୍ରପୁର ଓ ବ୍ରହ୍ମପୁର ସହରର ବିଭିନ୍ନ ଖଟି ଓ ସରକାରୀ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ଭାବବିହ୍ଵଳତାକୁ ନେଇ ଚର୍ଚ୍ଚା ଚାଲିଥିଲା। କାମିନୀ ମଧ୍ୟ ୨୦୧୩ ଫାଇଲିନ୍ର କଥା ମନେ ପକାଇ କହିଛନ୍ତି ବାତ୍ୟା ପରେ ମୁଖ୍ୟମନ୍ତ୍ରୀ ଖୋଦ୍ ଛତ୍ରପୁର ଆସି ଏନ୍ଏସି, ନୂଆସାହି ବସ୍ତି ଇଲାକା ବୁଲିଦେଖିଥିଲେ। ସେ ଓ ଅନ୍ୟ ବସ୍ତିବାସିନ୍ଦା ସେମାନଙ୍କୁ ଘର ନିର୍ମାଣ କରିବାକୁ ସହାୟତା ମାଗିଥିଲେ। ସେହି ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଆପଣଙ୍କୁ ଘର ନିଶ୍ଚିତ ମିଳିବ।’