ବିଷମକଟକ ସଡ଼କ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାର ପାଇଁ ଘୋଷଣା କଲେ ଅନୁକମ୍ପା ରାଶି

ଭୁବନେଶ୍ୱର: ରାୟଗଡ଼ା-ଭବାନୀପାଟଣା ରାଜ୍ୟ ରାଜପଥର ବିଷମକଟକ ବ୍ଲକ ଅନ୍ତର୍ଗତ ମଞ୍ଜୁରକୁପା ନିକଟରେ ଗତ ୧୩ ତାରିଖ ଅପରାହ୍‌ଣରେ ଘଟିଥିବା ସଡ଼କ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ୨-୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଦେବା ପାଇଁ ଘୋଷଣା କରିଛନ୍ତି। ସେହିପରି ଗୁରୁତର ଭାବେ ଚିକିତ୍ସାଧୀନ ଥିବା ୨ ଜଣଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମର୍ମନ୍ତୁଦ ଦୁର୍ଘଟଣାରେ ବଲାଙ୍ଗୀର ଜିଲ୍ଲାର ସୁଶାନ୍ତ ବିଶି, ଭକ୍ତ ହଂସ, ଲକ୍ଷ୍ମୀ କର୍ମା ଏବଂ ରାୟଗଡ଼ାର ଅଭୟ କୁଶୁଳିଆଙ୍କ ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କପଳାଭଟ୍ଟା ଗାଁର ହନୀ ହଂସଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ବିଷମକଟକ ଖ୍ରୀଷ୍ଟିଆନ୍‌ ହସ୍ପିଟାଲରେ ମୃତ୍ୟୁ ହେବା ପରେ ଦୁର୍ଘଟଣାର ଶିକାର ହୋଇଥିବା ମୃତଦେହକୁ ନେଇ ଆମ୍ବୁଲାନ୍‌ସ ଯୋଗେ ବଲାଙ୍ଗୀର ଅଭିମୁଖେ ଯାଉଥିଲେ। ଅପରାହ୍ନରେ ଅମ୍ବାଦଳା ଥାନା ମଞ୍ଜୁରକୁପା ନିକଟରେ ସମ୍ବଲପୁରରୁ ଟିକିର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ମାଲବାହୀ ଟ୍ରକ ଭାରସାମ୍ୟ ହରାଇ ଆମ୍ବୁଲାନ୍‌ସକୁ ସମ୍ମୁଖରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଶନିବାର ଆଉ ଜଣେ ଆହତଙ୍କ କୋରାପୁଟ ମେଡ଼ିକାଲ୍‌ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।

ଗିରଫ ଟ୍ରକ୍ ଡ୍ରାଇଭର ଲଖବୀର୍‌ ସିଂହଙ୍କ କହିବାନୁଯାୟୀ ଖାଲି ଗାଡ଼ି ନେଇ ସେ ସମ୍ବଲପୁରରୁ ଆସୁଥିଲେ। ଏହି ସମୟରେ ଆମ୍ବୁଲାନ୍‌ସ ଭୁଲ୍‌ ରାସ୍ତାରେ ଆସି ଟ୍ରକ୍ର ଦେହରେ ପିଟି ହୋଇ ଯାଇଥିଲା।  ବେଗ ଅଧିକ ଥିବାରୁ ଚେଷ୍ଟା କରିବା ସତ୍ତ୍ୱେ ଗାଡ଼ି ଅଟକି ନଥିଲା। ଫଳରେ ଆମ୍ବୁଲାନ୍‌ସ ଚୂରମାର ହୋଇଯିବା ସହ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇ ଏପରି ଦୁର୍ଘଟଣା ଘଟିଥିଲା।

ସମ୍ବନ୍ଧିତ ଖବର