କରୋନା ପାଣ୍ଠିକୁ ୩ମାସର ଦରମା ଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ପୂରା ବିଶ୍ୱ ଏକଜୁଟ ହୋଇଛି। ଗତକାଲି କରୋନା ସତର୍କତା ପାଇଁ ଭାରତରେ ଜନତା କର୍ଫ୍ୟୁ ଜାରି କରାଯାଇଥିଲା। ତେବେ କରୋନାଭାଇରସ୍‌ ସଂକ୍ରମଣ ପରିସ୍ଥିତିକୁ ଦେଖି ପ୍ରଭାବିତଙ୍କ ସହାୟତା ପାଇଁ କରୋନା ପାଣ୍ଠିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନିଜର  ତିନିମାସର ଦରମା ଦାନ କରିବା ସହିତ ଅନ୍ୟମାନଙ୍କୁ ଏଥି ଲାଗି ଦାନ କରିବାକୁ ଆହ୍ଵାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଅନ୍ତର୍ଗତ ନୂତନ କରି ଗଠିତ ‘କୋଭିଡ୍ ୧୯’ ପାଣ୍ଠିରେ ଏହି ଦାନ ଅର୍ଥ ରହିବ।

ଏଥିସହ  ବିଜୁ ଜନତା ଦଳର ସମସ୍ତ ବିଧାୟକ ଓ ସାଂସଦ ନିଜର ୩ ମାସର ଦରମା ଦାନ କରିବାକୁ ନିବେଦନ କରିଛନ୍ତି ଦଳର ସାଧାରଣ ସଂପାଦକ ସଂଜୟ ଦାସବର୍ମା।

ଏପଟେ କରୋନା ମୁକାବିଲା ପାଇଁ ଟ୍ରେନ୍‌ ଚଳାଚଳ ବନ୍ଦ ଥିବା ବେଳେ ଆସନ୍ତକାଲି ଦିନ ୧୧ଟାରୁ ପୂରା ରାଜ୍ୟରେ ଯାତ୍ରୀବାହୀ ବସ୍‌ ସେବା ଓ ମଧ୍ୟରାତ୍ରିରୁ ଘରୋଇ ବିମାନ ସେବା ବନ୍ଦ ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ପରିବହନ ପାଇଁ ହେଲପ୍‌ଲାଇନ୍‌ ନମ୍ବର ଜାରି କରାଯାଇଛି। ଏହି ହେଲପ୍‌ଲାଇନ୍‌ ନମ୍ବରଟି ୧୫୫୩୩୫ ରହିଛି। ଏହି ନମ୍ବର ଯୋଗେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଜନିତ କଲ କରି ପାରିବେ।

Image result for nabin pattnaik

ଏପଟେ ଲକ୍‌-ଡାଉନ୍‌ ସମୟରେ ସମସ୍ତ ସଉଦା ଦୋକାନ ଖୋଲା ରହିବ ବୋଲି ଘୋଷଣା ହୋଇଥିବା ବେଳେ ଆସନ୍ତାକାଲି ଠାରୁ କଟକ ମାଲଗୋଦାମ୍‌ରେ ୨ଟି ପର୍ଯ୍ୟାୟରେ ବ୍ୟବସାୟ ହେବ। ଏହି ଦୁଇଟି ପର୍ଯ୍ୟାୟ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ରିଟେଲ ବ୍ୟବସାୟୀ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ନିଜର ବ୍ୟବସାୟ କରିବେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ମାଲଗୋଦାମ୍‌ରେ ଦିନ ୧୨ଟାରେ ହୋଲସେଲ ବ୍ୟବସାୟ ହେବ।

ସମ୍ବନ୍ଧିତ ଖବର