ଭୁବନେଶ୍ୱର : ସାଲେପୁର ଦୁଷ୍କର୍ମ ପୀଡିତା ନାବାଳିକାର ମୃତ୍ୟୁ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ପୀଡିତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ବିଧାନସଭାରେ ବିବୃତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଘଟଣାର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୀଡ଼ିତାଙ୍କୁ ଏସସିବିରେ ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯାଇଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ସେଠାରେ ନିୟୋଜିତ କରାଯାଇଥିଲା । କିନ୍ତୁ ସମସ୍ତ ଚେଷ୍ଟା ସତ୍ୱେ ତାଙ୍କ ମୃତ୍ୟୁ ଦୁଭାର୍ଗ୍ୟଜନକ । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯାଇଛି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Advertisment

ସାଲେପୁର ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ପରେ ତାଙ୍କ ଗାଁରେ ପହଞ୍ଚିଛି କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ୯ ଦିନ ତଳେ ସାଲେପୁରରେ ଦୁଷ୍କର୍ମ ଉଦ୍ୟମର ଶିକାର ହୋଇ କ୍ଷତାକ୍ତ ଅବସ୍ଥାରେ ହସ୍ପିଟାଲରେ ପହଞ୍ଚିଥିବା ୬ ବର୍ଷର କୁନି ଝିଅ ଶେଷରେ ଜୀବନଯୁଦ୍ଧରେ ହାରିଯାଇଛି । ଦୁଷ୍କର୍ମ ହୋଇଛି କି ନାହିଁ ସେ ନେଇ ସରକାରୀ ରିପୋର୍ଟ ଆସିବା ପୂର୍ବରୁ ଆଖି ବୁଜି ଦେଇଛି କୁନି ଝିଅ ।

କଟକ ମେଡ଼ିକାଲରେ ନାବାଳିକାଙ୍କ ମୃତ୍ୟୁ ହେବା ପରେ ଗତକାଲି ତାଙ୍କ ଗାଁରେ ପୀଡିତାଙ୍କ ଶେଷକୃତ୍ୟ ହୋଇଛି । ସେପଟେ ନାବାଳିକାର ମୃତ୍ୟୁ ପରେ ସାଲେପୁରରେ ଚାପା ଉତ୍ତେଜନା ଦେଖାଦେଇଛି । ଏଥିପାଇଁ ପୀଡିତାଙ୍କ ପରିବାର ସମେତ ସାଲେପୁରରେ ସୁରକ୍ଷା ବ୍ୟବସ୍ଥାକୁ ବି କଡାକଡି କରାଯାଇଛି । ସାଲେପୁର ଅଞ୍ଚଳରେ ପ୍ରାୟ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ଜଣା ପଡିଛି ।