ଭାରତ ଦକ୍ଷତା ପ୍ରତିଯୋଗିତା ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ବିଜୁ ପଟ୍ଟନାୟକ ଦକ୍ଷତା ପ୍ରୋତ୍ସାହନ ସମ୍ମାନ ରାଶି ବଢ଼ିଲା
ସ୍ବର୍ଣ୍ଣ ପଦକ ଜିତିଲେ କୋଟିଏ, ରୌପ୍ୟ ପାଇଁ ୫୦ଲକ୍ଷ, କାଂସ୍ୟ ପାଇଁ ୨୫ଲକ୍ଷ
‘ସାଂଘାଇ ମୋ ମନରେ, ଭାରତ ମୋ ହୃଦୟରେ’ ନାରା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଜିତିବା ଏକ ଅଭ୍ୟାସ, ସେହିଭଳି ଉତ୍କର୍ଷତା ହାସଲ କରିବା। ମୋର ବିଶ୍ବାସ ଯେ ଆମ ପିଲାମାନେ ଏବେ ଉତ୍କୃଷ୍ଟ ହେବା, ଦୁନିଆର ସର୍ବଶ୍ରେଷ୍ଠ ପ୍ରତିଯୋଗୀଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରି ଜିତିବା ଅଭ୍ୟାସରେ ପରିଣତ କରିଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଆଜି ଲୋକସେବା ଭବନ କନଭେନସନ୍ ସେଣ୍ଟର ଠାରେ ଭାରତ ଦକ୍ଷତା ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିଯୋଗୀମାନଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ ଆସନ୍ତା ଅକ୍ଟୋବରରେ ଚୀନ୍‌ର ସାଂଘାଇରେ ହେବାକୁ ଥିବା ବିଶ୍ବ ଦକ୍ଷତା ପ୍ରତିଯୋଗିତା ପାଇଁ ପ୍ରତିଯୋଗୀମାନଙ୍କୁ ସବୁ ପ୍ରକାରର ଶ୍ରେଷ୍ଠ ତାଲିମ୍ ଦିଆଯିବ। ବିଜେତାମାନଙ୍କୁ ବିଜୁ ପଟ୍ଟନାୟକ ଦକ୍ଷତା ସମ୍ମାନରେ ସମ୍ମାନିତ କରାଯିବ। ମୁଖ୍ୟମନ୍ତ୍ରୀ ଏହି ସମ୍ମାନର ପୁରସ୍କାର ରାଶି ବଢ଼ାଇବା ନେଇ ଘୋଷଣା କରିବା ସହ କହିଛନ୍ତି ଯେ ଯେଉଁମାନେ ସ୍ବର୍ଣ୍ଣ ପଦକ ଜିତିବେ ତାଙ୍କୁ ୧କୋଟି, ରୌପ୍ୟ ପଦକ ବିଜେତାଙ୍କୁ ୫୦ଲକ୍ଷ, କାଂସ୍ୟ ପଦକ ବିଜେତାଙ୍କୁ ୨୫ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଯେଉଁ ସଂସ୍ଥାରୁ ଏହି ବିଜେତା ଆସିଥିବେ ଉକ୍ତ ଅନୁଷ୍ଠାନରେ ବିଜୁ ପଟ୍ଟନାୟକ ସେଣ୍ଟର ଅଫ୍ ଏକ୍ସଲେନ୍ସ ନିର୍ମାଣ କରିବା ପାଇଁ ୫କୋଟି ଟଙ୍କା ପ୍ରଦାନ କରାଯିବ।

ସାଂଘାଇ ଯିବାକୁ ଥିବା ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ଉତ୍ସାହିତ କରି ୨-୩-୪ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କହିଛନ୍ତି ଯେ ଆମେ ଦେଶ ପାଇଁ ଓଡ଼ିଆ ପିଲା ୨ଟି ସ୍ବର୍ଣ୍ଣ, ୩ଟି ରୌପ୍ୟ, ୪ଟି କାଂସ୍ୟ ପଦକ ଆଣିବେ ବୋଲି ଲକ୍ଷ୍ୟ ରଖିଛୁ। ତେଣୁ ଏହି ସ୍ବପ୍ନକୁ ବାସ୍ତବରେ ପରିଣତ କରିବାକୁ ହେଲେ ଆଜିଠାରୁ ଆପଣମାନେ ‘ସାଂଘାଇ ମୋ ମନରେ, ଭାରତ ମୋ ହୃଦୟରେ’ ରଖି ପ୍ରସ୍ତୁତି କରିବେ।

ଭାରତ ଦକ୍ଷତା ପ୍ରତିଯୋଗିତାର ୫୯ ପଦକ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ଜାତୀୟ ଦକ୍ଷତା ବିକାଶ ନିଗମକୁ ଧନ୍ୟବାଦ ଦେଇଛନ୍ତି। ଏହାସହ କହିଛନ୍ତି ଯେ ଓଡ଼ିଶା ଏମିତି କାମ କରିବ ଯେ ଆମର ପୁଅ ଝିଅଙ୍କୁ ଲୋକ ପଚାରିବେ ସେମାନେ କେବଳ ଦକ୍ଷ ନା ଓଡ଼ିଶାରେ ଦକ୍ଷତା ହାସଲ କରିଛନ୍ତି।

ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ କହିଥିଲେ ଯେ ଭାରତ ଦକ୍ଷତା ପ୍ରତିଯୋଗିତାର ବିଜେତାମାନେ ସମାଜର ବହୁ ତଳସ୍ତରରୁ ଆସି ସଫଳତା ହାସଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ହକି ପାଇଁ ଯାହା କରିଛନ୍ତି ଦକ୍ଷତା କ୍ଷେତ୍ରରେ ତାହା ମଧ୍ୟ ହାସଲ ହେବ। ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଅତିଥି ଭାବେ ଯୋଗଦେଇଥିଲେ। ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ସ୍ବାଗତ ଭାଷଣ ଦେଇଥିବାବେଳେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜି.ରଘୁ ଧନ୍ୟବାଦ ଦେଇଥିଲେ। ଏହି ଅବସର‌େର ମୁଖ୍ୟମନ୍ତ୍ରୀ ସ୍ବର୍ଣ୍ଣ ପଦକ ବିଜେତା ସନ୍ତୋଷ ଓଝା, ସ୍ବାତି କୁମାରୀ, ସୋନା ବେହେରା, ନଉସିନ ନିଗାରଙ୍କୁ ଅର୍ଥରାଶି ଓ ସାର୍ଟିଫିକେଟ୍ ଦେଇ ସମ୍ମାନିତ କରିଥିଲେ।

ସମ୍ବନ୍ଧିତ ଖବର